ମଧ୍ୟପ୍ରଦେଶ :ରାଜ୍ୟର ପନ୍ନାର ରତ୍ନଗର୍ଭା ମାଟି କେବେ କାହାକୁ ରାଜା କରି ଦେବ, ତାହା ବିଷୟରେ କେହି କହି ପାରିବେ ନାହିଁ । ଏବେ ଏହି ଦୁର୍ଲ୍ଲଭ ମାଟି ପୁଣି ଜଣେ ଶ୍ରମିକଙ୍କ ଭାଗ୍ୟ ଖୋଲି ଦେଇଛି । ଶ୍ରମିକଙ୍କ ଭାଗ୍ୟକୁ ହୀରା ଭଳି ଚମକାଇ ଦେଇଛି ଏହି ରତ୍ନଗର୍ଭା ମାଟି । ଶ୍ରମିକ ଜଣକ ଏଠାରୁ ମୂଲ୍ୟବାନ ହୀରା ପାଇ ରାତାରାତି ଲକ୍ଷପତି ହୋଇଯାଇଛନ୍ତି । ୩ ମାସର କଡ଼ା ପରିଶ୍ରମ ପରେ ଶ୍ରମିକଙ୍କୁ ଜେମ୍ କ୍ୱାଲିଟିର ଏକ ବଡ଼ ହୀରା ମିଳିଛି, ଯାହାର ଦାମ୍ ଲକ୍ଷାଧିକ ଟଙ୍କା ବୋଲି କୁହାଯାଉଛି ।
କୁଆଁ ନିବାସୀ ପ୍ରତାପ ସିଂ ଯାଦବ ଯିଏ କି ଜଣେ ଶ୍ରମିକ । ଦାରିଦ୍ର୍ୟ ହେତୁ ଦୁଃଖରେ ଦିନ କାଟୁଥିଲେ । ଗତ ଫେବୃୟାରୀ ମାସରେ ସେ ସରକାରୀ ହୀରା କାର୍ଯ୍ୟାଳୟରେ ଆବେଦନ କରିଥିଲେ ଏବଂ 10×10ର ଏକ ହୀରା ଖାଦାନର ପଟ୍ଟା ସ୍ୱୀକୃତ କରାଇଥିଲେ । ଏହା ପରେ ସେହି ଖାଦାନରେ ସେ ଦିନ ରାତି କଠିନ ପରିଶ୍ରମ କରିଥିଲେ, ଯାହାର ଫଳସ୍ୱରୂପ ଆଜି ତାଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି । ଗରିବ ଖଟିଖିଆ ଲୋକ ଆଜି ଲକ୍ଷପତି ହୋଇଯାଇଛନ୍ତି ।