ଓଡିଶା

odisha

24ବର୍ଷ ପରେ କଂଗ୍ରେସର ଅଣଗାନ୍ଧୀ ବସ୍‌: ଜାଣନ୍ତୁ ନୂଆ କ୍ୟାପଟେନ ଖଡଗେଙ୍କ ସମ୍ପର୍କରେ

ମଲ୍ଲିକାର୍ଜୁନ ଖଡଗେ ହେଲେ କଂଗ୍ରେସର ନୂତନ ଅଧ୍ୟକ୍ଷ (Kharge Becomes New Congress President ) । 24 ବର୍ଷ ପରେ କଂଗ୍ରେସକୁ ମିଳିଲା ଅଣଗାନ୍ଧୀ ନେତୃତ୍ବ । ସ୍ବାଧୀନତା ପରେ ଦକ୍ଷିଣରୁ କଂଗ୍ରେସ ସଭାପତି ହେବାରେ 6ଷ୍ଠ ନେତା । ଜାଣନ୍ତୁ ଖଡଗେଙ୍କ ସମ୍ପର୍କରେ । ଅଧିକ ପଢନ୍ତୁ

By

Published : Oct 19, 2022, 5:08 PM IST

Published : Oct 19, 2022, 5:08 PM IST

ଖାଡଗେ କଂଗ୍ରେସର ନୂଆ ବସ, ଜାଣନ୍ତୁ ତାଙ୍କ ସମ୍ପର୍କରେ
ଖାଡଗେ କଂଖାଡଗେ କଂଗ୍ରେସର ନୂଆ ବସ, ଜାଣନ୍ତୁ ତାଙ୍କ ସମ୍ପର୍କରେଗ୍ରେସର ନୂଆ ବସ, ଜାଣନ୍ତୁ ତାଙ୍କ ସମ୍ପର୍କରେ

ନୂଆଦିଲ୍ଲୀ:ଗତ କିଛି ମାସ ଧରି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ଦୀର୍ଘ 24 ବର୍ଷ ପରେ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଜଣେ ଅଣଗାନ୍ଧୀ ନେତୃତ୍ବ ପାଇଛି । ଦଳର ବରିଷ୍ଠ ନେତା ତଥା ଦକ୍ଷିଣର ଦଳିତ ଚେହେରା ମଲ୍ଲିକାର୍ଜୁନ ଖଡଗେ ଅଖୀଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି (Kharge Becomes New Congress President )।

ଖଡଗେଙ୍କ ବିପକ୍ଷରେ ଦଳର ଅନ୍ୟଜଣେ ବରିଷ୍ଠ ନେତା ଶଶୀ ଥରୁରୁ ପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ବେଳେ ବିପୁଳ ବ୍ୟବଧାନରେ ଖଡଗେ ତାଙ୍କୁ ପରାସ୍ତ କରି ଦଳର ସର୍ବୋଚ୍ଚ ପଦବୀ ଅକ୍ତିଆର କରିଛନ୍ତି । 1998 ରେ ସୋନିଆ ଗାନ୍ଧୀ ଦଳର କମାଣ୍ଡ ସମ୍ଭାଳିଥିଲେ । ସେବେଠାରୁ ଦୀର୍ଘ 24 ବର୍ଷ ଧରି ଦଳର ସର୍ବୋଚ୍ଚ ନେତୃତ୍ବ ଗାନ୍ଧୀ ପରିବାର ହାତରେ ଥିବା ବେଳେ ଏବେ ପୁଣି ଥରେ ଜଣେ ଅଣଗାନ୍ଧୀ ନେତାଙ୍କ କାନ୍ଧକୁ ନେତୃତ୍ବକୁ ଆସିବାକୁ ଯାଉଛି । ତେବେ ଜାଣନ୍ତୁ କଂଗ୍ରେସର ନୂଆ କ୍ୟାପଟେନ ମଲ୍ଲିକାର୍ଜୁନ ଖଡେଗଙ୍କ ସମ୍ପର୍କରେ ।

କର୍ଣ୍ଣାଟକରେ ଜନ୍ମ:-

କର୍ଣ୍ଣାଟକର ବିଦର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ମଲ୍ଲିକାର୍ଜୁନ ଖଡଗେ । ମାତ୍ର 7 ବର୍ଷ ବୟସରେ ହିଂସାର ଶିକାର ହୋଇଥିଲା ଖଡଗେଙ୍କ ପରିବାର । ତତ୍କାଳୀନ ହାଇଦ୍ରାବାଦ ପ୍ରେସିଡେନ୍ସିର ଶାସକ ନିଜାମଙ୍କ ସେନା ଦ୍ବାରା ତାଙ୍କ ପରିବାର ଉପରେ ଆକ୍ରମଣ ହୋଇଥିଲା । ଖଡଗେଙ୍କ ମା’ ଓ ଭଉଣୀ ଘର ଭିତରେ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିଲେ । ବାପାଙ୍କ ସହ ସବୁଦିନ ପାଇଁ ଗ୍ରାମ ତଥା ବିଦର ଜିଲ୍ଲା ଛାଡି ପଳାଇ ଆସିଥିଲେ ଖଡଗେ । ତେବେ ମାତ୍ର 7 ବର୍ଷ ବୟସରେ ଆରମ୍ଭ ହୋଇଥିବା ସଂଘର୍ଷ ପରେ ରାଜନୈତିକ ପୃଷ୍ଠଭୂମିରେ ବଦଳିଥିଲା ।

1969 ରେ କଂଗ୍ରେସରେ ହୋଇଥିଲେ ସାମିଲ:-

1969 ରେ ସେ ପ୍ରଥମେ କଂଗ୍ରେସରେ ସାମିଲ ହୋଇଥିଲେ । 1972 ରେ ସେ ପ୍ରଥମେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । କର୍ଣ୍ଣାଟକର ଗୁରମିତକଲ ବିଧାନସଭା ନିର୍ବାଚନ ମଣ୍ଡିଳୀରୁ ସେ କଂଗ୍ରେସ ଟିକେଟରେ ବିଜୟୀ ହେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ କ୍ରମାଗତ 2008 ପର୍ଯ୍ୟନ୍ତ ସେଠାରୁ ନିର୍ବାଚିତ ହୋଇ ଆସିଥିଲେ । ପରେ ତାଙ୍କର ବିଧାନସଭା କ୍ଷେତ୍ର ପରିବର୍ତ୍ତନ ହେବା ସହ ଚିତାପୁରରୁ ସେ ନିର୍ବାଚନ ଲଢିଥିଲେ । 2019 ସାଧାରଣ ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ଠାରୁ ଲୋକସଭା ନିର୍ବାଚନ ପରାଜିତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ସେ 8 ଥର ବିଧାୟକ ଓ 2 ଥର ସାଂସଦ ଭାବେ ନିର୍ବାଚିତ ହୋଇସାରିଛନ୍ତି ।

ସେ ତାଙ୍କ ସମ୍ପୂର୍ଣ୍ଣ ରାଜନୈତିକ କ୍ୟାରିୟରରେ ଗାନ୍ଧୀ ପରିବାରର ବେସ ନିକଟତର ରହି ଆସିଛନ୍ତି । 80 ଦଶକର ମଧ୍ୟ ଭାଗରେ କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସିଥିଲା । ତେବେ ସେ 1976 ରେ ପ୍ରଥମେ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ବିଧାୟକ ଭାବେ ନିର୍ବାଚିତ ହେବା ପରେ କର୍ଣ୍ଣାଟକରେ ପ୍ରତ୍ୟେକ କଂଗ୍ରେସ ସରକାରରେ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ହୋଇ ପାରିନଥିଲେ । ଏକାଧିକ ଥର ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପାଇଁ ଚର୍ଚ୍ଚାରେ ଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଏଥିରୁ ନିରାଶ ହେବାକୁ ପଡିଥିଲା ।

3 ଥର ମୁଖ୍ୟମନ୍ତ୍ରୀ ଦୌଡରୁ ବାଦ ପଡିଥିଲେ: -

2004 ରେ ସେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବାର ସର୍ବାଧିକ ସମ୍ଭାବନା ଥିଲେ ସୁଦ୍ଧା ଘଟଣାକ୍ରମ କିନ୍ତୁ ଏହାର ବିପରୀତ ହୋଇଥିଲା । କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର ଗଠନ କରିଥିଲେ ସୁଦ୍ଧା ତାଙ୍କ ପରିବର୍ତ୍ତେ ଧରମ ସିଂ ମୁଖ୍ୟମନ୍ତ୍ରୀ ଆସନ ହାତେଇବାରେ ସଫଳ ହୋଇଥିଲେ । ତେବେ 2013 ରେ ମଧ୍ୟ ସାମାନ ସ୍ଥିତି ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ଚର୍ଚ୍ଚାର ଶୀର୍ଷରେ ଥିବା ବେଳେ ବିଧାୟକ ଦଳ ବୈଠକରେ ସିଦ୍ଧରମେୟାଙ୍କୁ ନେତା ଭାବେ ଚୟନ କରାଯାଇଥିଲା । ଉକ୍ତ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିଲେ ଖଡଗେ ।

ରାଜନୈତିକ ସମୀକ୍ଷକଙ୍କ ମତରେ, କର୍ଣ୍ଣାଟକରେ ଖାଡଗେଙ୍କ ରାଜନୈତିକ ଯାତ୍ରା ଜଣେ ଦଳିତ ନେତା ଭାବେ ଏତେ ସହଜ ନଥିଲା । ଖଡଗେ ଦଳିତ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କୁରଥିବା ବେଳେ ରାଜ୍ୟରେ ଲିଙ୍ଗାୟତ ଓ ଭୋକାଲିଗାସ ସମ୍ପ୍ରଦାୟର ରାଜନୈତିକ ପ୍ରଭାବ ଓ ପତିଆରା ଅପେକ୍ଷାକୃତ ଅଧିକ ରହିଥିଲା । ତଥାପି ସେ କଂଗ୍ରେସର ଆଗୁଆ ନେତା ଭାବେ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ସଂଯୁକ୍ତ ମଜଦୁର ସଂଘର କାର୍ଯ୍ୟକର୍ତ୍ତା ଓ ପରେ 1969 ରେ କାଲାବୁରାଗୀ ସିଟି କଂଗ୍ରେସର ୟୁନିଟର ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିଥିଲେ ।

1972 ରେ ସେ କଂଗ୍ରେସ ଟିକେଟରେ ପ୍ରଥମ ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ ସୁଦ୍ଧା ଦିଲ୍ଲୀରେ ଗାନ୍ଧୀ ପରିବାରର ଖୁବ ନିକଟବର୍ତ୍ତୀ ହେବା ପାଇଁ 2014 ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡିଥିଲା । ସେ 2009 ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରେ କାଲାବୁରାଗୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ । ଖଡଗେ ଏହି ଆସନରୁ ଦୁଇ ଥର 2009 ଓ 2014 ସାଧାରଣ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପରେ 2014 ରୁ 2019 ପର୍ଯ୍ୟନ୍ତ ତାଙ୍କୁ ଦଳ ଲୋକସଭାରେ ଫ୍ଲୋର ଲିଡର ଭାବେ ଦାୟିତ୍ବ ମିଳିଥିଲା । ଏହି ଅବସର ତାଙ୍କୁ ଗାନ୍ଧୀ ପରିବାରର ଆହୁରି ନିକଟବର୍ତ୍ତୀ କରାଇଥିବା ଚର୍ଚ୍ଚା ହୁଏ । ପରେ ସେ ସଂସଦର ପବ୍ଲିକ ଆକାଉଣ୍ଟ କମିଟିର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳି ଥିଲେ । 2019 ରେ ସେ ଲୋକସଭା ନିର୍ବାଚନରେ ପ୍ରଥମ ଥର ପରାଜିତ ହେବା ପରେ ତାଙ୍କୁ ଦଳ ଉଚ୍ଚ ସଦନ ରାଜ୍ୟସଭାକୁ ପଠାଇଥିଲା । ପରେ ତାଙ୍କୁ 2021 ଫେବୃଆରୀରେ ରାଜ୍ୟସଭାରେ ଦଳର ଫ୍ଲୋର ଲିଡର ଭାବେ ମଧ୍ୟ ଦାୟିତ୍ବ ମିଳିଥିଲା ।

ସ୍ବାଧୀନତା ପରେ ଦକ୍ଷିଣରୁ କଂଗ୍ରେସ ଅଧ୍ୟକ୍ଷ ହେବାର 6ଷ୍ଠ ନେତା ଖଡଗେ: -

ସ୍ବାଧୀନତା ପରବର୍ତ୍ତୀ ସମୟରେ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରସର ସର୍ବୋଚ୍ଚ ସାଙ୍ଗଠନିକ ପଦବୀ ସମ୍ଭାଳିବାରେ ଖଡଗେ ହେଉଛନ୍ତି 6ଷ୍ଠ ନେତା । ସ୍ବାଧୀନତା ପରବର୍ତ୍ତୀ ସମୟରେ ବି.ପଟ୍ଟାଭି ସୀତାରମେୟା, ଏନ.ସଞ୍ଜିବ ରେଡ୍ଡୀ, କେ.କାମରାଜ, ଏସ.ନିଜାଲିଙ୍ଗପ୍ପା ଓ ପି.ଭି ନରସିଂହା ରାଓଙ୍କରେ ପରେ 6ଷ୍ଠ ନେତା ଭାବେ ଖାଡଗେ କଂଗ୍ରେର ସର୍ବୋଚ୍ଚ କମାଣ ସମ୍ଭାଳିବାକୁ ଯାଉଛନ୍ତି । ତେବେ ଶେଷ ଥର ପାଇଁ ସୀତାରାମ କେଶରୀ ଅଣ ଗାନ୍ଧୀ ଭାବେ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ । ଏବେ ପ୍ରାୟ 2 ଦଶନ୍ଧି ପରେ ଖଡଗେ ଦଳର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ।

ଚ୍ୟାଲେଞ୍ଜ ହେବ 2024 ସାଧାରଣ ନିର୍ବାଚନ:-

2019 ସାଧାରଣ ନିର୍ବାଚନରେ ସମଗ୍ର ଦେଶରେ ଶୋଚନୀୟ ପରାଜୟର ସ୍ବାଦ ଚାଖିବାକୁ ବାଧ୍ୟ ହୋଇଥିବା ଓଲ୍ଡ ଗ୍ରାଣ୍ଡ ପାର୍ଟି କଂଗ୍ରେସ 2024 ସାଧାରଣ ନିର୍ବାଚନ ପାଇଁ ବେଶ ପୂର୍ବରୁ ରଣନୀତି ଆରମ୍ଭ କରି ସାରିଛି । ଦଳ ପକ୍ଷରୁ ଆୟୋଜିତ ‘ଭାରତ ଯୋଡୋ ଯାତ୍ରା’ ଦକ୍ଷିଣରୁ ଆରମ୍ଭ ହୋଇ ଆନ୍ଧ୍ର ପ୍ରଦେଶରେ ଜାରି ରହିଛି । ଏହାରି ମଧ୍ୟରେ ଦୀର୍ଘ ଦିନ ହେବ ଲାଗି ରହିଥିବା ନୂଆ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଖଡଗେଙ୍କ ନେତୃତ୍ବରେ ଦଳ କେତେ ସଂଗଠିତ ହେଉଛି ଓ 2024 ରେ କ’ଣ ସଫଳତା ହାସଲ କରୁଛି ତାକୁ ସମସ୍ତଙ୍କ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details