ଥିରୁଅନନ୍ତପୁରମ:ବିବାହରେ ବାଧା ସାଜିପାରିନି ପ୍ରଳୟଙ୍କାରୀ ବନ୍ୟା । ଚାରିଆଡେ ଜଳମଗ୍ନ ଥିବା ବେଳେ ବିବାହ ମଣ୍ଡପକୁ ଭୋଜି ହଣ୍ଡାରେ ବସି ପହଞ୍ଚିଛନ୍ତି ବରକନ୍ୟା । ଏଭଳି ଦୃଶ୍ୟ କେରଳର ଅଲପୁଝା ଅଞ୍ଚଳରେ ଦେଖିବାକୁ ମିଳିଛି । କେରଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୋମବାର ଅଲପୁଝା ଅଞ୍ଚଳରୁ ଆସିଛି ଏଭଳି କିଛି ଦୃଶ୍ୟ । ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ସାହାସୀ ବରକନ୍ୟା ଥଲାଭାଡି ପନାୟାନ୍ନୁରକାଭୁ ଦେବୀ ମନ୍ଦିରରେ ବିବାହ କରିବାର ଯୋଜନା ଥିଲା । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ମନ୍ଦିର ପରିସର ଜଳମଗ୍ନ ଅବସ୍ଥାରେ ରହିଛି । ଏହି ମନ୍ଦିର ନିକଟରେ ପହଞ୍ଚିବା ପାଇଁ ଉଭୟ ବରକନ୍ୟାର ସମ୍ପର୍କୀୟ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ବିବାହ ମଣ୍ଡପରେ ବରକନ୍ୟାଙ୍କୁ ପହଞ୍ଚାଇବା ପାଇଁ ଏଭଳି ଉପାୟ ଆପଣେଇଥିଲେ ପରିବାର ବର୍ଗ । ବରକନ୍ୟାଙ୍କୁ ଏକ ବଡ଼ ଭୋଜି ହଣ୍ଡାରେ ବସାଇ ପ୍ରାୟ ମନ୍ଦିରର ଅଧା କିଲୋମିଟର ଦୂରରୁ ସଫଳତାର ସହିତ ମନ୍ଦିର ନିକଟରେ ପହଞ୍ଚାଇଥିଲେ ।