ଥିରୁଅନନ୍ତପୁରମ: କେରଳ ରାଜ୍ୟପାଳ ମହମ୍ମଦ ଆରିଫ ଖାନ ହିନ୍ଦୁ ଶବ୍ଦକୁ ନେଇ ବଡ ବୟାନ ଦେଇଛନ୍ତି । ରାଜ୍ୟପାଳ କହିଛନ୍ତି, ''ଭାରତରେ ଜନ୍ମିତ ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ । ଭାରତରେ ଉତ୍ପାଦିତ ଖାଦ୍ୟ ଖାଇ ଜୀବନ ଧାରଣ କରିଥିବା ଓ ଏହି ଦେଶରେ ପ୍ରବାହିତ ନଦୀଜଳ ପିଉଥିବା ପ୍ରତିଟି ଲୋକ ନିଜକୁ ହିନ୍ଦୁ କହିବାର ହକଦାର ଅଟନ୍ତି ।'' ଏହି ଦୃଷ୍ଟିରୁ ତାଙ୍କୁ ମଧ୍ୟ ହିନ୍ଦୁ ଡାକିବାକୁ ରାଜ୍ୟପାଳ ନିବେଦନ କରିଛନ୍ତି । ଆମେରିକୀୟ ରାଷ୍ଟ୍ରରେ ବସବାସ କରୁଥିବା ହିନ୍ଦୁ ପରିବାରର ସଂଗଠନ କେରଳ ହିନ୍ଦୁସ୍ ଅଫ୍ ନର୍ଥ ଆମେରିକା ପକ୍ଷରୁ ଆୟୋଜିତ ହିନ୍ଦୁ କନକ୍ଲେଭର ଉଦଘାଟନୀ ଅବସରରେ ସେ ଏପରି ବୟାନ ଦେଇଛନ୍ତି ।
ରାଜ୍ୟପାଳ ଆହୁରିମଧ୍ୟ କହିଛନ୍ତି ଯେ, ଆପଣଙ୍କ ନିକଟରେ ମୋର ବଡ ଅଭିଯୋଗ ଅଛି । ଆପଣମାନେ କାହିଁକି ମୋତେ ହିନ୍ଦୁ କହୁନାହାନ୍ତି ? ମୁଁ ହିନ୍ଦୁକୁ ଧାର୍ମିକ ଶବ୍ଦ ଭାବୁନାହିଁ । ଏହା ଏକ ଭୌଗିଳିକ ଶବ୍ଦ । ଭାରତରେ ଜନ୍ମିତ ଓ ଭାରତରେ ଜୀବନ ଧାରଣ କରୁଥିବା ପ୍ରତିଟି ଜନସାଧାରଣ ହିନ୍ଦୁ ପଦବାଚ୍ୟ । ତେଣୁ ତାଙ୍କୁ ମଧ୍ୟ ହିନ୍ଦୁ ବୋଲି କହିବା ଉଚିତ୍ ବୋଲି ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।