ଓଡିଶା

odisha

By

Published : Jun 13, 2021, 10:36 PM IST

Updated : Jun 13, 2021, 10:58 PM IST

ETV Bharat / bharat

ବଙ୍ଗ ବିଜେପିରେ ଖେଲା ହବେ ! ସଂଗଠନରେ ପରିବର୍ତ୍ତନର ସଙ୍କେତ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜ୍ୟ ବିଜେପିରେ ଦେଖା ଦେଉଛି ସଙ୍କଟର କଳାବାଦଲ । ବର୍ଷା ଦେଖି ଛତା ବୁଲାଇଥିବା ତୃଣମୂଳ କଂଗ୍ରେସ ନେତା ଏବେ ଛତା ଭାଙ୍ଗିବା ପରେ ପଦ୍ମ କ୍ୟାମ୍ପ ଛାଡି ନିଜ ଶିବିର ଆଡକୁ ଦୌଡିବା ଆରମ୍ଭ କରିଛନ୍ତି । ଏଭଳି ସ୍ଥିତିରେ ଖେଲା ହବେର ସଙ୍କେତ ଦେଇଛି ବିଜେପି । ଅଧିକ ପଢନ୍ତୁ...

ବଙ୍ଗ ବିଜେପିରେ ଖେଲା ହୋବେ ? ସଂଗଠନରେ ପରିବର୍ତ୍ତନର ସଙ୍କେତ
ବଙ୍ଗ ବିଜେପିରେ ଖେଲା ହୋବେ ? ସଂଗଠନରେ ପରିବର୍ତ୍ତନର ସଙ୍କେତ

କୋଲକାତା: ରାଜନୀତି ମୈଦାନରେ ଥମିଛି ନିର୍ବାଚନୀ ଖେଳ । ହେଲେ ପଶ୍ଚିମବଙ୍ଗ ପଶାପାଲିର ସେ ଖେଳରେ ଏଯାଏଁ ପଡିନି ପୂର୍ଣ୍ଣଛେଦ । ଇନ୍‌ଡୋର ଗେମରେ ଦୁଇ ଦଳ ମଧ୍ୟରେ ଚାଲିଛି ଛକାପଞ୍ଝାର ଜୋରଦାର ଟକ୍କର । ବଙ୍ଗ ଦଖଲ କରି ସରକାର ଚଳାଉଛି ତୃଣମୂଳ କଂଗ୍ରେସ । ଆଉ ଏପଟେ ଅସ୍ଥିର ହେବାରେ ଲାଗିଛି ପଦ୍ମ ଟିମ୍ । ଏହାରି ମଧ୍ୟରେ ସଂଗଠନ ଭିତରେ ଖେଲା ହବେରେ ସଙ୍କେତ ଦେଇଛି ଭାରତୀୟ ଜନତା ପାର୍ଟି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜ୍ୟ ବିଜେପିରେ ଦେଖା ଦେଉଛି ସଙ୍କଟର କଳାବାଦଲ । ବର୍ଷା ଦେଖି ଛତା ବୁଲାଇଥିବା ତୃଣମୂଳ କଂଗ୍ରେସ ନେତା ଏବେ ଛତା ଭାଙ୍ଗିବା ପରେ ପଦ୍ମ କ୍ୟାମ୍ପ ଛାଡି ନିଜ ଶିବିର ଆଡକୁ ଦୌଡିବା ଆରମ୍ଭ କରିଛନ୍ତି ।

ବଙ୍ଗ ବିଜେପିରେ ଏବେ ସବୁକିଛି ଠିକଠାକ ଚାଲିନାହିଁ । ଏହି କଥାକୁ ବେଶ ବାରି ପାରୁଛନ୍ତି ଦଳର କେନ୍ଦ୍ରୀୟ ନେତୃତ୍ବ । ଆଉ ଏହି କାରଣରୁ ଦିଲ୍ଲୀରେ ସ୍ଥିତି ଉପରେ ଚାଲିଛି ମାନସମନ୍ଥନ ।

ରାଜ୍ୟରେ ବର୍ତ୍ତମାନ ବିରୋଧୀ ଦଳର ଭୂମିକାରେ ରହିଛି ଭାରତୀୟ ଜନତା ପାର୍ଟି । ନିର୍ବାଚନ ଫଳାଫଳ ଘୋଷଣା ପରେ ହିଂସା ଓ ଦଳୀୟ କାର୍ଯ୍ୟକ୍ରତାଙ୍କ ହତ୍ୟାକୁ ନେଇ ମମତା ସରକାରଙ୍କ ବିରୋଧରେ ବେଶ ଆକ୍ରାମକ ନଜର ଆସୁଛି ବିଜେପି । ହେଲେ ଏହାରି ମଧ୍ୟରେ ଦଳକୁ ରାଜ୍ୟରେ ଏକଜୁଟ ସହ କର୍ମୀଙ୍କ ମନୋବଳକୁ ବଜାୟ ରଖିବା ଏବେ ବିଜେପି ପାଇଁ ପାଲଟିଛି ବଡ ଚ୍ୟାଲେଞ୍ଜ ।

ନିର୍ବାଚନ ପୂର୍ବରୁ ଯେଉଁ ନେତା ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ, ଏବେ ସେମାନେ ପୁଣି ଘର ବାହୁଡ଼ିବାକୁ ଚିନ୍ତା କରୁଛନ୍ତି । ମୁକୁଲ ରାୟ ଏବେ ୟୁଟର୍ଣ୍ଣ ନେଇ ବିଜେପିକୁ କହିସାରିଛନ୍ତି ବାଏବାଏ ।

ସେପଟେ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ସୋନାଲୀ ଗୁହା ଦିଦିଙ୍କୁ ଚିଠି ଲେଖିଥିବାବେଳେ ମାଲଦା ବିଧାୟିକା ଶରଳା ମୁର୍ମୁ କ୍ଷମା ପ୍ରାର୍ଥନା କରି ଟିଏମସି ଫେରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଗତ ନିର୍ବାଚନରେ ଶାରଳାଙ୍କୁ ଟିଏମସି ଯେଉଁଠାରୁ ପ୍ରାର୍ଥୀ କରିଥିଲା ସେଠାରୁ ସେ ଛିଡା ହେବାକୁ ଚାହୁଁ ନଥିଲେ। ଏନେଇ ଦଳୀୟ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ବିଜେପି ମୁହାଁ ହୋଇଥିଲେ ଶାରଳା। ତେବେ ତାଙ୍କର ଏପରି ନିଷ୍ପତ୍ତି ଭୁଲ ଥିଲା ବୋଲି ସ୍ବୀକାର କରୁଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରୁ ବିଜେପିକୁ ଆସିଥିବା ଅଧିକାଂଶ ନେତା ନିର୍ବାଚନ ହାରିଯାଇଛନ୍ତି । ବିନା ବିଧାୟକ ରହି ମମତା ବାନାର୍ଜୀଙ୍କ ବିରୋଧରେ ରାଜନୀତି କରିବା ଭୟ ଏହି ନେତାଙ୍କୁ ଘାରୁଛି ।

ଏହାରି ମଧ୍ୟରେ ଟିଏମସିରୁ ବିଜେପିକୁ ଆସିଥିବା କିଛି ନେତା ରାଜ୍ୟ ସଂଗଠନ ଓ ଏହାର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି । 2018 ପରେ ଟିଏମସିରୁ ବିଜେପି ଆସିଥିବା ନେତାଙ୍କ କ୍ଷେତ୍ରରେ ରହିଛି ଏହି ସମସ୍ୟା । ପଶ୍ଚିମବଙ୍ଗରେ ବିଜେପିର ବେସ୍‌ ତିଆରି କରିଥିବା ମୁକୁଲ ରାୟଙ୍କୁ ଆଶା ଥିଲା ଯେ ନିର୍ବାଚନ ପରେ ଦଳୀୟ ନେତୃତ୍ବ ପକ୍ଷରୁ ତାଙ୍କୁ ବିରୋଧୀ ଦଜଳର ନେତା ନିଯୁକ୍ତ କରାଯିବ । ହେଲେ ଦଳୀୟ ନେତୃତ୍ବ ମମତାଙ୍କୁ ମାତ ଦେଇ ନନ୍ଦିଗ୍ରାମ ଦଖଲ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଏହି ପଦ ହସ୍ତାନ୍ତର କରିଛି ।

ଏହା ପରଠୁ ହିଁ ଦଳଠୁ ନିଜକୁ ଅଲଗା କରିନେଇଥିଲେ ମୁକୁଲ ରାୟ । ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କୁ ମିଳିଥିବା ବୃହତ ବିଜୟ ପରେ ଯେଉଁ ପୁରୁଣା ସହଯୋଗୀ ତୃଣମୂଳ ଶିବିରକୁ ଫେରିବାକୁ ଚାହୁଁଛନ୍ତି, ଏଥିରେ ମୁକୁଲ ରାୟଙ୍କ ନାଁ ସବୁଠୁ ଆଗରେ ରହିଥିଲା । ବିଜେପିରେ ଶୁଭେନ୍ଦୁ ଅଧିକାରୀଙ୍କ ଶକ୍ତି ବୃଦ୍ଧିକୁ ଦେଖି ମୁକୁଲ ବିଚଳିତ ହୋଇପଡିଥିବା କୁହାଯାଉଥିଲା । ଏହି କାରଣରୁ ସେ ନିଜ ପୁରୁଣା ଠିକଣାକୁ ଫେରିଥିବା ଚର୍ଚ୍ଚା ହେଉଛି ।

ନିର୍ବାଚନ ପୂର୍ବରୁ ମୁକୁଲ ଟିଏମସିକୁ ଆସିବାକୁ ଚାହୁଁଥିଲେ । ହେଲେ ସରଗରମ ନିର୍ବାଚନୀ ମାହୋଲରେ ପଶ୍ଚିମବଙ୍ଗରେ ବିଜେପି ଲହରୀକୁ ଦେଖି ଅଟକିଥିଲେ ମୁକୁଲ । ପରେ ବଙ୍ଗ ଦଖଲ କରିବାରେ ବିଫଳ ହୋଇଥିଲା ବିଜେପି । ଆଉ ପୁଣି ତୃଣମୂଳ କଂଗ୍ରେସ ଫେରିବାକୁ ଚାହିଁଥିଲେ ରାୟ ।

ତୃଣମୂଳ କଂଗ୍ରେସ ନେତା ସୌଗତ ରାୟ ମୁକୁଲଙ୍କ ଘରବାହୁଡା ନେଇ ଦେଇଥିଲେ ସଙ୍କେତ । ଟିଏମସି ନେତା ସୌଗତ ରାୟ କହିଥିଲେ, ଏମିତି ଅନେକ ନେତା ମମତାଙ୍କ ପୁତୁରା ଅଭିଷକ ବାନାର୍ଜୀଙ୍କ ସମ୍ପର୍କରେ ଅଛନ୍ତି ଓ ଟିଏମସି ଫେରିବାକୁ ଚାହୁଁଛନ୍ତି ।

ନିକଟରେ କୋଲକାତାରେ ହୋଇଥିବା ବିଜେପିର ବୈଠକରେ ପହଁଞ୍ଚିନଥିଲେ ମୁକୁଲ ରାୟ । ଏହାପରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ମୁକୁଲ ରାୟଙ୍କ ସ୍ତ୍ରୀଙ୍କୁ ଭେଟିବାକୁ ହସ୍ପିଟାଲ ଯାଇଥିଲେ । ଏହି ଦୁଇଟି ଘଟଣାକ୍ରମ ପରେ ମୁକୁଲ ରାୟ ବିଜେପି ଛାଡିପାରନ୍ତି ବୋଲି ଅନୁମାନ କରାଯାଉଥିଲା ।

ପୂର୍ବରୁ ଦଳ ବିରୋଧୀ ଗତିବିଧି ଅଭିଯୋଗରେ ମୁକୁଲ ରାୟଙ୍କୁ 6 ବର୍ଷ ବହିଷ୍କାର କରିଦେଇଥିଲା ତୃଣମୂଳ କଂଗ୍ରେସ । ଟିଏମସିରେ ମୁକୁଲ ରାୟଙ୍କ ବେଶ ଦବଦବା ରହିଥିଲା । ହେଲେ ସେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ । ମୁକୁଲ ରାୟ ଟିଏମସି ଛାଡିଥିବା ପ୍ରଥମ ନେତା ଥିଲେ ।

ଅନ୍ୟପକ୍ଷେ ଟିଏମସିରୁ ବିଜେପିକୁ ଆସିଥିବା ରାଜୀବ ବାନାର୍ଜୀଙ୍କ ବୟାନ ରାଜ୍ୟ ବିଜେପିରେ ରାଜନୈତିକ ଭୂମିକମ୍ପ ସୃଷ୍ଟି କରିଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଲାଗୁ କରିବା ଠିକ ହେବନାହିଁ ବୋଲି କହିଥିଲେ ରାଜୀବ ।

ଏପଟେ ପଦ୍ମ ଶିବିରର 35 ବିଧାୟକ ତୃଣମୂଳ କଂଗ୍ରେସ ସମ୍ପର୍କରେ ରହିଥିବା ଟିଏମସି ନେତାଙ୍କ ବୟାନ ବିଜେପିର ମୁଣ୍ଡବିନ୍ଧାର କାରଣ ପାଲଟିଛି । କେବଳ ଏତିକି ନୁହେଁ ଦଳୀୟ ସଙ୍କଟର ଏହି ପରିସ୍ଥିତିରେ ବଙ୍ଗ ପ୍ରଭାରୀ କୈଳାଶ ବିଜୟବର୍ଗୀୟ କେଉଁଠି ନଜର ଆସୁନାହାନ୍ତି ।

ପଶ୍ଚିମବଙ୍ଗ ରାଜ୍ୟ ବିଜେପି ଶିବିରରେ ଅସ୍ଥିତରା ପରେ ଶୁଭେନ୍ଦୁ ଅଧିକାରୀ ଦିଲ୍ଲୀ ଯାଇ ବଙ୍ଗ ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରିପୋର୍ଟ ଦେଇଛନ୍ତି । କେବଳ ଏତିକି ନୁହେଁ ଦଳର ହାଇକମାଣ୍ଡଙ୍କ ସାମ୍ନାରେ ରାଜ୍ୟ ସଂଗଠନରେ ଅନେକ ପରିବର୍ତ୍ତନର ପରାମର୍ଶ ଦେଇଛନ୍ତି ଶୁଭେନ୍ଦୁ ।

ବିଜେପିରେ ରାଜନୈତିକ ସଙ୍କଟ ଦୂର କରିବାକୁ କେନ୍ଦ୍ର ନେତୃତ୍ବ ଶୃଙ୍ଖଳା ଗତ କମିଟି ଗଠନ କରିଛି । ଏଭଳିସ୍ଥିତିରେ ଏହା ଦେଖିବା ରୋଚକ ହେବ କି ଦଳର ହାଇକମାଣ୍ଡ, ମୁକୁଲ ରାୟ ଓ ବିଦ୍ରୋହୀ ନେତାଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଆଉ ପରିଶ୍ରମ କରି 3ରୁ 77ରେ ପହଞ୍ଚି ସଂଗଠନକୁ ମଜବୁତ କରିଥିବା ବିଜେପି କିଭଳି ନିଜ କ୍ୟାମ୍ପ ସୁରକ୍ଷିତ ରଖୁଛି ତାହା ଆଗାମୀ ସମୟ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 13, 2021, 10:58 PM IST

ABOUT THE AUTHOR

...view details