ଡେରାଡୁନ:ସାମୟିକ ଭାବେ ବନ୍ଦ ରହିଲା କେଦାରନାଥ ଧାମ ଯାତ୍ରା । ଆସନ୍ତା ୩ଦିନ ଧରି ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରାଯିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଉତ୍ତରାଖଣ୍ଡ ସରକାର । ତେବେ ବର୍ଷା ହେବାକୁ ଥିବା ଜିଲ୍ଲାମାନଙ୍କରେ ରେଡ ଆଲର୍ଟ ଜରି କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି । ଏହା ସହିତ SDRF ଓ ପୋଲିସକୁ ମଧ୍ୟ ସତର୍କ ରଖାଯାଇଥିବା କୁହାଯାଇଛି ।
କେଦାରନାଥ ଯାତ୍ରାରେ ଥିବା କିଛି ଶ୍ରଦ୍ଧାଳୁ ସୋନପ୍ରୟାଗରେ ପହଞ୍ଚିଥିବା ତୀର୍ଥଯାତ୍ରୀଙ୍କୁ ଅଟକାଇ କେଦାରନାଥ ପରିବର୍ତ୍ତେ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ବର୍ତ୍ତମାନ ସୁଦ୍ଧା ପ୍ରାୟ 90 ହଜାର ତୀର୍ଥଯାତ୍ରୀ ଏପର୍ଯ୍ୟନ୍ତ ବାବା କେଦାରଙ୍କୁ ପରିଦର୍ଶନ କରିସାରିଛନ୍ତି । ଏହା ବ୍ୟତୀତ ଯାତ୍ରୀମାନଙ୍କୁ ବିଭିନ୍ନ ଷ୍ଟପ୍ରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନର ଟିମ ନିୟୋଜିତ ରହି ପାଣିପାଗ ସମ୍ପର୍କରେ ତାଜା ସୂଚନା ଦେଇ ସଚେତନ କରାଉଛନ୍ତି । ବର୍ତ୍ତମାନ ପାଗ ସ୍ବାଭାବିକ ହେଲେ ଯାତ୍ରା ପୁଣିଥରେ ସ୍ବାଭାବିକ ହେବା ବୋଲି ସ୍ଥାନୀୟ ପ୍ରଶାସନ କହିଛି ।