ଥିରୁଅନନ୍ତପୁରମ:କେରଳରେ ଅଭାବନୀୟ ଘଟଣା । ଚଳନ୍ତା ଟ୍ରେନରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଦୁର୍ବୃତ୍ତ । ଗତକାଲି(ରବିବାର) ରାତି ପ୍ରାୟ ୯ଟା ୭ ମିନିଟ୍ ସମୟରେ ଆଲପୁଝା-କନ୍ନୁ ଏକ୍ସପ୍ରେସ ଟ୍ରେନରେ ଏଭଳି କାଣ୍ଡ ଘଟାଇଥିଲା ଦୁର୍ବୃତ୍ତ । ତେବେ ଏହି ଘଟଣା ପରେ ରେଲଓ୍ବେ ଟ୍ରାକରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ୩ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ମୃତକ ହେଲା ମାତାନୁର ପାଲଟ ପଲ୍ଲୀ ନିବାସୀ ରହମତ, ବୟସ ୪୩ ବର୍ଷ ଏବଂ ଭଉଣୀର ଦୁଇ ବର୍ଷୀୟ ଝିଅ ସାହାରା । ତେବେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଏକ ମୃତଦେହର ପରିଚୟ ମିଳିପାରି ନାହିଁ । ଏଲାଥୁର ଷ୍ଟେସନ ଏବଂ କୋରାପୁଝା ବ୍ରିଜ ମଝିରୁ ୩ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।
ତେବେ ୩ ଜଣଙ୍କ କିପରି ମୃତ୍ୟୁ ହେଲା ସେନେଇ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଟ୍ରେନରେ ନିଆଁ ଲାଗିଯିବା କାରଣରୁ ଜୀବନ ବଞ୍ଚାଇବା ପାଇଁ ଡେଇଁପଡିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ କୋଝିକୋଡ ହସ୍ପିଟାଲକୁ ପଠାଇଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି(ରବିବାର) ଆଲପୁଝା-କନ୍ନୁ ଏକ୍ସପ୍ରେସ ଟ୍ରେନଟି କନ୍ନୁର ଅଭିମୁଖେ ଯାତ୍ରା କରୁଥିଲା । ରାତି ପ୍ରାୟ ୯ଟା ୭ ମିନିଟ ସମୟରେ ଜଣେ ବୟସ୍କ ଲାଲ ରଙ୍ଗର ସାର୍ଟ ଏବଂ ଏକ ଟୋପି ପିନ୍ଧି ଡି ଓ୍ବାନରେ ବଗିକୁ ଆସିଥିଲେ । ତେବେ ହଠାତ ଦୁଇ ବୋତଲ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ପ୍ରଥମେ ନିଆଁ D1 ଏବଂ D2 ବଗିରେ ଲାଗିଥିଲା । ଯୁବକଙ୍କ ଏଭଳି ଅଦ୍ଭୁଦ କାଣ୍ଡ ଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ ।