ନୂଆଦିଲ୍ଲୀ:ଲଖିମପୁର ଖେରୀ ହିଂସା ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ ମାମଲା । ଆଶିଷଙ୍କ ଜାମିନକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଖଲ ପିଟିସନର ଆଜି ବିଚାର କରିଛନ୍ତି କୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, ଜାମିନ ବିରୋଧି ମାମଲାରେ ସେ ଏକ ଖଣ୍ଡପୀଠ ଗଠନ କରିବେ ଏବଂ ବୁଧବାର ଏହି ଖଣ୍ଡପୀଠ ମାମଲାର ଶୁଣାଣି କରିବ । କହିରଖୁଛୁ କି, ଆହ୍ଲାବାଦ ହାଇକୋର୍ଟ ଦ୍ବାରା ଆଶିଷଙ୍କୁ ବେଲ୍ ମିଳିଥିବା ବେଳେ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଜାମିନ ବିରୁଦ୍ଧରେ ପିଟିସନ ଦାଖଲ କରିଥିଲେ ହିଂସାକାଣ୍ଡରେ ମୃତ କୃଷକଙ୍କ ପରିବାର ।
ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ଜାମିନ ବିରୋଧି ପିଟିସନର ଶୁଣାଣି କରିଛନ୍ତି । ଶୁଣାଣି ବେଳେ ମାମଲାର ଅନ୍ୟତମ ମୁଖ୍ୟ ସାକ୍ଷୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ମଧ୍ୟ ସେ ଦୃଷ୍ଟି ଦେଇଛନ୍ତି । ଆକ୍ରମଣ କରିଥିବା ଦୁର୍ବୃତ୍ତ ବିଜେପି ନାଁ ନେଇ ସାକ୍ଷୀଙ୍କୁ ଧମକାଇ ଥିଲେ । ବର୍ତ୍ତମାନ ବିଜେପି ଜିତିଛି ଏବଂ ସେ ଆଶିଷଙ୍କ ଯତ୍ନ ନେବେ ବୋଲି ଦୁର୍ବୃତ୍ତମାନେ ଧମକାଇ ଥିବା ଆବେଦନକାରୀ କୃଷକଙ୍କ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟକୁ କହିଥିଲେ । ଆଶିଷ ମିଶ୍ରାଙ୍କୁ ଜାମିନ ପରେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଆହ୍ଲାବାଦ କୋର୍ଟରେ ଜାମିନ ମାଗୁଥିବା ଘଟଣା ମଧ୍ୟ ସେ ଜଣାଇଥିଲେ ।
ଆଜି ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି କହିଛନ୍ତି, ସେ ଖେରୀ ହିଂସା ଘଟଣାରେ ପୂର୍ବରୁ ଶୁଣାଣି କରିଥିବା ଖଣ୍ଡପୀଠର ଗଠନ କରିବେ ଏବଂ ବୁଧବାର ଏହି ମାମଲାର ଶୁଣାଣି ହେବ । ପୂର୍ବରୁ ସିଜେଆଇ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ ଏହି ହିଂସା ଘଟଣା ସମ୍ବନ୍ଧୀୟ ମାମଲାର ଶୁଣାଣି କରିଥିଲେ, ଯେଉଁଥିରେ ୪ ଜଣ କୃଷକଙ୍କ ସହିତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିସହ ମାମଲାର ତଦନ୍ତ ପାଇଁ ଖଣ୍ଡପୀଠ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟଳୟର ଜଣେ ପୂର୍ବତନ ବିଚାରପତିଙ୍କୁ ନିଯୁକ୍ତ କରିଥିଲେ ।