ନୂଆଦିଲ୍ଲୀ:ନୂଆ ବିବାଦରେ ଫସିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ନିଜ ବାସଭବନ ମରାମତି କରିବାକୁ ନେଇ ବିପୁଳ ଅର୍ଥ ଖର୍ଚ୍ଚ କରୁଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । କେଜ୍ରିୱାଲ ନିଜ ବିଳାସମୟ ବାସଭବନ ସିସ୍ ମହଲ ପାଇଁ ୨୨ଟି ଟେଲିଭିଜିନ କିଣିଥିବା କହିଛନ୍ତି ଦିଲ୍ଲୀ ପ୍ରଦେଶ ବିଜେପି ମୁଖପାତ୍ର ହରିଶ ଖୁରାନା । ତାଙ୍କ କହିବାନୁସାରେ କେଜ୍ରିୱାଲଙ୍କ ଘରେ ପ୍ରାୟ ୧.୪୨ କୋଟି ଟଙ୍କାର ଟିଭି କିଣୁଛନ୍ତି । ତେବେ ସେ କେତେ ଲୋକଙ୍କ କେତେ ଟଙ୍କା ଠକିଛନ୍ତି ଏଥିରୁ ଲୋକ ଜାଣିଯିବେ ବୋଲି କହିଛନ୍ତି ହରିଶ ।
ଏ ନେଇ ହରିଶ କହିଛନ୍ତି, "ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଥମେ ୮୫ ଇଞ୍ଚର ୧୩ଟି ଟିଭି, ଦ୍ବିତୀୟ ଥର ୫୫ ଇଞ୍ଚର ୫ଟି ଟିଭି, ୩ୟ ଥର ୪୩ ଇଞ୍ଚର ୪ଟି ଟିଭି କିଣିଛନ୍ତି । ଏହି ଟିଭିଗୁଡ଼ିକ ଏକ କୋରିଆନ କମ୍ପାନୀର । ଏ ସମ୍ପର୍କରେ ମୁଁ ବିଶେଷ ସୂତ୍ରରୁ ଖବର ପାଇଛି । ଏହି କୋରିଆନ ଟିଭିର ଦାମ ୩ ଲକ୍ଷ ୨୫ ହଜାର । ହେଲେ କେଜ୍ରିୱାଲ ଗୋଟିଏ ଟିଭିକୁ ୧୦ ଲକ୍ଷ ଟଙ୍କାରେ କିଣିଛନ୍ତି । ଏଥିରୁ ଆପଣ ଜାଣିପାରୁଥିବେ ସେ କେତେ କୋଟି ଠୁଳ କରିଛନ୍ତି । କେଜ୍ରିୱାଲ ଏହାର ଉତ୍ତର ଦିଅନ୍ତୁ । ସେ ସବୁବେଳେ କୁହନ୍ତି ସେ ଜଣେ ସାଦାସିଧା ବ୍ୟକ୍ତି । ୪ଟି କୋଠରୀ ଥିବା ଘରେ ରହିପାରିବେ । ତେବେ ତାଙ୍କ ଘରେ ୨୨ଟି ଟିଭି କଣ କରୁଛି ?"