ନୂଆଦିଲ୍ଲୀ:ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ନେଇ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି ଭାରତ । ୧୯୪୭ରେ ଭାରତ ସ୍ବାଧୀନ ହେବାପରେ ଭାରତୀୟ ରାଜନୀତି ସୁଦୃଢ଼ ହୋଇଥିଲା । ପୁରୁଷ ପ୍ରାଧାନ୍ୟ ସମାଜରେ ରାଜନୀତିରେ ସକ୍ରିୟ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅନେକ ମହିଳା ନେତ୍ରୀ । ଲୋକଙ୍କ ସ୍ବାର୍ଥ ପାଇଁ ଲଢ଼ିବା ଦିଗରେ ଏହି ସବୁ ନାରୀ ନେତ୍ରୀଙ୍କ ଅସୀମ ଅବଦାନ ରହିଛି । ଏଭଳି ନେତ୍ରୀଙ୍କ ଜୀବନର ସଂଘର୍ଷ ଓ ଅବଦାନ ଉପରେ ଥରେ ନଜର ପକାନ୍ତୁ...
ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ
ପଣ୍ଡିତ ଜବାହରଲାଲ ନେହୁରୁଙ୍କ ସୁପୁତ୍ରୀ ଥିଲେ ଇନ୍ଦିରା ଗାନ୍ଧୀ । ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଆଲ୍ଲାହାବାଦ୍ରେ ଇନ୍ଦିରା ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲା ଦିନ ଏତେଟା ଭଳ ନଥିଲା । ମା’ କମଳା ନେହୁରୁଙ୍କ ଯକ୍ଷ୍ମାରୁ ମୃତ୍ୟୁ ହୋଇଥିଲା । ବାପା ନେହୁରୁ ପ୍ରାୟତଃ ସମୟ ବାହାରେ ରହୁଥିଲେ । ପ୍ରାୟ ସମୟ ସେ ଏକୁଟିଆ ଦିନ କାଟୁଥିଲେ ।
ବିଶ୍ବଭାରତୀ ବିଶ୍ବବିଦ୍ୟାଳୟରୁ ପଢ଼ା ଶେଷ କରି ସେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ପଢ଼ିବାକୁ ଚାଲି ଯାଇଥିଲେ । ଇତିହାସରେ ପ୍ରବୀଣ ଥିଲେ ଇନ୍ଦିରା । ତେବେ ବାରମ୍ବାର ସ୍ବାସ୍ଥ୍ୟ ସମସ୍ୟା ପରେ ସେ ୧୯୪୧ରେ ଭାରତ ଫେରି ଆସିଥିଲେ । ଏହାପରେ ୧୯୫୦ରୁ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ । ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କ ରାଜନୈତିକ କ୍ୟାରିଅର ।
ପ୍ରଥମେ ସେ ଭାରତର ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଦାୟିତ୍ବରେ ରହିଥିଲେ । ଏହାପରେ୧୯୬୬ ମସିହାରୁ ସେ ଭାରତର ଭାରତର ତୃତୀୟ ତଥା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ଏହି ସମୟରେ ସେ ବୈଦେଶିକ ବ୍ୟାପାର ବିଭାଗ ମଧ୍ୟ ନିଜ ପାଖରେ ରଖିଥିଲେ । ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ହିଁ ଭାରତ-ଚୀନ ମଧ୍ୟରେ ସୀମାକୁ ନେଇ ଯୁଦ୍ଧ ହୋଇଥିଲା । ଖଲିସ୍ତାନୀ ଆନ୍ଦୋଳନକୁ ଦମନ କରିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ । ଏଥିପାଇଁ ସେ ବ୍ଲୁ-ଷ୍ଟାର୍ ଭଳି ଅପରେସନ କରିଥିଲେ । ଏଥିପାଇଁ ସିଖ୍ ସମ୍ପ୍ରଦାୟର ରୋଷର ଶିକାର ଥିଲେ । ଯାହାର ପରିଣାଣ ସ୍ବରୂପ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତାଙ୍କ ଅଙ୍ଗରକ୍ଷୀମାନେ ତାଙ୍କୁ ହତ୍ୟା କରିଥିଲେ ।
ସୂଚେତା କ୍ରିପାଳିନୀ
ପଞ୍ଜାବର ତତ୍କାଳୀନ ଅମ୍ବାଲାରେ 1908 ମସିହା ଜୁନ୍ ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସୂଚେତା କ୍ରିପାଳିନୀ । ମାତ୍ର ୧୦ ବର୍ଷ ବୟସରେ ଜାଲିଆନାୱାଲାବାଗ୍ କାଣ୍ଡ ବିଷୟରେ ଶୁଣି ସେ ପ୍ରଭାବିତ ହୋଇଥିଲେ । ବାପା ସୁରେନ୍ଦ୍ରନାଥ ମଜୁମ୍ଦାର ଜଣେ ମେଡିକାଲ ଅଫିସର ଥିଲେ । ସୂଚେତା ଓ ତାଙ୍କ ଭଉଣୀ ସୁଲେଖା ଉଭୟ ସ୍ବାଧୀନତା ସଂଗ୍ରାମରେ ଭାଗ ନେବାକୁ ବ୍ୟାଗ୍ର ଥିଲେ ।
ଲହୋରରେ କିନ୍ନାଡ କଲେଜରେ ପାଠ ପଢ଼ିବା ବେଳେ ସୂଚେତାଙ୍କ ବାଇବେଲ୍ ଶିକ୍ଷକ ହିନ୍ଦୁ ଧର୍ମକୁ ନେଇ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ସୂଚେତା ତାଙ୍କ ବାପାଙ୍କୁ ଜଣାଇବା ସହ ଜବାବ ଦେବକୁ ହିନ୍ଦୁ ଧର୍ମ ବିଷୟରେ ଧାରଣା ନେଇଥିଲେ । ଏହାପରେ ଶିକ୍ଷକଙ୍କ ଆପତ୍ତିଜନକ ମନ୍ତବ୍ୟର ଉଚିତ ଜବାବ ଦେଇଥିଲେ । ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ କଲେଜରୁ ପାଠ ପଢ଼ିବା ପରେ ସେ ୧୯୩୬କେ ଜେବି କ୍ରିପାଲିନୀଙ୍କୁ ବିବାହ କରିଥିଲେ । ଯିଏ କି ଜାତୀୟ କଂଗ୍ରେସର ଜଣେ ଜଣାଶୁଣା ଚେହେରା ଥିଲେ ।
ଭାରତଛାଡ଼ ଆନ୍ଦୋଳନରେ ସେ ବେଶ ସକ୍ରିୟ ଥିଲେ । ଏହାପରେ ବିଭାଜନ ହିଂସା ବେଳେ ଲଗାତାର ଗାନ୍ଧିଜୀଙ୍କ ସହ କାମ କରୁଥିଲେ । ସ୍ବାଧୀନତା ପରେ ମଧ୍ୟ ସେ ରାଜନୀତିରେ ସକ୍ରିୟ ରହିଥିଲେ । ୧୯୪୦ରେ ପ୍ରତିଷ୍ଠିତ ସର୍ବଭାରତୀୟ ମହିଳା କଂଗ୍ରେସ ପ୍ରତିଷ୍ଠାତା ଥିଲେ ସୂଚେତା କ୍ରିପାଳିନୀ । ତା ସହିତ ୧୯୬୩ରେ ସ୍ବାଧୀନ ଭାରତରେ ଉତ୍ତର ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଉତ୍ତର ପ୍ରଦେଶର ଏକ ମାତ୍ର ବଙ୍ଗାଳୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହାପୂର୍ବରୁ ସେ ୧୯୬୦ରୁ ୧୯୬୩ ପର୍ଯ୍ୟନ୍ତ ବିଧାୟକ ଭାବରେ ନିର୍ବାଚିତ । ୧୯୭୪ ମସିହା ଡିସେମ୍ବର ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସୁଷମା ସ୍ବରାଜ
"ଆମ ଦେଶର ଲୋକେ ଯଦି ମଙ୍ଗଳରେ ବି ସମସ୍ୟାରେ ଥିବେ ତେବେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସେଠାରୁ ମଧ୍ୟ ତାଙ୍କୁ ଉଦ୍ଧାର କରିବାକୁ ପହଞ୍ଚିବ ।" ଏହା କହିଥିଲେ ଭାରତର ପୂର୍ବତନ ଦିବଙ୍ଗତ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । 1952 ଫେବ୍ରୁଆରୀ ମାସ ୧୪ ତାରିଖରେ ହରିୟାଣାର ଅମ୍ବାଲା କ୍ୟାଣ୍ଟନମେଣ୍ଟ୍ରେ ଜନ୍ମ ଗ୍ରହଣ କରିଥିଲେ ସୁଷମା ସ୍ବରାଜ । ପିଲାଟି ଦିନରୁ ହିଁ ସ୍ପଷ୍ଟବାଦୀ ଥିଲେ ସୁଷମା ସ୍ବରାଜ । ସେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିବେ ବେଳେ ବାପା ଜଣେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘର ସକ୍ରିୟ ସଦସ୍ୟ ଥିଲେ । ସନାତନ ଧର୍ମ କଲେଜ୍ର ସେ ଡିଗ୍ରୀ ହାସଲ କରିଥିଲେ ।