ଥିରୁଅନନ୍ତପୁରମ: ଏଣିକି ବିଶ୍ବବିଦ୍ୟାଳୟରେ ବିବାହିତ ଛାତ୍ରୀଙ୍କୁ ମିଳିବ ମାତୃତ୍ବ ଛୁଟି । ବିଶ୍ବ ବିଦ୍ୟାଳୟରେ ପାଠ ପଢିବା ସମୟରେ ଗର୍ଭବତୀ ଛାତ୍ରୀଙ୍କୁ ୬ ମାସର ଛୁଟି ମିଳିବ । ଏଭଳି ଘୋଷଣା କରିଛି କେରଳ ବିଶ୍ବବିଦ୍ୟାଳୟ । ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ୧୮ ବର୍ଷରୁ ଅଧିକ ଛାତ୍ରୀଙ୍କୁ ମାତୃତ୍ୱ ଛୁଟି ମିଳିବ । ଏନେଇ କେରଳ ବିଶ୍ବବିଦ୍ୟାଳୟ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, "ଯଦି କୌଣସି ଛାତ୍ରୀ ବିଶ୍ବ ବିଦ୍ୟାଳୟରେ ପାଠ ପଢିବା ସମୟରେ ମାତୃତ୍ବ ଛୁଟି ନିଏ ତାହେଲେ ଛୁଟି ସରିଲେ ଛାତ୍ରୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ବିନା ଆଡମିଶନରେ ପୁନଃ ଛାତ୍ରୀଜଣକ କ୍ଲାସ କରିପାରିବେ । ଏଥିପାଇଁ ଛାତ୍ରୀଙ୍କୁ ମେଡିକାଲ ରେକର୍ଡ ଦାଖଲ କରିବାକୁ ପଡିବ । ଏମିତିକୁ ଛାତ୍ରୀଙ୍କୁ କୁଳପତିଙ୍କୁ ଅନୁମତି ମାଗିବାକୁ ମଧ୍ୟ ପଡିବ ନାହିଁ ।"
ଏହା ମଧ୍ୟ ପଢନ୍ତୁ: Bhaang ki goli: ଜୋମାଟୋକୁ ଭାଙ୍ଗ ମାଗିଲେ ଯୁବକ, ଦିଲ୍ଲୀ ପୋଲିସ ଦେଲା ଏମିତି ପରାମର୍ଶ
ଯେଉଁ ଛାତ୍ରୀମାନେ ସ୍ନାତକ କିମ୍ବା ସ୍ନାତକୋତ୍ତର ସମୟରେ ଗର୍ଭବତୀ ରହିଥିବେ ସେମାନେ ଏହି ମାତୃତ୍ବ ଛୁଟି ନେଇପାରିବେ । ଗର୍ଭବତୀ ଛାତ୍ରୀମାନଙ୍କ ପାଇଁ ସର୍ବନିମ୍ନ ବାଧ୍ୟତାମୂଳକ ଉପସ୍ଥାନକୁ ୭୫ ପ୍ରତିଶତରୁ ହ୍ରାସ କରାଯାଇ ୭୩ ପ୍ରତିଶତ କରାଯାଇଛି । ଜାନୁଆରୀ ମାସରେ ଉଚ୍ଚଶିକ୍ଷା ବିଭାଗ କେରଳର ସମସ୍ତ ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ମାସିକ ଛୁଟି ନିର୍ଦ୍ଦେଶ ଦେଇଥିଲେ । କେରଳ ବିଶ୍ବ ବିଦ୍ୟାଳୟ ବ୍ୟତୀତ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ମଧ୍ୟ ଛାତ୍ରୀମାନଙ୍କୁ ମାତୃତ୍ବ ଛୁଟି ଦେବା ପାଇଁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତିକୁ ସମସ୍ତେ ସ୍ବାଗତ କରିଥିବାବେଳେ ଛାତ୍ରୀମାନେ ଖୁସି ପ୍ରକଟ କରିଛନ୍ତି ।
ପୂର୍ବରୁ ଋତୁସ୍ରାବ ସମୟରେ ଛୁଟି ଘୋଷଣା କରାଯାଇଥିଲା: ମହିଳାମାନଙ୍କର ଋତୁସ୍ରାବ ଜନିତ କଷ୍ଟକୁ ଦୃଷ୍ଟିରେ ରଖି କେରଳର କୋଚିନ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପକ୍ଷରୁ ପ୍ରଥମେ ଋତୁସ୍ରାବ ଛୁଟି ଘୋଷଣା କରାଯାଇଥିଲା । ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ଋତୁସ୍ରାବ ଛୁଟି ଦେବା କେରଳରେ ଏହା ପ୍ରଥମ ଘଟଣା ଥିଲା । କେରଳ କୋଚିନ ବିଶ୍ବବିଦ୍ୟାଳୟ ଛାତ୍ରୀମାନଙ୍କୁ ପ୍ରତି ସେମିଷ୍ଟାରରେ ୨ ପ୍ରତିଶତ ଅଧିକ ଛୁଟି ପ୍ରଦାନ କରିଥିଲା । ଋତୁସ୍ରାବ ଛୁଟି ଭଳି ଐତିହାସିକ ନିଷ୍ପତ୍ତି ନେବାରେ କୋଚିନ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ରାଜ୍ୟର ପ୍ରଥମ ବିଶ୍ବବିଦ୍ୟାଳୟର ଗୌରବ ଅର୍ଜନ କରିଛି । ଛାତ୍ରୀଙ୍କୁ ପ୍ରତ୍ୟେକ ସେମିଷ୍ଟାରରେ ଅତିରିକ୍ତ ଦୁଇ ପ୍ରତିଶତ ଛୁଟି ମଞ୍ଜୁର ସମ୍ପର୍କିତ ନିର୍ଦ୍ଦେଶନାମାରେ କୁଳପତି ଦସ୍ତଖତ କରିଥିଲେ ।