ନୂଆଦିଲ୍ଲୀ:ହିନ୍ଦୁ ପକ୍ଷକୁ ସୁପ୍ରିମକୋର୍ଟର ଝଟକା । ଉତ୍ତରପ୍ରଦେଶର ଶ୍ରୀକୃଷ୍ଣ ଜନ୍ମଭୂମୀ ବିବାଦ ମାମଲା ଉପରେ ରୋକ ଲଗାଇଲେ ସୁପ୍ରମକୋର୍ଟ । ଆଜି(ମଙ୍ଗଳବାର) ମଥୁରାର ଇଦଗାହ ମସଜିଦରେ ସର୍ଭେ ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି । ତେବେ ହିନ୍ଦୁ ପକ୍ଷ ବ୍ୟତୀତ ମସଜିଦ ପକ୍ଷର ଆବେଦନ ଶୁଣିବା ଉଚିତ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ହିନ୍ଦୁ ପକ୍ଷ ପାଇଁ ଏକ ପ୍ରକାର ଝଟକା ବୋଲି କୁହାଯାଇପାରେ ।
ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଆବେଦନ ହୋଇଥିଲା । ଡିସେମ୍ବର 15 ତାରିଖରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ମାମଲାରେ ଦଖଲ ନଦେବାକୁ ମନା କରିଦେଇଥିଲେ । କମିଶନର ନିଯୁକ୍ତି ବିରୋଧରେ ମୁସଲିମ ପକ୍ଷରୁ ଦାଖଲ ହୋଇଥିବା ପିଟିସନ ଉପରେ ସର୍ବୋଚ୍ଚ ଅଦାଲତ ହିନ୍ଦୁ ପକ୍ଷକୁ ନୋଟିସ ଜାରି କରିଥିଲେ। ତେବେ ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି ଆସନ୍ତା 23 ତାରିଖରେ କରାଯିବ ବୋଲି କୁହାଯାଇଛି । ରୋକ ଲଗାଇବା ପରେ ମଧ୍ୟ ଏହାର ଶୁଣାଣି ହାଇକୋର୍ଟରେ ଜାରି ରହିବା ନେଇ କୋର୍ଟ ପକ୍ଷରୁ କୁହାଯାଇଛି ।
ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ପ୍ରଶ୍ନ ଉଠାଇଥିଲେ। ତେବେ ସୁପ୍ରିମକୋର୍ଟ ଶୁଣାଣି ବେଳେ କହିଛନ୍ତି, ଆହ୍ଲାବାଦ ହାଇକୋର୍ଟ ଏହି ମାମାଲର ଶୁଣାଣି କରିପାରିବେ । କିନ୍ତୁ କମିଶନରଙ୍କ ନିଯୁକ୍ତି ନେଇ ନିଷ୍ପତ୍ତି ନେଇପାରିବେ ନାହିଁ। ହିନ୍ଦୁପକ୍ଷର ପିଟିସନ ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ କହିଛନ୍ତି, "ଆବେଦନ ଅସ୍ପଷ୍ଟ । ଯୁକ୍ତି ଅନୁସାରେ ପ୍ରଥମେ ସ୍ପଷ୍ଟ ଭାବେ ଜାଣିବା ଉଚିତ। ସ୍ଥାନାନ୍ତରୀକରଣ ମାମଲା ମଧ୍ୟ କୋର୍ଟରେ ବିଚରାଧୀନ ରହିଛି । "
ଆହ୍ଲାବାଦ ହାଇକୋର୍ଟଙ୍କ କଣ ରହିଥିଲା ଫୈସଲା:ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ 14 ଡିସେମ୍ବର 2023 ରେ ରାୟ ଶୁଣାଇଥିଲେ। ଏହା ପରେ ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ଏବଂ ମଥୁରାର ଇଦଗାହ ମସଜିଦ ବିବାଦରେ ସର୍ଭେକୁ ଅନୁମୋଦନ କରିଥିଲେ ହାଇକୋର୍ଟ । ଅନ୍ୟପଟେ ମସଜିଦର ସର୍ଭେକ୍ଷଣ ପାଇଁ ଆହ୍ଲାବାଦ କୋର୍ଟ ଆଡଭୋକେଟ କମିଶନର ନିଯୁକ୍ତ କରିବା ପାଇଁ ମଧ୍ୟ ପରାମର୍ଶ କରିଥିଲେ । କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।