ଗାନ୍ଧୀନଗର:ଅଟୋ ଡ୍ରାଇଭରଙ୍କ ନିମନ୍ତ୍ରଣ ରଖିଲେ ଆପ୍ ସୁପ୍ରିମୋ । ଡ୍ରାଇଭରଙ୍କ ଘରକୁ ଯାଇ ଡିନର୍ କଲେ (Kejriwal eats dinner at auto-rickshaw driver home) । ଗତକାଲି ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅହମ୍ମଦାବାଦ ଅଞ୍ଚଳର ଜଣେ ଅଟୋ ଡ୍ରାଇଭରଙ୍କ ଘରକୁ ଯାଇ ଡିନର୍ କରିଛନ୍ତି । କେଜ୍ରିୱାଲ ଡ୍ରାଇଭରଙ୍କ ସାଙ୍ଗରେ ତଳେ ବସି ଏକାଠି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହାସହିତ ମୁଖ୍ୟମନ୍ତ୍ରୀ ତାଙ୍କର ପରିବାର ଲୋକଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଡ୍ରାଇଭର ଜଣକ କେଜ୍ରିୱାଲଙ୍କୁ ତାଙ୍କ ଘରେ ଖାଇବାକୁ ନିମନ୍ତ୍ରଣ କରିଥିଲେ । ଏଥିରେ ସେ ତାଙ୍କୁ ହଁ ଭରିଥିଲେ । ଏହାପରେ ରାତିରେ କେଜ୍ରିୱାଲ ଅଟୋ ଡ୍ରାଇଭରଙ୍କ ଅଟୋରେ ବସି ତାଙ୍କ ଘରକୁ ଡିନର୍ ପାଇଁ ଯାଇଥିଲେ ।
ତେବେ ଡ୍ରାଇଭରଙ୍କ ଘରକୁ ଯାଉଥିବା ସମୟରେ କେଜ୍ରିୱାଲ ବାଟରେ ଅହମ୍ମଦାବାଦ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ସେ ଅଟୋରେ ବସି ଯାଉଥିବାବେଳେ, ପୋଲିସ ସୁରକ୍ଷା ପ୍ରସଙ୍ଗ କହି ତାଙ୍କୁ ବାଟରେ ଅଟକାଇଥିଲା । ଏହାକୁ ନେଇ ପୋଲିସ ସହ କେଜ୍ରିୱାଲଙ୍କ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଅରବିନ୍ଦ କେଜ୍ରିୱାଲ ପୋଲିସକୁ କହିଥିଲେ ଯେ, ''ମୋର ସୁରକ୍ଷା ଆବଶ୍ୟକ ନାହିଁ । ଆପଣ ମୋର ସୁରକ୍ଷା ବ୍ୟବସ୍ଥା ହଟାଇ ଦିଅନ୍ତୁ ଓ ନିଜ ମୁଖ୍ୟମନ୍ତ୍ରୀଙ୍କୁ ଦିଅନ୍ତୁ । ମୋତ ଜନତାଙ୍କ ପାଖକୁ ଯିବାକୁ ଆପଣ ଅଟକାଉଛନ୍ତି । ଆପଣମାନେ ନିଜ ନେତାଙ୍କୁ କୁହନ୍ତୁ ପ୍ରୋଟୋକଲ ଭାଙ୍ଗି ଲୋକଙ୍କ ପାଖକୁ ଯିବେ । ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ କୁହନ୍ତୁ ଟିକେ ଘରୁ ବାହାରକୁ ବାହାରିବେ । ଆମେ ସୁରକ୍ଷା ଚାହୁଁ ନାହୁଁ । ଆପଣଙ୍କ ନେତା ଲୋକଙ୍କ ପାଖକୁ ଯାଉନାହାନ୍ତି । ଏଥିପାଇଁ ଗୁଜୁରାଟ ଲୋକମାନେ ଦୁଃଖୀ ଅଛନ୍ତି ।''