ହାଇଦ୍ରାବାଦ : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତଥା ବିଜୟାନନ୍ଦ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ସେ ଖାଲି ବିଜୁବାବୁ ନଥିଲେ... କିଏ କହେ ତାଙ୍କୁ କଳିଙ୍ଗ ବୀର କିଏ କହେ ଭୂମିପୁତ୍ର ତ କିଏ କହେ ଆଧୁନିକ ଖାରବେଳ । କିଏ କହେ ପୁଣି ଝଡର ଇଗଲ । କିନ୍ତୁ ସେଥିଲେ କଳିଙ୍ଗ ମାଟି ଉତ୍କଳ ଜନୀନର ସୁପୂତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟର ଲୋକପ୍ରିୟ ରାଜନେତା । ଓଡିଶାର ବିଶ୍ବକର୍ମା । ଦେଶ ବିଦେଶର କୋଟି କୋଟି ଓଡିଆଙ୍କ ପ୍ରତୀକ ବିଜୁ ବାବୁ ତଥା ବିଜୟାନନ୍ଦ ପଟ୍ଟନାୟକ ।
ରାଜ୍ୟର ସର୍ବ ପୁରାତନ କଟକ ସହରର ତୁଳସୀପୁର ସ୍ଥିତ ଆନନ୍ଦ ଭବନରେ ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ମାତା ଆଶାଲତାଙ୍କ କୋଳରେ 1916 ମସିହା ଆଜିର ଦିନରେ ଏହି ଜନନାୟକ, ପ୍ରବାଦ ପୁରୁଷ, ଅପ୍ରଦ୍ବନ୍ଦି ରାଜନେତା, ପାଇଲଟ ଧରାପୃଷ୍ଠକୁ ଅବତରଣ କରିଥିଲେ । କଟକ ମିଶନ ସ୍କୁଲରୁ ପ୍ରାଥମିକ ଶିକ୍ଷା ପରେ ରେଭେନ୍ସା କଲିଜିଏଟ ସ୍କୁଲରୁ ଉଚ୍ଚ ଶିକ୍ଷା ସମାପ୍ତ କରିଥିଲେ ବିଜୁବାବୁ ।
ବିଜୁବାବୁ ଥିଲେ ଉଦ୍ୟମୀ ସାହାସୀ, ସ୍ବାଧିନତା ସଂଗ୍ରାମୀ ଓ ବଡ ସ୍ବପ୍ନ ଦେଖୁଥିବା ବ୍ୟକ୍ତିତ୍ବ । କଟକରେ ପାଠ ପଢୁଥିବା ବେଳେ କଟକରୁ ସୀମାନ୍ତ ପେଶାୱାର ପର୍ଯ୍ୟନ୍ତ ସାଇକେଲରେ ଯାତ୍ରା କରି ବଡ ଦୁଃସାହାସିକ ଦକ୍ଷତାର ପରିଚୟ ଦେଇଥିଲେ । ପାଇଲଟ ହେବା ପରେ ବଦଳି ଯାଇଥିଲା ତାଙ୍କ ଜୀବନର ଲକ୍ଷ୍ୟ ଓ ନିଷ୍ଠା । ରାଜନୀତିରେ ଅଳ୍ପ କେତେ ବର୍ଷ କ୍ଷମତାରେ ରହିଥିଲେ ମଧ୍ୟ ବିଜୁ ବାବୁ ରାଜନୀତି ବାହାରେ ଥିଲେ ଚର୍ଚ୍ଚିତ ଓ ଆଧୁନିକ ଓଡିଶାର ନିର୍ମାତା । ରାଜ୍ୟକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ସେ ଆରମ୍ଭ କରିଥିଲେ ମିଶନ ।
ବିଜୁ ବାବୁଙ୍କ ସ୍ବପ୍ନର ପ୍ରକଳ୍ପ ମଧ୍ୟରେ ସର୍ବାଗ୍ରେ ରହିଛି ପାରାଦୀପ ବନ୍ଦର । ପାରାଦୀପକୁ ବିଶ୍ବରେ ଏକ ବଡ ବନ୍ଦର ଭାବେ ଗଢି ତୋଳିବା ପାଇଁ ସେ ରଚିଥିଲେ ରଚନା । ତଥ୍ୟ ଓ ଆବଶ୍ୟକତାକୁ ଧରି କେନ୍ଦ୍ର ସରକାରଙ୍କ ନିକଟରେ ରଖିଥିଲେ ଦୃଢ ଦାବି । ତାପରେ ଆରମ୍ଭ ହୋଇଥିଲା ପାରାଦୀପ ବନ୍ଦରର ପରିକଳ୍ପନା । ଆଜି ପାରାଦୀପ ଯେଉଁଠି ପହଞ୍ଚିଛି ସେଥିରେ ରହିଛି ବିଜୁବାବୁଙ୍କ ଅବଦାନ । ସେହିପରି ଅନୁଗୋଳରେ ନାଲକୋ, ରାଉରକେଲା ଇସ୍ପାତ ପ୍ଲାଣ୍ଟର ସମ୍ପ୍ରସାରଣ, ଓଡିଶା ଟେକ୍ସଟାଇଲ, କଳିଙ୍ଗ ଏୟାର ଲାଇନ୍ସ ଭଳି ବୃହତ ଶିଳ୍ପ ପ୍ରତିଷ୍ଠା କରି ରାଜ୍ୟକୁ ଆଧୁନିକ ଭାବେ ଗଢିବାକୁ ମୂଳଦୂଆ ପକାଇଥିଲେ ।
ବିଜୁବାବୁଙ୍କ ଐତିହାସିକ ନିଷ୍ପତି
ବିଜୁବାବୁ ଖାଲି ଯେ ଜଣେ ଶିଳ୍ପ ଉଦ୍ୟୋଗୀ ନଥିଲେ । ଜଣେ ସଫଳା ରାଜନେତା ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ନିଜ ମୁଖ୍ୟମନ୍ତ୍ରୀତ୍ବ କାଳରେ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ 33 ପ୍ରତିଶତ ସ୍ଥାନ ସଂରକ୍ଷଣ, ଦୈନିକ ସର୍ବନିମ୍ନ ମଜୁରୀ 10 ଟଙ୍କାରୁ 25 ଟଙ୍କାକୁ ବୃଦ୍ଧି, ମହିଳାଙ୍କୁ ପୋଲିସ କ୍ଷମତା ପ୍ରଦାନ, ରାଜ୍ୟରେ ଜିଲ୍ଲା ସଂଖ୍ୟା ବୃଦ୍ଧି କରି ସାରା ଦେଶରେ ଚର୍ଚ୍ଚାରେ ଥିଲେ ।
ବିଜୁ ବାବୁଙ୍କ ଅବଦାନ...