ହାଇଦ୍ରାବାଦ: ପ୍ରଥମେ ରାଜ୍ୟସଭା ନିର୍ବାଚନ(Rajya Sabha Elections) ପରେ ବିଧାନସଭା ପରିଷଦ(MLC) ନିର୍ବାଚନରେ ମହାରାଷ୍ଟର ମହା ଅଘାଡି (Maharashtra Maha Vikas Aghadi) ସରକାରକୁ ଲାଗିଥିଲା ଜବରଦସ୍ତ ଝଟକା । ଆଉ ଏମଏଲସି ନିର୍ବାଚନର କିଛି ଘଣ୍ଚା ପରେ ମହା ଅଘାଡି ସରକାର ଫସିଗଲା ସାମ୍ବିଧାନିକ ସଂକଟରେ । କାରଣ ସରକାରରେ ମନ୍ତ୍ରୀ ଥିବା ଏକନାଥ ସିନ୍ଧେ (Eknath shinde) ଏବେ ବିଦ୍ରୋହ ଘୋଷଣା କରି 30ରୁ ଅଧିକ ବିଧାୟକଙ୍କୁ ନେଇ ଆସାମର ରାଜଧାନୀରେ ଡେରା ପକାଇଛନ୍ତି। ଆଉ ସିନ୍ଧେଙ୍କ ଏହି ଷଣ୍ଢୁଆଶି ଆକ୍ରମଣରେ ପୁରା ଦୋହଲି ଯାଇଛି ଉଦ୍ଧବଙ୍କ ସରକାର । ଏବେ ସରକାର ବଞ୍ଚାଇବା ପାଇଁ 3 ଦଳ ନିଜ ନିଜ ସ୍ତରରେ ଲାଗି ପଡିଛନ୍ତି । ହେଲେ ପୁରା ସରକାରକୁ ଏକନାଥ ସିନ୍ଧେ ହିଁ ସମାପ୍ତ କରିଦେବାର ଦମ୍ଭୋକ୍ତି ଦେଖାଇଛନ୍ତି । ମହାରାଷ୍ଟ୍ର ସରକାରର ଭବିଷ୍ୟତ କଣ ହେବ ତାହା ତ ଆଗାମୀ 2 ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ହେଲେ ଏବେ ଏକନାଥ ସିନ୍ଧେଙ୍କୁ ନେଇ ଲାଗି ରହିଛି ସଂଘର୍ଷ । ତେବେ କିଏ ଏହି ଏକନାଥ ସିନ୍ଧେ (Who is Eknath shinde) କଣ ତାଙ୍କ ଅତୀତ? କେମିତି ହେଲେ ଉଦ୍ଧବଙ୍କ ଏତେ ନିବିଡ? ହିନ୍ଦୁତ୍ବକୁ ନେଇ ଏତେ କଠୋର କାହିଁକି? କଣ ରହିଛି ରାଜନୈତିକ ଅନୁଭବ? କେମିତି ଉଦ୍ଧବଙ୍କ ଚୌକିକୁ ଦୋହଲାଇ ଦେଲେ, କିଭଳି ଶରଦ ପାୱାରଙ୍କ ଭଳି ଚାଣକ୍ୟଙ୍କୁ ଚକମା ଦେଲେ?
କିଏ ଏକନାଥ ସିନ୍ଧେ...
9 ଫେବୃୟାରୀ 1964ରେ ମହାରାଷ୍ଟ୍ରର ସତାରା ଜିଲ୍ଲା ଜୱାଲୀରେ ଏକନାଥ ସିନ୍ଧେଙ୍କ ଜନ୍ମ । ଏକନାଥ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଠାଣେରେ ପଢିବା ପରେ ୱାଗଲେ ଇଷ୍ଟେଟ ଅଞ୍ଚଳରେ ରହି ଅଟୋ ରିକ୍ସା(auto rickshaw driver) ଚଳାଇବା ଆରମ୍ଭ କଲେ। ଅଟୋ ଚଳାଇ ଚଳାଇ ସମୟକ୍ରମେ ଅଶୀ ଦଶକରେ ଶିବସେନା (Shiv sena) ସମ୍ପର୍କରେ ଆସିଲେ । ଜଣେ କଠୋର ହିନ୍ଦୁତ୍ବ ହୋଇଥିବାରୁ ଏକନାଥ ଜଣେ ଶିବ ସୈନିକ ଭାବେ କାମ କଲେ । ତୃଣମୂଳ ସ୍ତରରୁ ଦଳରେ କାମ କରି ଆସିଥିବା ସିନ୍ଧେ ରାଜ୍ୟର ଅନ୍ୟତମ ପ୍ରଭାବଶାଳୀ ନେତା ଆନନ୍ଦ ଦୀଘେଙ୍କ ସହାୟତାରେ ନିଜ ରାଜନୈତିକ ଜୀବନ ଆଗକୁ ବଢାଇଲେ । ସମୟକ୍ରମେ ମୁମ୍ବାଇର ପଡୋଶୀ ଥାନେ ଜିଲ୍ଲାର ଅନ୍ୟତମ ପ୍ରଭାବଶାଳୀ ନେତା ପାଲଟି ଗଲେ ଏକନାଥ । ସାଧାରଣ ନିର୍ବାଚନ ହେଉ କି, ବିଧାନସଭା ନିର୍ବାଚନ କିମ୍ବା ସ୍ଥାନୀୟ ନିର୍ବାଚନ ସମସ୍ତ ନିର୍ବାଚନରେ ଥାନେ ଜିଲ୍ଲା ସମେତ ମୁମ୍ବାଇରେ ଏକନାଥଙ୍କ ପ୍ରଭାବ ଜବରଦସ୍ତ ରହିଲା । ସମସ୍ତ ନିର୍ବାଚନରେ ତାଙ୍କର ଭୂମିକା ହୋଇଥାଏ ନିର୍ଣ୍ଣୟ ।
ଅଟୋ ଡ୍ରାଇଭରରୁ ମନ୍ତ୍ରୀ ଯାଏଁ...
ଏକନାଥ ପ୍ରଥମଥର 1997ରେ ଠାଣେ ମହାନଗର ପାଳିକାର କାଉନସିଲର ଭାବେ ନିର୍ବାଚିତ ହେଲେ । 2001ରେ ମହାନଗର ନିଗମର ବିରୋଧୀ ଦଳ ନେତା ଭାବେ କାମ କଲେ । 2002ରେ ଦ୍ବିତୀୟ ଥର ପାଇଁ କାଉନସିଲର ଭାବେ ନିର୍ବାଚିତ ହେଲେ । 2004 ରେ କୋପରୀ-ପଚପଖାଡୀ ଆସନ (Kopri-Pachpakhadi Assembly constituency) ରୁ ପ୍ରଥମ ଥର ପାଇଁ ଶିବସେନା ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହେଲେ । 2000 ମସିହାରେ ଥାନେ ଅଞ୍ଚଳର ଶିବସେନାର ପ୍ରମୁଖ ପ୍ରଭାବଶାଳୀ ନେତା ଆନନ୍ଦ ଦୀଘେଙ୍କ ଦେହାନ୍ତ ପରେ ସିନ୍ଧେଙ୍କ ପ୍ରଭାବ ବଢିବାରେ ଲାଗିଲା । ପରେ ପରେ ଦଳର ଅନ୍ୟତମ ନେତା ତଥା ବର୍ତ୍ତମାନର କେନ୍ଦ୍ରୀୟ ମନ୍ତ୍ରୀ ନାରାୟଣ ରାଣେ (Narayan Rane) 2005 ରେ ଶିବସେନାରୁ ଇସ୍ତଫା ଦେଇଥିଲେ । ଏହା ପରେ ସନ୍ଧେଙ୍କ ବିସ୍ତାର ଆହୁରି ହେବାରେ ଲାଗିଲା । ପୁଣି ରାଜ ଠାକରେ ମଧ୍ୟ ଦଳ ଛାଡିଲେ । ଏହି ସମୟରେ ସିନ୍ଧେ ଠାକରେ ପରିବାରର ନିକଟତର ହେବାରେ ଲାଗିଲେ । ଧୀରେ ଧୀରେ ଉଦ୍ଧବ ଠାକରେଙ୍କ ସହ ସମ୍ପର୍କ ସୁଦୃଢ ହେବାରେ ଲାଗିଲା ।
ଲଗାତାର ରହିଛନ୍ତି ବିଧାୟକ...