ଓଡିଶା

odisha

ETV Bharat / bharat

Karnataka Election Results: ଦୁର୍ବଳ କଂଗ୍ରେସଠୁ କେମିତି ହାରିଲା ଶକ୍ତିଶାଳୀ ବିଜେପି ?

କାମ ଦେଇଛି କଂଗ୍ରେସର ରଣନୀତି । ସଫଳ ହୋଇଛି ସିଦ୍ଦରମୈୟା ଶିବକୁମାରଙ୍କ ଯୋଡି । କର୍ଣ୍ଣାଟକରୁ ମିଳିଛି କଂଗ୍ରେସକୁ ବୁଷ୍ଟୋର ଡୋଜ । ସବୁ ଏକଜିଟ ପୋଲର ଆକଳନକୁ ଭୁଲ ସାବ୍ୟସ୍ତ କରି କଂଗ୍ରେସ 136 ଆସନରେ ବାଜିମାତ କରିଛି । ଶକ୍ତିଶାଳୀ ବିଜେପିକୁ କ୍ଷମତାଚ୍ୟୁତ କରିବାରେ କଂଗ୍ରେସ କେମିତି ହେଲା ସଫଳ ? କାହିଁକି କର୍ଣ୍ଣାଟକବାସୀ ବିଜେପିକୁ କ୍ଷମତାଚ୍ୟୁତ କଲେ ? ପଢନ୍ତୁ କିଛି କାରଣ

Karnataka Election Results
Karnataka Election Results

By

Published : May 13, 2023, 4:48 PM IST

Updated : May 13, 2023, 4:54 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସର ବମ୍ପର ବିଜୟ । ଶକ୍ତିଶାଳୀ ବିଜେପିକୁ ସଫା କରିଦେଲା ହାତ । ୨୦୧୮ ବିଧାନସଭା ନିର୍ବାଚନର ତ୍ରୁଟି ସୁଧାରି ବିଜେପିକୁ ଚେକ ଦେବାରେ ସଫଳ ହେଲା କଂଗ୍ରେସ । କାମ ଦେଇଛି କଂଗ୍ରେସର ରଣନୀତି। ସଫଳ ହୋଇଛି ସିଦ୍ଦରମୈୟା ଶିବକୁମାରଙ୍କ ଯୋଡି । କର୍ଣ୍ଣାଟକରୁ ମିଳିଛି କଂଗ୍ରେସକୁ ବୁଷ୍ଟୋର ଡୋଜ। ସବୁ ଏକଜିଟ ପୋଲର ଆକଳନକୁ ଭୁଲ ସାବ୍ୟସ୍ତ କରି କଂଗ୍ରେସ 136 ଆସନରେ ବାଜିମାତ କରିଛି । ବିଜେପି 60ରୁ ଅଧିକ ଆସନ ପାଇଁ ଏବେ ସଂଘର୍ଷ କରୁଛି । ଏତେ ବଡ ବିଜୟ ପରେ ପ୍ରଶ୍ନ ଉଠୁଛି କଂଗ୍ରେସକୁ କେମିତି ମିଳିଲା ସଫଳତା ? ଶକ୍ତିଶାଳୀ ବିଜେପିକୁ କ୍ଷମତାଚ୍ୟୁତ କରିବାରେ କଂଗ୍ରେସ କେମିତି ହେଲା ସଫଳ ? କିଙ୍ଗମେକର ହେବାକୁ ଆଶାବାନ୍ଧିଥିବା ଜେଡିଏସ କେଉଁଠି ଗଲା ଅଟକି ? ପୁରା ରାଜ୍ୟରେ କଂଗ୍ରେସ ଛାଇ ଯିବାର କାରଣ କଣ ? କାହିଁକି କର୍ଣ୍ଣାଟକବାସୀ ବିଜେପିକୁ କ୍ଷମତାଚ୍ୟୁତ କଲେ? ପଢନ୍ତୁ କିଛି କାରଣ

ଏହାବି ପଢନ୍ତୁ- Karnataka poll results: କଂଗ୍ରେସ ଜିତିଲା, ହାରିଗଲେ ଶେଟ୍ଟର

କମିଶନ କଳଙ୍କ ବିଜେପିକୁ କଣ୍ଟା:- କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରରେ ବିଜେପି ବ୍ୟାକଫୁଟରେ ଥିଲା। କଂଗ୍ରେସର ଅଭିଯୋଗକୁ ସଠିକ ଢଙ୍ଗରେ ଜବାବ ଦେଇପାରିନଥିଲା ବିଜେପି । ପୁରା ନିର୍ବାଚନ ପ୍ରଚାରରେ କଂଗ୍ରେସ ୪୦ ପ୍ରତିଶତ କମିଶନ ପ୍ରସଙ୍ଗ ନେଇ ଘେରିଥିଲା ବିଜେପିକୁ । ରାଜ୍ୟରେ ନିଯୁକ୍ତି, ଟେଣ୍ଡର, ବିଭିନ୍ନ କାର୍ଯ୍ୟକ୍ରମ ସମେତ ମଠ ମନ୍ଦିରରୁ ଯେକୌଣସି କାମ ପାଇଁ ୪୦ ପ୍ରତିଶତ କମିଶନ ନଦେଲେ ହେଉ ନଥିବା ଅଭିଯୋଗ କରିଥିଲା କଂଗ୍ରେସ । ଯାହାର ସଠିକ ଜବାବ ଦେଇପାରିନଥିଲା ବିଜେପି। ଯଦିଓ ପ୍ରଚାରର ଶେଷ ମୂହୁର୍ତ୍ତରେ ଅମିତ ଶାହ ଏହାର କାଉଣ୍ଟର କରି ପ୍ରମାଣ ଥିଲେ କୋର୍ଟ ଯିବାକୁ କଂଗ୍ରେସକୁ ଆଟାକ କରିଥିଲେ । କିନ୍ତୁ ଏହା ଫଳପ୍ରଦ ହୋଇପାରିନଥିଲା ।

ମୁଖ୍ୟମନ୍ତ୍ରୀ ଯାଏଁ ଭ୍ରଷ୍ଟାଚାରର ଅଭିଯୋଗ:- ପୁରା ନିର୍ବାଚନ ପ୍ରଚାରରେ କଂଗ୍ରେସ ଭ୍ରଷ୍ଟାଚାରକୁ ବଡ ମୁଦ୍ଦା କରିଥିଲା। ବିଜେପି ବିରୋଧରେ ଭ୍ରଷ୍ଟାଚାରର ଅଭିଯୋଗ କରି କରି ଦଳ ସିଧା ମୁଖ୍ୟମନ୍ତ୍ରୀଙ୍କ ଯାଏଁ ପହଞ୍ଚିଗଲା । ବିଜେପି ସମେତ ମୁଖ୍ୟମନ୍ତ୍ରୀ ମଧ୍ୟ ଭ୍ରଷ୍ଟାଚାରରେ ଲିପ୍ତ ବୋଲି କଂଗ୍ରେସ ଅଭିଯୋଗ ଆଣିଲା । ବିଜେପି ଏହାର ସଠିକ କାଉଣ୍ଟର ପରିବର୍ତ୍ତେ ରାଷ୍ଟ୍ରବାଦ ପ୍ରସଙ୍ଗକୁ ଜୋର ଦେଲା । ୪୦ ପ୍ରତିଶତ କମିଶନୀ ସରକାର ଅଭିଯୋଗକୁ କଂଗ୍ରେସ ଏକ ନାରା କରିଦେଲା । ଏହା ଦ୍ବାରା ସରକାର ବିରୋଧରେ ଧୀରେ ଧୀରେ ସରକାରୀ ବିରୋଧୀ ମାହୋଲ ସୃଷ୍ଟି ହେବାର ଲାଗିଲା । ଯାହାକୁ ନିୟନ୍ତ୍ରଣ କରିବାରେ ବିଜେପି ବିଫଳ ହେଲା ।

ଅସ୍ପଷ୍ଟ ମୁଖ୍ୟମନ୍ତ୍ରୀ ଚେହେରା:-ବିଜେପିର ବଡ ସମସ୍ୟା ଥିଲା ମୁଖ୍ୟମନ୍ତ୍ରୀ ଚେହେରା । ଦଳ କ୍ଷମତା ବଜାୟ ରଖିଲେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ କରିନଥିଲା । ଯଦିଓ ଦଳ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ନେତୃତ୍ବରେ ଲଢିଥିଲା । କିନ୍ତୁ ନିର୍ବାଚନ ପରେ ସେ ମୁଖ୍ୟମନ୍ତ୍ରୀ ରହିବେ ନା ଆଉ କିଏ ହେବେ ତାହା ସ୍ପଷ୍ଟ କରିନଥିଲା ଦଳ । କାରଣ ବିଜେପି ବିଏସ ୟେଦ୍ଦିରପ୍ପାଙ୍କୁ ଅଧାରୁ ହଟାଇ ଦେଇଥିଲା । ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ ମଧ୍ୟ ତାଙ୍କ ନେତୃତ୍ବକୁ ବିଜେପିର ଏକ ଗୋଷ୍ଠୀ ଗ୍ରହଣ କରିପାରୁନଥିଲା । ବିଜେପି ରାଜ୍ୟରେ ଏକ ଦକ୍ଷ ଶକ୍ତିଶାଳୀ ସ୍ବଚ୍ଛ ମୁଖ୍ୟମନ୍ତ୍ରୀ ଚେହେରା ଉପସ୍ଥାପନ କରିପାରିନଥିଲା । ଅର୍ଥାତ ରାଜ୍ୟରେ ବିଜେପି ୟେଦ୍ଦିରପ୍ପାଙ୍କ ଉତ୍ତରାଧିକାରୀ ବାଛିବାରେ ବିଫଳ ହୋଇଥିଲା । ସେପଟେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ ନଥିଲେ ମଧ୍ୟ ଡିକେ ଶିବ କୁମାର ଓ ସିଦ୍ଦରମୈୟାଙ୍କ ମଧ୍ୟରୁ କିଏ ଜଣେ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ଥିଲା । ଉଭୟ ନେତାଙ୍କ ମଧ୍ୟ ଲୋକପ୍ରିୟତା, ଦକ୍ଷତା, ସଂଗଠନ ରହିଛି । ବିଜେପି କେବଳ ପ୍ରଧାନମନ୍ତ୍ରୀଙ୍କ ଭରସାରେ ରହିଲା । ସ୍ଥାନୀୟ ଦକ୍ଷ ନେତାଙ୍କ ଅଭାବ କାରଣରୁ ପ୍ରଧାନମନ୍ତ୍ରୀ ବି ଗ୍ରହଣୀୟ ହୋଇପାରିଲେ ନାହିଁ ବିଧାନସଭା ନିର୍ବାଚନରେ । ଯାହାକୁ ନେଇ କର୍ଣ୍ଣାଟକ ଜନତା କାହାକୁ ସମର୍ଥନ କରିବେ ସହଜରେ ନିଷ୍ପତ୍ତି ନେଇପାରିଥିଲେ।

ଏହାବି ପଢନ୍ତୁ- କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଛି, ପ୍ରେମର ଦୋକାନ ଖୋଲିଛି: ରାହୁଲ

କାମ ଦେଲା କଂଗ୍ରେସର କରପ୍ସନ କାର୍ଡ:- ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ବିଭିନ୍ନ ଖବର କାଗଜରେ ବିଜେପି ବିରୋଧରେ କରପ୍ସନ କାର୍ଡ ଜାରି କଲା । ଯାହା ଜନତାଙ୍କ ଉପରେ ସିଧା ସଳଖ ପ୍ରଭାବ ପକାଇଥିଲା। କଂଗ୍ରେସ ଅଭିଯୋଗ କରିଥିଲା ମୁଖ୍ୟମନ୍ତ୍ରୀ ପଦ ଠାରୁ ଆରମ୍ଭ କରି ତୃତୀୟ ଶ୍ରେଣୀ କର୍ମଚାରୀ ପର୍ଯ୍ୟନ୍ତ କେଉଁଠି କେତେ ବିଜେପି କମିଶନ ନେଇଥାଏ ତାହାର ତାଲିକା କଂଗ୍ରେସ ଖବର କାଗଜରେ ପ୍ରକାଶିତ କରିଥିଲା । ଯାହା ସିଧା ସଳଖ ବିଜେପି ବିରୋଧରେ ଯାଇଥିଲା । ବିଜେପି ଏହାର ମଧ୍ୟ କାଉଣ୍ଟର କରିପାରିନଥିଲା । ଆଉ ବଡ ବିପର୍ଯ୍ୟୟ ଭୋଗିଲା ।

କଂଗ୍ରେସକୁ ଦୁର୍ବଳ ଭାବିବା ପଡିଲା ମହଙ୍ଗା:- କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଅତି ଆତ୍ମବିଶ୍ବାସୀ ହୋଇପଡିଲା । ଦଳ ଧରିନେଇଥିଲା ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀଙ୍କ ରଣନୀତିରେ ପାର ହୋଇଯିବ । ନିର୍ବାଚନ ଯେଉଁ ଭଳି ଢଙ୍ଗରେ ଯେଉଁ ପ୍ରସଙ୍ଗରେ, ଯେଉଁ ରଣନୀତିରେ ଲଢିବା କଥା ବିଜେପି ଲଢିଲା ନାହିଁ। ବିଜେପିର ଅତିଆତ୍ମବିଶ୍ବାସ ହିଁ ବିଜେପିକୁ ପରାସ୍ତ କରିଦେଲା ।

କର୍ଣ୍ଣାଟକ ନିର୍ବାଚନରେ ବିଜେପିର ପ୍ରଥମ ଭୁଲ ଥିଲା ସ୍ଥାନୀୟ ପ୍ରସଙ୍ଗକୁ ଅଣଦେଖା କରିବା । ରାଜ୍ୟ ବୃହତର ସ୍ବାର୍ଥ, ସାଧାରଣ ଲୋକଙ୍କ ସମସ୍ୟା, ବିଭିନ୍ନ ବର୍ଗର ଦାବିକୁ ବିଜେପି ଅଣଦେଖା କଲା। ବିଜେପି କେବଳ ରାଷ୍ଟ୍ରବାଦ, ଅନ୍ତର୍ଜାତୀୟସ୍ତରରେ ଦେଶର ଛବି, ଧର୍ମ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହେଉଥିବା ବ୍ୟକ୍ତିଗତ ସମାଲୋଚନାକୁ ପ୍ରସଙ୍ଗ କଲା । ଲୋକଙ୍କ ଭାବନାକୁ ବୁଝିବା ବଦଳରେ ବିଜେପି ବ୍ୟୟ ବହୁଳ ହାଇଟେକ ପ୍ରଚାରକୁ ଗୁରୁତ୍ବ ଦେଲା ।

ବିଜେପି ଯେଉଁ ପ୍ରସଙ୍ଗରେ ନିର୍ବାଚନ ଲଢିଲା ସେହି ପ୍ରସଙ୍ଗ ସହିତ ଜଣେ ସାଧାରଣ ଭୋଟରର କୌଣସି ସମ୍ପର୍କ ନଥିଲା । କଂଗ୍ରେସ କିନ୍ତୁ ଯୋଜନାବଦ୍ଧ ଭାବେ ସ୍ଥାନୀୟ ପ୍ରସଙ୍ଗକୁ ମୁଦ୍ଦା କଲା। କଂଗ୍ରେସ ଜିତିଲେ କର୍ଣ୍ଣାଟକ ସାଧାରଣ ଲୋକଙ୍କ ପାଇଁ କଣ କରିବ, କାହିଁକି ଲୋକେ କଂଗ୍ରେସକୁ ଭୋଟ ଦେବା ଦରକାର ତାହା ସ୍ପଷ୍ଟ ଭାବେ ଦଳ ଲୋକଙ୍କ ସମ୍ମୁଖରେ ରଖଥିଲା । ବିଜେପି ଏକ ପ୍ରକାର କଂଗ୍ରେସକୁ ଦୁର୍ବଳ ଭାବି ନିର୍ବାଚନ ଲଢିଲା । ଯାହା ଦଳକୁ ଭାରିପଡିଲା ।

ଫେଲ ମାରିଲା ଧ୍ରୁବୀକରଣ:- ବିଜେପିର ଧ୍ରୁବୀକରଣ ରାଜନୀତି କର୍ଣ୍ଣାଟକରେ ଫେଲ ମାରିଛି । ନିର୍ବାଚନ ପ୍ରଚାରରେ ବିଜେପି କଂଗ୍ରେସକୁ ହିନ୍ଦୁ ବିରୋଧୀ ଦର୍ଶାଇବାକୁ ଭରପୂର ଉଦ୍ୟମ କଲା। କଂଗ୍ରେସ ନିଜ ଇସ୍ତାହାରରେ କଟ୍ଟରପନ୍ଥୀ ସଂଗଠନ ସମେତ ବଜରଙ୍ଗ ଦଳକୁ ବ୍ୟାନ କରିବା ପାଇଁ ଘୋଷଣା କରିଥିଲା। ଏହାକୁ ବିଜେପି ବଡ ମୁଦ୍ଦା ଧରି ନେଇ କଂଗ୍ରେସ ବିରୋଧରେ ଗର୍ଜନ କଲା । ହଠାତ ପୁରା ନିର୍ବାଚନ ପ୍ରକ୍ରିୟାକୁ ବଜରଙ୍ଗବଲୀ ଆସିଗଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିର୍ବାଚନ ରାଲିରେ ବଜରଙ୍ଗବଲୀ ନାରା ଲଗାଇଥିଲେ । କଂଗ୍ରେସର ଡିକେ ଶିବ କୁମାର କିନ୍ତୁ ବିଜେପିର ଏହି ରଣନୀତିକୁ ବିଫଳ କରିବାରେ ସଫଳ ହେଲେ। ବଜରଙ୍ଗବଲୀ ମନ୍ଦିର ନିର୍ମାଣ କରିବା ଘୋଷଣା କରି ଡିକେ ଶିବ କୁମାର ବାଜି ଓଲଟାଇ ଦେଇଥିଲା । ବିଜେପିର ଏହି ରଣନୀତି ମଧ୍ୟ ଫେଲ ମାରିଲା।

ଲିଙ୍ଗାୟତ ସମ୍ପ୍ରଦାୟକୁ ଭୋଟ ବ୍ୟାଙ୍କ ବୁଝିବା ମହଙ୍ଗା ପଡିଲା:- କୁହାଯାଏ ଲିଙ୍ଗାୟତ ସମ୍ପ୍ରଦାୟ ହେଉଛନ୍ତି ବିଜେପିର ବିଶ୍ବସନୀୟ ଭୋଟର । ଏହି ସମ୍ପ୍ରଦାୟ ପାରମ୍ପରିକ ଭାବେ ବିଜେପିକୁ ସମର୍ଥନ ଦେଇ ଆସିଥାନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଗାଦିରୁ ବିଏସ ୟେଦ୍ଦିରପ୍ପାଙ୍କୁ ହଟାଇବା ତାଙ୍କ ସ୍ଥାନରେ ବୋମ୍ମାଇଙ୍କୁ ଆଣିବା ବିଜେପିକୁ ମହଙ୍ଗା ପଡିଛି । ୟେଦ୍ଦିରୁପ୍ପାଙ୍କ ସହ ପୁରା ଲିଙ୍ଗାୟତ ସମ୍ପ୍ରଦାୟ ବିଜେପିର ଏହି ନିଷ୍ପତ୍ତିରେ ଅସନ୍ତୋଷ ଥିଲେ । ପୁଣି ନିର୍ବାଚନ ସମୟରେ ଜଗଦିଶ ଶେଟ୍ଟର ଦଳ ଛାଡି କଂଗ୍ରେସକୁ ଯିବା ମଧ୍ୟ ବିଜେପିର କ୍ଷତି ହୋଇଛି । ଦୁଇ ଜଣ ବରିଷ୍ଠ ଲିଙ୍ଗାୟତ ନେତା ଦଳରେ ଉପେକ୍ଷିତ ହେବା ପରେ ଲିଙ୍ଗାୟତ ମାନେ କଂଗ୍ରେସକୁ ସମର୍ଥନ କରିଥିବା କୁହାଯାଉଛି । କୁହାଯାଇପାରେ ଲିଙ୍ଗାୟତ ସମ୍ପ୍ରଦାୟଙ୍କୁ ବିଜେପି କେବଳ ଭୋଟ ବ୍ୟାଙ୍କ ବୁଝିବା ମହଙ୍ଗା ପଡିଛି ।

ଅନ୍ୟ ବର୍ଗକୁ ବି ଅଣଦେଖା ବିଜେପିକୁ ପଡିଲା ମହଙ୍ଗା:ସଂଖ୍ୟାଲଘୁ ସମ୍ପ୍ରଦାୟର କୋଟା ହଟାଇ ବିଜେପି ମୂଳରୁ ଏକ ନିର୍ଦ୍ଦିଷ୍ଟ ଭୋଟ ବ୍ୟାଙ୍କ ଉପରେ ଚୋଟ ମାରିଥିଲା । ବିଜେପିର ବିଶ୍ବାସ ଥିଲା ଏହି ସମ୍ପ୍ରଦାୟର ଭୋଟ ନମିଳିଲେ ମଧ୍ୟ ବିଜେପି କ୍ଷମତା ଦଖଲ କରିପାରିବ। କିନ୍ତୁ ୱକ୍କାଲିଗା, ଓବିସି, ଏସସି, ଏସଟି, ସଂଖ୍ୟାଲଘୁ, ବ୍ରାହ୍ମଣ ବର୍ଗର ଭୋଟର ମଧ୍ୟ ବିଜେପିର କିଛି କାର୍ଯ୍ୟକ୍ରମରେ ଖୁସି ନଥିଲେ। ରାଜ୍ୟରେ ୱକ୍କାଲିଗା ୧୫ ପ୍ରତିଶତ, ଓବିସି ୩୫ ପ୍ରତିଶତ, ଏସସି-ଏସଟି ୧୮, ମୁସଲିମ ୧୨.୯୨, ବ୍ରାହ୍ମଣ ୩ ପ୍ରତିଶତ ଭୋଟର ରହିଛନ୍ତି । ଏହି ଭୋଟରଙ୍କୁ ମଧ୍ୟ ବିଜେପି ନିଜ ଲକ୍ଷ୍ୟ, ଯୋଜନା ବୁଝାଇବାରେ ବିଫଳ ହୋଇଛି । ସରକାର ବିରୋଧୀ ହାୱାରେ ଏହି ବର୍ଗର ଭୋଟର ମଧ୍ୟ ବିଜେପି ଠାରୁ ଦୂରେଇ ଗଲେ। ଏହି ସମସ୍ତ ଡାମେଜ କଣ୍ଟ୍ରୋଲ କରିବାରେ ସଫଳ ହେଲା ନାହିଁ ବିଜେପି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନିର୍ବାଚନରେ ବିଜେପିର ବହୁ ମନ୍ତ୍ରୀଙ୍କର ମଧ୍ୟ ପରାଜୟ ହୋଇଛି । ଏକ ସ୍ବଚ୍ଛ ଦକ୍ଷ ନେତା ଥିବା ଡି ସୁଧାକର, ସିଟି ରବିଙ୍କ ଭଳି ନେତା କଂଗ୍ରେସର କରାମତି ଆଗରେ ଧରାଶାୟୀ ହୋଇପଡିଛନ୍ତି । କଂଗ୍ରେସ ବିଜେପିର ବହୁ ରଥୀମହାରଥୀ ନେତାଙ୍କୁ ପରାସ୍ତ କରିଛି । ଖାଲି ଏତିକି ନୁହେଁ ବିଜେପି ଅନେକ ଯୁବ ଓ ପ୍ରୋଫେସନାଲଙ୍କୁ ଟିକେଟ ଦେଇ ଯେଉଁ ବାଜି ଖେଳିଥିଲା ତାହା ମଧ୍ୟ ବିଫଳ ହୋଇଛି । କର୍ଣ୍ଣାଟକ ନିର୍ବାଚନରେ ବିଜେପି ରାଜ୍ୟ ଶାଖାକୁ ଯେତିକି ଓ ଯେଉଁଭଳି ସହାୟତା କରିବା କଥା କରିଛି । କିନ୍ତୁ ରାଜ୍ୟ ନେତା ମାନେ ଅତ୍ୟଧିକ କେନ୍ଦ୍ରୀୟ ନେତାଙ୍କ ଉପରେ ଭରସା କଲେ। ରାଜ୍ୟ ନେତା ଆତ୍ମନିର୍ଭରଶୀଳ ହେବା ପରିବର୍ତ୍ତେ ଆତ୍ମନିର୍ଭର ହେଲେ। ଯାହା ବିଜେପିକୁ ଆଉ ଏକ ଝଟକା ଦେଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 13, 2023, 4:54 PM IST

ABOUT THE AUTHOR

...view details