ହାଇଦ୍ରାବାଦ:ମହାଆଡ଼ମ୍ବରରେ ଚାଲିଛି ବକ୍ରତୁଣ୍ଡଙ୍କ ଆବାହନ(Ganesh Chaturthi 2022 ) । କେତେ ପୂଜା ମଣ୍ଡପରେ କେତେ ରୂପରେ ସେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତାହାର ହିସାବ ନାହିଁ । ଅଗ୍ରପୂଜ୍ୟଙ୍କ ଆବାହନ ନେଇ ନାନା ପ୍ରସ୍ତୁତି କରିଛି ପୂଜା କମିଟି । ବିଶେଷ ଅମୃତ ବା ମାହେନ୍ଦ୍ର ବେଳାରେ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ବିଧି ରହିଛି । ତା ସହିତ ଲମ୍ବୋଦରଙ୍କ ପୂଜା ପାଇଁ କେତେକ ବିଶେଷ ସାମଗ୍ରୀର ମଧ୍ୟ ଆବଶ୍ୟକ ରହିଥାଏ । ଆଜି ଆମେ ଗଜାନନଙ୍କ ପୂଜାର ବିଧି, ପୂଜା ପାଇଁ ବିଶେଷ ସାମଗ୍ରୀ ଓ ପୂଜା ପାଇଁ ଅମୃତ ବେଳା ବିଷୟରେ ଆଲୋଚନା କରିବା । ଏହି ବିଧି ଅନୁଯାୟୀ ପ୍ରତ୍ୟେକ ମଣ୍ଡପରେ ବିଦ୍ୟାଦାତାଙ୍କୁ ପୂଜା କରାଯାଏ ।
ଜ୍ଞାନ ଓ ସୁଭାଗ୍ୟଦାତା ହେଉଛନ୍ତି ପ୍ରଭୁ ଗଣେଶ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସେ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀରେ ଜନ୍ମ ଗ୍ରହଣ କରିଥିଲେ । ଇଂରାଜୀ କ୍ୟାଲେଣ୍ଡରରେ ଏହି ଦିନ ଅଗଷ୍ଟରୁ ସେପ୍ଟେମ୍ବର ମାସରେ ପଡ଼ିଥାଏ । ଚତୁର୍ଥୀରେ ବିଶେଷ ଅମୃତ ବା ମାହେନ୍ଦ୍ର ବେଳାରେ ଗଜାନନଙ୍କ ଆଗମନ କରାଯାଇଥାଏ । ଚଳିତ ବର୍ଷ ଅଗଷ୍ଟ ମାସ ୩୦ ତାରିଖ ପ୍ରାତଃ ୩.୨୨ ମିନିଟ୍ରୁ ଅଗଷ୍ଟ ୩୧ ତାରିଖର ୩.୨୨ ମିନିଟ୍ ପର୍ଯ୍ୟନ୍ତ ଏହି ବେଳା ରହିଥିଲା । ଏହି ସମୟରେ ପ୍ରତ୍ୟେକ ପୂଜା ମଣ୍ଡପରେ ଅଗ୍ରପୂଜ୍ୟଙ୍କୁ ପୂଜା କରାଯାଇଛି ।
ଗଣେଶଙ୍କ ପୂଜା ବିଧି
ଦ୍ରିକ ପଞ୍ଚାଙ୍ଗ ମୁତାବକ ମଧ୍ୟାହ୍ନ କାଳରେ ଗଣେଶଙ୍କ ପୂଜା କରାଯାଏ । ଏହି ସମୟରେ ହିଁ ଗଣେଶ ଜନ୍ମ ଗ୍ରହଣ କରିଥିବା ମାନ୍ୟତା ରହିଛି । ଗଣେଶ ଚତୁର୍ଥୀରେ ଚନ୍ଦ୍ରକୁ ଦେଖିବାରୁ ବାରଣ କରାଯାଇଥାଏ । କାରଣ ଚନ୍ଦ୍ରମା ମିଥ୍ୟା କଳଙ୍କ ମିଥ୍ୟା ଦୋଷ ଦେଇଥାଏ । ଯାହାର ଅର୍ଥ ମିଥ୍ୟା ଚୋରିର ଅଭିଯୋଗ ଦେଇଥାଏ ଚନ୍ଦ୍ର । ଚଳିତ ବର୍ଷ ଅଗଷ୍ଟ ୩୦ ତାରିଖରେ ଭୋର ୩.୩୩ ମିନିଟ୍ରୁ ୮.୩୯ମିନିଟ ପର୍ଯ୍ୟନ୍ତ ଚନ୍ଦ୍ରଙ୍କୁ ଦେଖିବାକୁ ବାରଣ କରାଯାଇଥିଲା । ଏହାପରେ ପୁନଃ ଅଗଷ୍ଟ ୩୧ ତାରିଖରେ ସକାଳ ୯.୨୬ ମିନିଟ୍ରୁ ରାତି ୯.୧୧ ମିନିଟ୍ ପର୍ଯ୍ୟନ୍ତ ଚନ୍ଦ୍ର ଦେଖିବାରୁ ବାରଣ ରହିଥିଲା ।