ରାୟପୁର: ଭାରତକୁ ଦୀର୍ଘ ୨୦୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଶାସନ କରିଥିଲେ ବ୍ରିଟିଶ । ନିଷ୍ଠୁର ଇଂରେଜମାନେ କ୍ରୁରତାର ସହିତ ଦେଶବାସୀଙ୍କ ଉପରେ ଅତ୍ୟାଚାର କରି ବନ୍ଧୁକ ମୁନରେ ଶାସନ କରୁଥିଲେ । ୧୮୫୭ ମସିହା ପୂର୍ବରୁ ଭାରତରେ ଇଂରେଜ ବିରୋଧରୁ ଉଠୁଥିବା ବିପ୍ଳବକୁ ଚାପି ଦେଉଥିଲେ ଏହି ବିଦେଶୀ ଶାସକ । କିନ୍ତୁ ୧୮୫୭ ମସିହାରେ ଛତିଶଗଡ଼ର ଅଠରଗଡ଼ବାସୀଙ୍କ ବୀରତ୍ବ ଇତିହାସରେ ଲିପିବଦ୍ଧ ହୋଇଛି । ଏମାନେ ସହଜରେ ନିଜ ମାତୃକାକୁ ବ୍ରିଟିଶଙ୍କ ହାତରେ ଟେକି ଦେଇନଥିଲେ, ବରଂ କରିଥିଲେ ଘମାଘୋଟ ଯୁଦ୍ଧ । ସେତେବେଳେ ଅଠରଗଡ଼ ପୂର୍ବ ଛତିଶଗଡ଼ ଓ ପଶ୍ଚିମ ଓଡ଼ିଶା ସହିତ ମିଶି ରହିଥିଲା । ଏହି ବିପ୍ଳବର ମୁଖ୍ୟ ନାୟକ ଥିଲେ ପୃଥ୍ବୀରାଜ ଚୌହାନଙ୍କ ବଂଶଧରଙ୍କ ସମେତ ସମ୍ବଲପୁରର ରାଜା ସୁରେନ୍ଦ୍ର ସାଏ ଓ ସୋନାଖାନର ଜମିଦାର ବୀର ନାରାୟଣ ସିଂ । ଜଳ-ଜଙ୍ଗଲ ଓ ସ୍ଥାନ ପାଇଁ ଏମାନେ ବ୍ରିଟିଶଙ୍କ ବିରୋଧରେ ସ୍ବାଧୀନତାର ବହୁ ବର୍ଷ ପୂର୍ବରୁ ଲଢେଇ ଆରମ୍ଭ କରିଥିଲେ ।
ଅଠରଗଡ଼ର ଜମିଦାର ଓ ମହାରାଜାମାନେ ସ୍ବାଧୀନତା ବିରୋଧରେ ଲଢେଇ କରି ଶେଷରେ ମାଟି ପାଇଁ ଦେଇଥିଲେ ଜୀବନ । ଏଠାକାର ଜମିଦାରମାନେ ଅଧିକାଂଶ ଗୋଣ୍ଡ ଓ ବିଞ୍ଝବାର ଥିଲେ । ଜଙ୍ଗଲ ଉତ୍ପାଦନ ସାମଗ୍ରୀର ବାସିନ୍ଦାଙ୍କ ପାଇଁ ବିଶେଷ ମହତ୍ତ୍ବ ଥିଲା । ଏଠାକାର ଲୋକମାନେ ଜୀବିକା ପାଇଁ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିଲେ । ଭାରତୀୟମାନେ ସେମାନଙ୍କର ଆତ୍ମନିର୍ଭରଶୀଳତା ତଥା ମାଟି ପାଇଁ ସଂଗ୍ରାମ ଜାରି ରଖିଥିଲେ । 1757 ମସିହାରେ ପଲାସୀ ଯୁଦ୍ଧ ପରେ ବ୍ରିଟିଶମାନେ ବେଙ୍ଗଲର ମାଟି ଉପରେ କବଜା କରିଥିଲା । 1818 ସୁଦ୍ଧା ବ୍ରିଟିଶମାନେ ଅଠରଗଡ଼ ବ୍ୟତୀତ ଭାରତର ପ୍ରତ୍ୟେକ ଅଞ୍ଚଳକୁ କବଜା କରି ନେଇଥିଲେ । ଏହାପରେ ବ୍ରିଟିଶମାନେ ଏହାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ଆରମ୍ଭ କରିଥିଲେ ଷଡ଼ଯନ୍ତ୍ର । ସମ୍ବଲପୁରର ସିଂହାସନରେ ସୁରେନ୍ଦ୍ର ସାଏଙ୍କ ସ୍ଥାନରେ ସ୍ବର୍ଗତଃ ରାଜା ମହାରାଜ ସାଏଙ୍କ ପତ୍ନୀ ରାଣୀ ମୋହନ କୁମାରୀଙ୍କୁ ସିଂହାସନରେ ବସାଇଥିଲେ ।
ବ୍ରିଟିଶଙ୍କ ଏହି ପଦକ୍ଷେପକୁ ଅଠରଗଡ଼ର ରାଜା ଏବଂ ଜମିଦାରମାନେ ବିରୋଧ କରିଥିଲେ । ଯାହା ପରେ ସୁରେନ୍ଦ୍ର ସାଏ, ତାଙ୍କ ଭାଇ ଉଦାନ୍ତ ସିଂ ଏବଂ ଦାଦା ବଳରାମ ସିଂଙ୍କୁ ଗିରଫ କରାଯାଇ ହଜାରିବାଗ ଜେଲରେ ରଖାଯାଇଥିଲା । ସୁରେନ୍ଦ୍ର ସାଏଙ୍କୁ ଗିରଫ କରିବା ପରେ ମଧ୍ୟ ଏହି ବିଦ୍ରୋହ ଜାରି ରହିଥିଲା । ଯେତେବେଳେ ପ୍ରବଳ ଦୁର୍ଭିକ୍ଷ ଦେଖାଦେଇଥିଲା 1856 ମସିହାରେ ସୋନାଖାନର ବିଂଝୱାର ଜମିଦାର ନାରାୟଣ ସିଂ ଗୋଦାମର ତାଲା ଭାଙ୍ଗି ଗ୍ରାମବାସୀଙ୍କ ମଧ୍ୟରେ ଖାଦ୍ୟଶସ୍ୟ ବଣ୍ଟନ କରିଥିଲେ । ପରେ ତାଙ୍କୁ ବ୍ରିଟିଶମାନେ ଗିରଫ କରି ରାୟପୁର ଜେଲରେ ରଖିଥିଲେ । କିନ୍ତୁ କିଛି ଦିନ ମଧ୍ୟରେ ନାରାୟଣ ସିଂ ଖସି ପଳାଇବାରେ ସଫଳ ହୋଇଥିଲେ ଏବଂ 1857 ମସିହା ଜୁଲାଇ 30ରେ ଭାରତୀୟ ସୈନିକମାନେ ହଜାରିବାଗ ଜେଲର କବାଟ ଭାଙ୍ଗି ସୁରେନ୍ଦ୍ର ସାଏ ଏବଂ ତାଙ୍କ ସାଥୀମାନଙ୍କୁ ଖସିଯିବାକୁ ସାହାଯ୍ୟ କରିଥିଲେ । ସେମାନେ ଖସିଯିବା ପରେ ସରନଗଡ଼ ରାଜା ସଂଗ୍ରାମ ସିଂଙ୍କ ପ୍ରାସାଦରେ ଆଶ୍ରୟ ନେଇଥିଲେ ।