ବେଙ୍ଗାଲୁରୁ:ହିଜାବ ବିବାଦ ମଧ୍ୟରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି (ସୋମବାର) ଠାରୁ ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ । ସ୍କୁଲରେ ଶାନ୍ତିପୂର୍ଣ୍ଣ ପାଠପଢା ଜାରି ରଖିବା ପାଇଁ ସରକାର ଓ ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି । ତେବେ ଘଟଣାକୁ ନେଇ ବିବାଦ ବଢାଉଥିବା ବିଶୃଙ୍ଖଳାକାରୀଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ । ବିଶୃଙ୍ଖଳା ସୃଷ୍ଟି କରୁଥିବା ଗୋଷ୍ଠୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଛନ୍ତି, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି । ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ କରାଯାଉଥିବା ପୋଷ୍ଟ ସମ୍ପର୍କରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି । କୌଣସି ପ୍ରକାର ବିଶୃଙ୍ଖଳା କିମ୍ବା ଉତ୍ତେଜନା ସୃଷ୍ଟି କରିବା ପାଇଁ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ପ୍ରୟାସ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତାକାଲି ଠାରୁ ରାଜ୍ୟରେ ସ୍କୁଲ ଖୋଲିବା ଓ ଶାନ୍ତିପୂର୍ଣ୍ଣ ତଥା ସ୍ବାଭାବିକ ଭାବେ ପାଠପଢା ଆରମ୍ଭ କରିବା ସରକାରଙ୍କ ପ୍ରାଥମିକତା । ସେ ଦିଗରେ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ବେମ୍ମାଇ କହିଛନ୍ତି ।