ହାଇଦ୍ରାବାଦ: ଚାଲିଛି ବିବାହ ଋତୁ । ଯୁଆଡେ ଦେଖିବ ସିଆଡେ ବାହାଘର । କୋରୋନା ଯୋଗୁଁ ଫିକା ପଡିଯାଇଛି ସତ, କିନ୍ତୁ ଅଳ୍ପ ଲୋକରେ ମଧ୍ୟ ବାହାଘର ହୋଇଯାଉଛି । ଓଲିଉଡରୁ ବଲିଉଡ ପର୍ଯ୍ୟନ୍ତ ସବୁଆଡେ ସାହାନାଇର ସ୍ବର । ସୋସିଆଲ ମିଡିଆରେ ଘୁରି ବୁଲୁଛି ନବବିବାହିତା ଦମ୍ପତିଙ୍କ ଫଟୋ । ତେଣିକି ସେ ହଳଦୀ ରସମର ଫଟୋ ହେଉ କି ବରଯାତ୍ରୀଙ୍କ ଡ୍ୟାନ୍ସ । କୋରୋନା ପ୍ରକୋପ କମିବା ପରେ ଧୀରେ ଧୀରେ ପର୍ଯ୍ୟଟନସ୍ଥଳ ଖୋଲିବାରେ ଲାଗିଲାଣି । ତେଣୁ ଆପଣ ମଧ୍ୟ ଅନ୍ୟମାନଙ୍କ ପରି ହନିମୁନ ଟ୍ରିପ ପାଇଁ ପ୍ଲାନ କରନ୍ତୁ । ଆଉ ନିଜ ଜୀବନସାଥୀ ସହ କିଛି ସୁନେଲି ମୁହୂର୍ତ୍ତ ବିତାନ୍ତୁ । ଯାହା ଆପଣଙ୍କ ଜୀବନର ଏକ ଅଭୁଲା ଦିନ ହୋଇ ରହିଯିବ । ତେବେ ଏଥିପାଇଁ ବିଦେଶ ମଧ୍ୟ ଯିବା ଆବଶ୍ୟକ ନାହିଁ ।
ଭାରତରେ ଏମିତି ବହୁ ସୁନ୍ଦର ଜାଗା ଅଛି, ଯାହା ଆପଣଙ୍କ ହନିମୁନ ପାଇଁ ବେଷ୍ଟ ପ୍ଲେସ ହେବ । ବଜେଟ୍ ବି ବେଶୀ ଲାଗିବ ନାହିଁ । କମ୍ ବଜେଟ୍ରେ ଜୀବନର କିଛି ଖୁସି କିଣି ଆଣନ୍ତୁ । ଚାଲନ୍ତୁନା ଜାଣିବା ଭାରତରେ ଏମିତି କେଉଁ କେଉଁ ସ୍ଥାନ ଅଛି, ଯାହା ହନିମୁନ ପାଇଁ ବେଶ୍ ଲୋକପ୍ରିୟ...
କେରଳ(Kerala):
ଈଶ୍ବରଙ୍କ ନିଜ ଦେଶ(God's Own Country) କୁହାଯାଉଥିବା କେରଳ ନିଜର ଅଦ୍ଭୁତ ସୌନ୍ଦର୍ଯ୍ୟ ପାଇଁ ବେଶ୍ ଲୋକପ୍ରିୟ । ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ କେରଳ ହୋଇଥିବାବେଳେ ପ୍ରତିବର୍ଷ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ପ୍ରାକୃତିକ ବୃକ୍ଷରାଜିରେ ଭରପୂର କେରଳ ସହର ନବବିବାହିତା ଦମ୍ପତିଙ୍କୁ ନିଜ ଆଡକୁ ଟାଣିଥାଏ । ଏଠାରେ ହାଉସ୍ବୋଟରେ ବସି ବୁଲିବାର ମଜା ଖୁବ୍ ନିଆରା । କେରଳର ଇରାଭିକୁଲାମ ଜାତୀୟ ପାର୍କ(Eravikulam National Park) , ଭାରକାଲା ବେଳାଭୂମି(Varkala Beach), ସାଇଲେଣ୍ଟ ଭ୍ୟାଲି ଜାତୀୟ ପାର୍କ(Silent Valley National Park), ୱାୟନାଡ ୱାଇଲ୍ଡଲାଇଫ୍ ସେଞ୍ଚୁରୀ(Wayanad Wildlife Sanctuary), ଟି ମ୍ୟୁଜିୟମ୍(Tea Museum) ଭଳି ଖୁବ୍ ସୁନ୍ଦର ବେଳାଭୂମି ଓ ହ୍ରଦ ଅଛି । ସବୁଜ ବନଲତାରେ ଭରପୁର କେରଳକୁ ପ୍ରତିବର୍ଷ ସବୁ ସମୟରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ସମୁଦ୍ର ବେଳାଭୂମିର ସୁଲୁସୁଲିଆ ଥଣ୍ଡା ପବନରେ ଉଭୟ ନବବିବାହିତା ଦମ୍ପତି କ୍ୟାଣ୍ଡେଲ ନାଇଟ୍ ଡିନର ମଧ୍ୟ କରିପାରିବେ । କେରଳର ମୁଖ୍ୟ ଆକର୍ଷଣ ହେଉଛି ହ୍ରଦ କିମ୍ବା ନଦୀରେ ସଜା ବାଉଁଶ କିମ୍ବା ବେତରେ ସଜା ହୋଇଥିବା ବୋଟ୍ । ଯେଉଁଥିରେ ସବୁ ପ୍ରକାରର ସୁବିଧା ରହିଥାଏ । ଏଠାରେ ହନିମୁନ୍ କପଲ ଖୁବ୍ ଏନଜୟ କରିବା ସହ ଦିନଟିକୁ ସ୍ମରଣୀୟ କରିପାରିବେ ।
ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ(Andaman and Nicobar Islands):
ଯଦି ଆପଣଙ୍କୁ ବେଳାଭୂମି ବହୁତ ପସନ୍ଦ । ତେବେ ଆପଣ ହନିମୁନ୍ ଡେଷ୍ଟିନେସନ ପାଇଁ ଆଣ୍ଡାମାନ ନିକୋବର ବାଛି ପାରିବେ । ଶୁଣିବାକୁ ମିଳେ ଯେ, ନବବିବାହିତା ଦମ୍ପତିଙ୍କ ପାଇଁ ଏହା ସବୁଠାରୁ ରୋମାଣ୍ଟିକ ସ୍ଥାନ । ସମୁଦ୍ର କୂଳରୁ ଭାସି ଆସୁଥିବା ଥଣ୍ଡା ଜଳବାୟୁ, ରୋମାଞ୍ଚ ଭରି ଦେଉଥିବା ୱାଟର ସ୍ପୋର୍ଟସ ମନ କିଣି ନେଇଥାଏ । ଆଣ୍ଡାମାନ ନିକୋବରରେ ଭାରତପୁର ବେଳାଭୂମି(Bharatpur Beach), ସେଲୁଲାର ଜେଲ୍(Cellular Jail), ମାଉଣ୍ଟ ହାରିଏଟ୍ ଓ ମଧୁବନ(Mount Harriet And Madhuban), ଭାଇପର ଆଇସଲ୍ୟାଣ୍ଡ( Viper Island) ଭଳି ବିଭିନ୍ନ ଆକର୍ଷଣୀୟ ସ୍ଥାନ ରହିଛି । ଯାହା ଉଭୟ ଦମ୍ପତିଙ୍କୁ ବେଶ୍ ପସନ୍ଦ ଆସିବା ସହ ସ୍ମୃତିର କିଛି ସମୟ ପରସ୍ପର ସହ ବାଣ୍ଟିପାରିବେ ।