ଭୋପାଳ: କୌଣସି ବଡ ବଡ ଘଟଣାର ପର୍ଦ୍ଦାଫାସ ପାଇଁ ପୋଲିସକୁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଏଭଳି ଏକ ସଫଳ ଯୋଜନା ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ ମହାତ୍ମୀ ଗାନ୍ଧୀ ମେମୋରିଆଲ ମେଡିକାଲ କଲେଜରେ ଏମତି କିଛି ଦେଖିବାକୁ ମିଳିଛି । ଏଠାରେ ଏକ ରାଗିଂ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାର ମୁଖ୍ୟ ନାୟିକା ସାଜିଥିଲେ 24 ବର୍ଷୀୟା ମହିଳା କନଷ୍ଟେବଳ ଶାଳିନୀ ଚୌହାନ । 3 ମାସ ଧରି କଲେଜରେ ଜୁନିଅର ଛାତ୍ରୀ ଭାବେ ପଢି ଘଟଣାର ପର୍ଦ୍ଦାଫାସ କରିଛନ୍ତି ଏହି ମହିଳା କନଷ୍ଟେବଳ ( lady police officer crack ragging case ) । କାନ୍ଧରେ ବ୍ୟାଗ ପକାଇ ଏକଦମ ଛାତ୍ରୀଟିଏ ପରି କଲେଜ ଯାଇଥିଲେ । ଧୀରେଧୀରେ ଘଟଣାର ପର୍ଦ୍ଦାଫାସ କରିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଧରିଛି ।
ସୂଚନାଅନୁସାରେ, ଶିକ୍ଷାବର୍ଷ ଆରମ୍ଭ ହେବା ପରଠୁ ଏମଜିଏମ ମେଡିକାଲ କଲେଜରେ ସିନିୟର ଛାତ୍ରାଛାତ୍ରୀମାନେ ଜୁନିଅର ଛାତ୍ରଛାତ୍ରୀଙ୍କୁ ରାଗିଂ କରୁଥିବା ଘଟଣା ସାମ୍ନାକୁ ଆସିଥିଲା । ବିଭିନ୍ନ ପ୍ରକାଶ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଉଥିଲା । କ୍ୟାମ୍ପସ ବାହାରେ ମଧ୍ୟ ଜୁନିଅର ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯାଉଥିଲା ଫଳରେ ପିଲାମାନେ ଭୟଭୀତ ହୋଇ ରହୁଥିଲେ । କିଛି ଛାତ୍ର ଏନେଇ ପୋଲିସକୁ ହେଲ୍ପଲାଇନ ଜରିଆରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିଲା ହେଲେ ଏପରି କିଛି ହୋଇନଥିବା କହି କଲେଜ କର୍ତ୍ତୃପକ୍ଷ ତଦନ୍ତରେ କୌଣସି ସାହାଯ୍ୟ କରିନଥିଲେ । ତେଣୁ ମାମଲାର ପର୍ଦ୍ଦାଫାସ ପାଇଁ ମହିଳା କନଷ୍ଟେବଳ ଶାଳିନୀ ଚୌହାନଙ୍କୁ ଦାୟିତ୍ବ ଦିଆଯାଇଥିଲା । ଏହାପରେ ମିଶନରେ ବାହାରିଥିଲେ ଶାଳିନୀ।