ନୂଆଦିଲ୍ଲୀ: ଫଟୋଗ୍ରାଫି କାହା ପାଇଁ ପେଶା ତ ଆଉ କାହା ପାଇଁ ନିଶା । ଏଥିରେ ଭରି ରହିଥାଏ ଆବେଗ । ମଣିଷର ଆଖି ଯାହା ନଦେଖିପାରେ ତାକୁ କ୍ୟାମେରା ଦେଖିପାରେ । ଗୋଟିଏ ଫଟୋ ହଜାରେ ଶବ୍ଦର କଥା କହେ । ଜଡବସ୍ତୁକୁ ବି କରିପାରେ ଜୀବନ୍ତ । ସାଧନା, ସମର୍ପଣ ଓ ସୃଜନଶୀଳତାର ସମାହାର ହେଉଛି ଫଟୋଗ୍ରାଫି । ଆଉ ଏହି ଫଟୋଗ୍ରାଫି ପଛରେ ଲୁଚି ରହିଥାଏ ଜଣେ ଫଟୋଗ୍ରାଫରର ଦର୍ଶନ ।
ଆଜି ଆମେ ଲେଖୁଛୁ କ୍ୟାମେରା ଧରି ନିଜ ଦର୍ଶନକୁ ଲେନ୍ସରେ କଏଦ କରିପାରୁଥିବା ଜଣେ ଫଟୋଗ୍ରାଫରର କାହାଣୀ, ଯିଏ ୧୫ ବର୍ଷରୁ ଅଧିକ ସମୟ ଧରି କ୍ରୀଡା ଫଟୋଗ୍ରାଫିକୁ କରିଛନ୍ତି ନିଜ ପେଶା । କ୍ରିକେଟ ବିଶ୍ବକପ ହେଉ କି ଟେନିସ ଟୁର୍ଣ୍ଣାମେଣ୍ଟ ଅବା ଟୋକିଓ ଅଲମ୍ପିକ, ସବୁଥିରେ ରହିଛି ତାଙ୍କର ସୃଜନଶୀଳତାର ଛାପ ।
ପୂର୍ବତନ ବ୍ୟାଙ୍କ କର୍ମଚାରୀ ଶେଷାଦ୍ରୀ ସୁକୁମାର, ଯାହାଙ୍କ ସୃଜନଶୀଳତା ସ୍ପୋର୍ଟ୍ସ ଫଟୋଗ୍ରାଫି କ୍ଷେତ୍ରରେ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ବୃତ୍ତିରେ ସେ ଜଣେ ଥିଲେ ବ୍ୟଙ୍କ କର୍ମଚାରୀ । ହେଲେ ଛୋଟବେଳୁ ନିଶା ତାଙ୍କର ଥିଲା ଫଟୋଗ୍ରାଫି । ହେଲେ ଏକାସାଙ୍ଗରେ ଉଭୟକୁ ପେଶା କରି ନିଜ କ୍ୟାରିଅରର ଆରମ୍ଭ କରିଥିଲେ । ବ୍ୟାଙ୍କରୁ ଅବସରର ନେବାର କିଛି ବର୍ଷ ପୂର୍ବରୁ କ୍ରୀଡା ଫଟୋଗ୍ରାଫିକୁ ନିଜର ଏକମାତ୍ର ପେଶା ରୂପେ ସାଙ୍ଗରେ ନେଇ ଆଗେଇ ଚାଲିଛନ୍ତି ଶେଷାଦ୍ରୀ ।
ବିଗତ 15 ବର୍ଷ ମଧ୍ୟରେ ଶେଷାଦ୍ରୀ ଟୋକିଓ ଅଲିମ୍ପିକ୍ସ ସମେତ ବିଶ୍ବର ଅନ୍ୟ ସମସ୍ତ କ୍ରୀଡା ଇଭେଣ୍ଟକୁ କରିଛନ୍ତି କଭର । ସେ ଏକାଧିକ ଅଲିମ୍ପିକ୍ସ, ଏସୀୟ କ୍ରୀଡା, ଟେନିସ୍ ଟୁର୍ଣ୍ଣାମେଣ୍ଟ, କ୍ରିକେଟ୍ ବିଶ୍ବକପ୍, ଆଇପିଏଲ ଏବଂ ଅନ୍ୟାନ୍ୟ ଟୁର୍ଣ୍ଣାମେଣ୍ଟକୁ ନିଜ କ୍ୟାମେରାରେ କରିଛନ୍ତି କଏଦ । ଭାରତ ତଥା ବିଶ୍ବର ଅନ୍ୟ ସମସ୍ତ ଆଥଲେଟଙ୍କ ଫଟୋ ଉଠାଇଛନ୍ତି ସୁକୁମାର ।