ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ ସଂସଦ ଭବନ ଅଭିମୁଖେ ପଦଯାତ୍ରା କରିବେ କୃଷକ । ଏନେଇ କ୍ରାନ୍ତିକାରୀ କିଷାନ ମୋର୍ଚ୍ଚାର ନେତା ଦର୍ଶନ ପାଳ ସୂଚନା ଦେଇଛନ୍ତି । ଗତ କିଛିଦିନ ଧରି ଦେଶର ବିଭିନ୍ନ ଅଞ୍ଚଳ ତଥା ଉତ୍ତର ଭାରତରେ ନୂଆ କୃଷି ଆଇନକୁ ବିରୋଧ ବ୍ୟାପକ ରୁପ ଧାରଣ କରିଥିବା ବେଳେ ଏହର ସମାଧାନର ବାଟ ଏଯାଏ ବାହାରି ନାହିଁ । ଆସନ୍ତା କାଲି ସାଧାରଣତନ୍ତ୍ର ଦିବସରେ କୃଷକମାନେ ଟ୍ରାକ୍ଟର ରାଲି ବାହାର କରୁଥିବା ବେଳେ ଆସନ୍ତା ମାସ ପହିଲାରେ ସଂସଦ ଭବନ ଘେରିବାର ଯୋଜନା ରଖିଛି କ୍ରାନ୍ତିକାରୀ କିସାନ ଯୁନିୟନ । ଦଳର ସଦସ୍ୟ କୃଷକ ମାନେ ପଦଯାତ୍ରାରେ ସଂସଦ ଭବନ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।
ଅନ୍ୟ ପଟେ କେନ୍ଦ୍ର ସରକାର ଓ ବିଭିନ୍ନ କୃଷି ସଂଗଠନ ମଧ୍ୟରେ ଏପର୍ଯ୍ୟନ୍ତ 10ମ ପର୍ଯ୍ୟାୟ ଆଲୋଚନା ସରିଥିବା ବେଳେ ଏପର୍ଯ୍ୟନ୍ତ ସହମତିର ବାଟ ଫିଟିପାରିନାହିଁ । ସେପଟେ ଜଣକ ପରେ ଜଣେ ଚାଷୀ ଧାରଣାସ୍ଥଳରେ ମୃତ୍ୟୁ ମୁଖରେ ପଡୁଥିବା ବେଳେ ଆନ୍ଦୋଳନ କିନ୍ତୁ ଶେଷ ହେଉ ନାହିଁ ।