ବେଙ୍ଗାଲୁରୁ: ଆଉଟର ରିଙ୍ଗ୍ ରୋଡ (ORR)ର ଆଖପାଖ ଅଞ୍ଚଳରେ ଥିବା ଆଇଟି କମ୍ପାନୀଗୁଡିକୁ ୱାର୍କ ଫମ ହୋମର ଅବଧିକୁ ଆସନ୍ତା ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି କର୍ଣ୍ଣାଟକ ସରକାର । ଆଉଟର ରିଙ୍ଗ୍ ରୋଡରେ ମେଟ୍ରୋ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏନେଇ ଇଭି ଇଲେକ୍ଟ୍ରୋନିକ୍ସ, ଆଇଟି, ବିଟି ଆଣ୍ଡ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରମନା ରେଡ୍ଡୀ ନ୍ୟାସନାଲ ଆସୋସିଏସନ୍ ଅଫ୍ ସଫ୍ଟୱେୟାର ଆଣ୍ଡ ସର୍ଭିସ କମ୍ପାନୀ (ନାସକମ୍) କୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।
ଟ୍ରାଫିକ୍ ସମସ୍ୟାକୁ ରୋକିବା ପାଇଁ ପରିବହନ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ପରାମର୍ଶ ଦିଆଯାଇଛି। କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ । ବେଙ୍ଗାଲୁରୁ ମେଟ୍ରୋ ରେଳ ନିଗମ ଲିମିଟେଡ୍ (BMRCL) ଖୁବଶୀଘ୍ର ସେଣ୍ଟ୍ରାଲ୍ ସିଲ୍କ ବୋର୍ଡରୁ କେଆରପୁରାମ ପର୍ଯ୍ୟନ୍ତ ଓଆରଆରରେ କାମ ଆରମ୍ଭ କରୁଛି । କାର୍ଯ୍ୟ ଶେଷ କରିବାକୁ ଅତିକମରେ 2 ବର୍ଷ ଲାଗିପାରେ । ଓଆରଆର (ORR) ଅଞ୍ଚଳରେ ଅନେକ ବଡ଼ ଆଇଟି କମ୍ପାନୀ, କ୍ୟାମ୍ପସ୍ ଏବଂ ଏହି ବାଟ ଦେଇ ଭାରିଯାନ ମଧ୍ୟ ଚଳାଚଳ କରିଥାଏ ।