ହାଇଦ୍ରାବାଦ:କଥାରେ ଅଛି କଠିନ ପରିଶ୍ରମ ହେଉଛି ସଫଳତାର ଚାବିକାଠି । କଠିନ ପରିଶ୍ରମ ଦିନେ ନା ଦିନେ ସଫଳତା ଆଣିଦିଏ । ଆଉ ସେତେବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କିଛି ବି ବାଧା ସାଜିନଥାଏ । ଏହାକୁ ଆଜି ପ୍ରମାଣିତ କରିଛନ୍ତି ୟୁପିଏସିରେ କୃତକାର୍ଯ୍ୟ ହୋଇଥିବା ଅନେକ ଛାତ୍ରଛାତ୍ରୀ । କିଏ ଚାକିରି ଛାଡି ପାଠ ପଢିଛି ତ ଆଉ କିଏ ସାଙ୍ଗସାଥୀଙ୍କ ମେଳକୁ ତ୍ୟାଗ କରିଛି, କିଏ ମାଆର ସ୍ବପ୍ନକୁ ପୂରଣ ପାଇଁ ନିଜର ସମସ୍ତ ପ୍ରଚେଷ୍ଟା ଲଗାଇଛି ତ ଆଉ କିଏ ନିଜକୁ ସମାଜ ଆଗରେ ପ୍ରମାଣିତ କରିବା ଲାଗି ରାତି ଅନିଦ୍ରା ହୋଇଛି । ନିଷ୍ଠା, ସଂକଳ୍ପ, ଆତ୍ମବିଶ୍ବାସ, ଦୃଢ ମନୋବଳର ପ୍ରତିଫଳନ ଆଜି ସଫଳତାରେ ଝଲସି ଉଠିଛି । ନିଜ ଆବଶ୍ୟକତା, ପ୍ରେରଣାକୁ ନେଇ ଲକ୍ଷ୍ୟପଥରେ ଆଗେଇ ଆଜି ପାଇଛନ୍ତି ସଫଳତା । କଠିନ ପରୀକ୍ଷା କୁହାଯାଉଥିବା ୟୁପିଏସିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ସମ୍ପର୍କରେ ଆସନ୍ତୁ ଅଧିକ ଜାଣିବା ।
ସୂରଜ ତିୱାରି:-ୟୁପିଏସସି ୨୦୨୨ରେ କୃତକାର୍ଯ୍ୟ ହୋଇଥିବା ସୂରଜ ହେଉଛନ୍ତି ଜଣେ ଦିବ୍ୟାଙ୍ଗ । ୨୦୧୭ରେ ତାଙ୍କ ସହିତ ଘଟିଥିଲା ଭୟଙ୍କର ଘଟଣା । ଟ୍ରେନ ଦୁର୍ଘଟଣାରେ ସେ ୨ ଗୋଡ଼, ଡାହାଣ ହାତ ଓ ବାମ ହାତର ୨ଟି ଆଙ୍ଗୁଠି ହରାଇଥିଲେ । ହେଲେ ଏହି ବଡ଼ ଦୁର୍ଘଟଣା ତାଙ୍କ ମନୋବଳକୁ ଭାଙ୍ଗି ପାରିନଥିଲା । ତାଙ୍କ ପିତା ଜଣେ ଟେଲର । ଏଣୁ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ସତ୍ତ୍ବେ ସେ ନିଜ ଲକ୍ଷ୍ୟପଥରେ ଆଗେଇ ଆଜି ସଫଳତା ହାସଲ କରିଛନ୍ତି । ସେ ୟୁପିଏସସି ୨୦୨୨ ପରୀକ୍ଷାରେ ୯୧୭ ରାଙ୍କରେ ରହିଛନ୍ତି । ଏହି ସଫଳତାର ଶ୍ରେୟ ସେ ନିଜ ପରିବାରକୁ ଦେଇଛନ୍ତି ।