ରାୟପୁର:ଦୀପାବଳି ପୂର୍ବଦିନ ରାତିରୁ ଲିଭିଗଲାଛତିଶଗଡର ଜନତା କଂଗ୍ରେସ ବିଧାୟକ ଦେବବ୍ରତ ସିଂଙ୍କ ଜୀବନ ଦୀପ । ରାତିରେ ଶୋଇଥିବା ସମୟରେ ହୃଦଘାତରେ ଦେବବ୍ରତଙ୍କ ମୃତ୍ୟୁ ଘଟିଛି । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ।
ହୃଦଘାତ ଅନୁଭବ କରିବା ପରେ ତାଙ୍କୁ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ସେ ରାଜନନ୍ଦଗାଓଁ ବିଧାନସଭା ମଣ୍ଡଳୀର ବିଧାୟକ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ସମର୍ଥକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଦେବବ୍ରତଙ୍କ ବାସ ଭବନ ନିକଟରେ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି ।
ଦୀର୍ଘ ଦିନ ଧରି କଂଗ୍ରେସରେ ଥିବା ଦେବବ୍ରତ ସିଂ 2018 ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ସିଏମ ଅଜିତ ଯୋଗୀଙ୍କ ଦଳ ଜନତା କଂଗ୍ରେସ ଛତିଶଗଡ ଜେ (ଜେସିସି)ରେ ଯୋଗ ଦେଇଥିଲେ । ବିଧାନସଭା ନିର୍ବାଚନରେ ଜିତିଥିବା ପାଞ୍ଚଜଣ ଜେସିସି ସଦସ୍ୟଙ୍କ ମଧ୍ୟରୁ ଦେବବ୍ରତ ସିଂ ଅନ୍ୟତମ । ଏହାପୂର୍ବରୁ ସେ ଥରେ ଖଇରାଗଡର ବିଧାୟକ ଏବଂ ଥରେ କଂଗ୍ରେସ ଟିକେଟରେ ରାଜନନ୍ଦଗାଓଁର ସାଂସଦ ଥିଲେ । ପ୍ରକାଶ ଥାଉକି, ଗତ କିଛି ଦିନ ଧରି ଆଲୋଚନା ହୋଇଥିଲା ଯେ ଦେବଭ୍ରତ ସିଂ ଜେସିସି ଛାଡ଼ି ପୁଣି କଂଗ୍ରେସରେ ଯୋଗ ଦେଇପାରନ୍ତି । ତେବେ ତାଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନ ଥିଲା ମାତ୍ର ହଠାତ୍ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ଦେବବ୍ରତଙ୍କ ମୃତ୍ୟୁ ପରେ ତାଙ୍କ ସମର୍ଥକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ