ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲରେ ଗିରଫ ଫିଲ୍ମି ନିର୍ମାତା ରାଜ କୁନ୍ଦ୍ରାଙ୍କୁ ୨୩ ତାରିଖ ଯାଏଁ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି କୋର୍ଟ । ଗିରଫ ପରେ କୋର୍ଟରେ କୁନ୍ଦ୍ରାଙ୍କୁ ହାଜର କରିଥିଲା ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ । ଏହା ପରେ ଧିରେ ଧିରେ ଖୋଲିବାରେ ଲାଗିଛି ରାଜ କୁନ୍ଦ୍ରାଙ୍କର ଗୋଟିଏ ପରେ ଗୋଟିଏ କଳା କାରନାମାର ଗୁମର ।
ବିଳାସପୂର୍ଣ୍ଣ ବଙ୍ଗଳାରେ ପର୍ଣ୍ଣ ସୁଟିଂ...ଆପ୍ରୁ ଟଙ୍କା ରୋଜଗାର...କିଛି ଏମିତି ଢଙ୍ଗରେ ବ୍ୟାପିଛି କୁନ୍ଦ୍ରାଙ୍କ କେଳେଙ୍କାରୀ ଜାଲ । ଗିରଫ ପରେ କୁନ୍ଦ୍ରାଙ୍କ ରାଜ ଖୋଲିଛି ମୁମ୍ବାଇ ପୋଲିସ ।
ବିବାଦ ସହିତ ରହିଛି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦାଙ୍କ ପୁରୁଣା ସମ୍ପର୍କ । ଆଇପିଏଲ ମ୍ୟାଚ୍ ଫିକ୍ସଙ୍ଗରୁ ନେଇ ଅଣ୍ଡରୱାର୍ଲଡ ଲିଙ୍କ୍ ସହ ଅନେକ ବିବାଦରେ ସାମ୍ନାକୁ ଆସିସାରିଛି ରାଜଙ୍କ ନାଁ । ଆଉ ଏବେ ରାଜଙ୍କ ଗିରଫ ପରେ ଖୋଲିଛି ପର୍ଣ୍ଣୋଗ୍ରାଫି ମାମଲାର କଳା ଫର୍ଦ୍ଦ ।
ମୁମ୍ବାଇ ପୋଲିସର ଯୁଗ୍ମ କମିଶନର ରାଜ କୁନ୍ଦ୍ରାଙ୍କ ଗିରଫଦାରୀକୁ ନେଇ କରିଛନ୍ତି ଅନେକ ଖୁଲାସା । ଫେବୃଆରୀ ୨୦୨୧ରେ ମାଲୱଣୀ ପୋଲିସ ପର୍ଣ୍ଣୋଗ୍ରାଫି ମାମଲାରେ ରେଜିଷ୍ଟର କରିଥିଲା ଏକ ମାମଲା । ତଦନ୍ତ ସମୟରେ ଅନେକ କଥା ସାମ୍ନାକୁ ଆସିଥିଲା । ମହିଳାଙ୍କୁ କାମ ଦେବା ନାଁରେ ବୋଲ୍ଡ ସିନ୍ କରିବାକୁ କହୁଥିଲେ ଏଥିରେ ଜଡିତ ବ୍ରୋକର । ପରେ ଏହା ସେମି ନ୍ୟୁଡ୍ ଆଡକୁ ବଢିଚାଲିଲା । ମାମଲାରେ ୧୧ ଜଣଙ୍କୁ ଗିରଫ କରିସାରିଛି ମୁମ୍ବାଇ ପୋଲିସ ।
ମୁ୍ମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ପର୍ଣ୍ଣୋଗ୍ରାଫିର ଏହି ମାମଲାରେ ଗ୍ୟାଙ୍ଗର ଛାନଭିନ କରୁଥିବା ସମୟରେ ସାମ୍ନାକୁ ଆସିଥିଲା ରାଜ କୁନ୍ଦ୍ରାଙ୍କ ନାଁ । ଯାହାକୁ ନେଇ ୪ ଫେବୃଆରୀ ୨୦୨୧ରେ ମୁମ୍ବାଇର ମାଲୱାନୀ ଥାନାର କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ବିରୋଧରେ କେସ ନମ୍ବର ୧୦୩/୨୦୨୧ରେ ମାମଲା ଦାଏର କରିଥିଲା । ରାଜଙ୍କ ବିରୋଧରେ ଲାଗିଥିଲା ଆଇପିସି ଧାରା ୨୯୨, ୨୯୩, ୪୨୦, ୩୪ ଦଫା । ଆଉ ଏହାସହିତ ଆଇଟି ଆକ୍ଟ ଆଧାରରେ ୬୭, ୬୭ଏ ଓ ଅନ୍ୟ ଧାରା ମଧ୍ୟ ଏଫଆଇଆରରେ ଲଗାଯାଇଥିଲା ।
ମାମଲା ଦାଏର ପରେ ରାଜଙ୍କ ବିରୋଧରେ ଠୋସ ପ୍ରମାଣ ସନ୍ଧାନରେ ଥିଲା ମୁମ୍ବାଇ ପୋଲିସ । ତାଙ୍କ ବିରୋଧରେ ଅଶ୍ଳୀଳ ଫିଲ୍ମ ସୁଟ୍ କରି କିଛି ଆପ ଜରିଆରେ ଏହାକୁ ପ୍ରସାରିତ କରିବା ଓ ସେୟାର କରିବା ଅଭିଯୋଗ ରହିଥିଲା । ଛାନଭିନରେ ମୁ୍ମ୍ବାଇ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ପ୍ରମାଣ ଯାହା ରାଜଙ୍କ ଆଡକୁ ମୁଖ୍ୟ ଷଡଯନ୍ତ୍ରକାରୀ ଭାବରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା । ଏହି କାରଣରୁ ସୋମବାର ରାତିରେ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ ।