ହାଇଦ୍ରାବାଦ:ଦିନେ ମାଣ୍ଡିଆର ଏତେ ଆଦର ନଥିଲା । କିନ୍ତୁ ମାଣ୍ତିଆରୁ ପ୍ରସ୍ତୁତ ସାମଗ୍ରୀ ଏବେ ଲୋକଙ୍କ ମନ ଜିଣୁଛି । ମାଣ୍ଡିଆ ମିକ୍ସଚର, କେକ, ମୁଡକି, ଗାଣ୍ଠିଆ, ବିସ୍କୁଟ ପରି ବହୁ ରକମର ପିଠା ଏବେ ବଜାରରେ ବିକ୍ରୟ କରାଯାଉଛି । ଓଡିଶାରେ ପ୍ରସ୍ତୁତ ଖାଦ୍ୟକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ହ୍ରାଇଦ୍ରାବାଦର ଶିଳ୍ପରମମ ଠାରେ ଓଡିଆ ଫୁଡ ଓ କ୍ରାପ୍ଟ ମେଳାର ଆୟୋଜନ କରାଯାଇଛି । କଳିଙ୍ଗ ସ୍ବରାଜ ଓମେନ୍ସ ଓ୍ବିଙ୍ଗ ତରଫରୁ ଏପରି ଏକ ମେଳାର ଆୟୋଜନ କରାଯାଇଥିବା ବେଳେ ମାଣ୍ଡିଆର ପ୍ରସ୍ତୁତ ସ୍ନାକ୍ସ ମଧ୍ୟ ପ୍ରଦର୍ଶିତ କରାଯାଇଛି । କୋରାପୁଟ ଜୟପୁରର ଜଗନ୍ନାଥ ଚିନାରୀ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଏଠାରେ ପ୍ରଦର୍ଶିତ କରିଥିବା ବେଳେ ତାହା ଓଡିଆ ତଥା ଅଣ ଓଡିଆଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି ।
ଜଗନ୍ନାଥ ଚିନାରୀଙ୍କ ଷ୍ଟଲରେ ମିକ୍ସଚର ଠାରୁ ଆରମ୍ଭ କରି ବିସ୍କୁଟ, ମୁଡକି ଓ ଚା’ ପରି ପ୍ରାୟ ୨୦ରୁ ୨୫ ପ୍ରକାରର ସାମଗ୍ରୀ ଷ୍ଟଲରେ ପ୍ରଦର୍ଶିତ କରାଯାଇଛି । ଯାହା ଗ୍ରାହକଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥିଲା । ତେବେ ପ୍ରଥମ କରି ସେ ମାଣ୍ଡିଆରେ ଚା’ ତିଆରି କରିଥିବା ବେଳେ ଏହାର ସ୍ବାଦ ମଧ୍ୟ ନିଆରା ଥିଲା । ଦୀର୍ଘ ୧୦ ବର୍ଷ ହେଲା ସେ ମାଣ୍ଡିଆରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ଆସୁଥିବା ବେଳେ ଜାତୀୟ ସ୍ତରରେ ମଧ୍ୟ ସେ ସମ୍ମାନିତ କରାଯାଇଛି । ଏଥି ସହ ପ୍ରଥମ ମାଣ୍ଡିଆ ଦିବସରେ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ।
ଏନେଇ ଜୟପୁରର ଜଗନ୍ନାଥ ଚିନାରୀ କହିଛନ୍ତି ଯେ, ''ବିଶେଷ କରି ମାଣ୍ଡିଆକୁ ନେଇ ୪୦ରୁ ୫୦ ପ୍ରକାରର ଜିନିଷ ତିଆରି ହେଉଛି । ଏଠାରେ ୨୦ରୁ ୨୫ ପ୍ରକାର ଆଇଟମ ପ୍ରଦର୍ଶିତ କରାଯାଉଛି । ମାଣ୍ଡିଆରୁ ପ୍ରସ୍ତୁତ କୁକିଜ, ମିକ୍ସଚର ଓ ଚା’ର ଚେଷ୍ଟକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ପ୍ରଥମେ ଚା’ ପିଇବାକୁ ଲୋକେ ଟିକିଏ ଅନିଚ୍ଛା ପ୍ରକାଶ କରିଥିଲେ, କିନ୍ତୁ କିଛି ସମୟ ପରେ ଏହାକୁ ବେଶ ପସନ୍ଦ କରିଥିଲେ । ଲୋକଙ୍କ ଠାରୁ ଭଲ ଫିଡବ୍ୟାକ ମଧ୍ୟ ମିଳୁଛି । ରାଜ୍ୟ ସରକାର ଏସଏସଜି ଗ୍ରୁପରେ ମହିଳାଙ୍କୁ ମାଣ୍ଡିଆ ଜାତୀୟ ଖାଦ୍ୟ ପ୍ରସ୍ତୁତରେ ସହଯୋଗ କରୁଛନ୍ତି । କିନ୍ତୁ ମୋତେ ସେମିତି କିଛି ପ୍ରୋତ୍ସାହନ ମିଳୁନି । କିନ୍ତୁ ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଆମକୁ ମାଣ୍ଡିଆ ଖାଦ୍ୟ ବିକ୍ରି କରିବାକୁ ସୁଯୋଗ ମିଳୁଛି । ଗତ ୧୦ ବର୍ଷ ହେଲା ମୁଁ ମାଣ୍ଡିଆ ସାମଗ୍ରୀ ପ୍ରସ୍ତୁତ କରୁଛି । କିନ୍ତୁ ବର୍ତ୍ତମାନ ମାଣ୍ଡିଆରେ ପ୍ରଥମ ଥର ପାଇଁ ଚା’ ପ୍ରସ୍ତୁତ କରିଛି । ''