ଥିରୁଅନନ୍ତପୁରମ:୨୦୦୨ ଗୁଜୁରାଟ ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀ ''ଇଣ୍ଡିଆ: ଦ ମୋଦି କୋଶ୍ଚିନ''କୁ ନେଇ ସାରା ଦେଶରେ ବିବାଦ ଘନେଇବାରେ ଲାଗିଛି । କେନ୍ଦ୍ର ସରକାର ଭାରତରେ ଏହି ଡକ୍ୟୁମେଣ୍ଟାରୀ ପ୍ରସାରଣ ବ୍ୟାନ କରିବା ସତ୍ତ୍ବେ ଆଜି କେରଳରେ ଏହାକୁ ପ୍ରଦର୍ଶନ କରାଯାଇଛି । କେରଳ କଂଗ୍ରେସ ଥିରୁଅନନ୍ତପୁରମ ଅନ୍ତର୍ଗତ ଶଙ୍ଘୁମୁଘମ ବେଳାଭୂମିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରସ୍ତୁତ ଏହି ବିବାଦୀୟ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରିଛି । ଏହାକୁ ଅନେକ ଲୋକ ଦେଖିଥିବା ବେଳେ ଆଗକୁ କଂଗ୍ରେସ ସାରା ରାଜ୍ୟରେ ଡକ୍ୟୁମେଣ୍ଟାରୀକୁ ଦେଖାଇବ ବୋଲି କହିଛି ।
ଯାହା ସୂଚନା ମିଳିଛି, ବିବିସି ଦ୍ବାରା ପ୍ରସ୍ତୁତ ମୋଦି ବିରୋଧି ଡକ୍ୟୁମେଣ୍ଟାରୀ ଶଙ୍ଘୁମୁଘମ ବେଳାଭୂମିରେ ସ୍କ୍ରିନିଂ ପୂର୍ବରୁ ପ୍ରଥମେ କେରଳ ପ୍ରଦେଶ କଂଗ୍ରେସ କମିଟି(KPCC) ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଦର୍ଶିତ କରାଯାଇଥିଲା । ଏନେଇ KPCC ସାଧାରଣ ସମ୍ପାଦକ ଜି ଏସ ବାବୁ କହିଛନ୍ତି, ''ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ ପାଇଁ ଲୋକଙ୍କ ଠାରୁ ସକରାତ୍ମକ ପ୍ରତିକ୍ରିୟା ମିଳିଥିଲା । ଏହାକୁ ଦେଖିବା ଲାଗି ବହୁସଂଖ୍ୟାରେ ଲୋକ ଆସିଥିଲେ । ଲୋକଙ୍କ ଆଗ୍ରହ ଦେଖି ଆମେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ସ୍କ୍ରିନିଂ କରିବାକୁ ନିଷ୍ପତ୍ତି ନେଇଛୁ ।''