ହାଇଦ୍ରାବାଦ: ଦଶହରାରେ ଜାତୀୟ ଦଳ ଘୋଷଣା କରିବେ କେସିଆର । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଜାତୀୟ ଦଳକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ କିଛି ମାସ ପୂର୍ବରୁ କେସିଆର ନିଜେ ଜାତୀୟ ରାଜନୀତିରେ ପ୍ରବେଶ କରିବା ନେଇ ସଙ୍କେତ ଦେଇ ସାରିଥିବା ବେଳେ ଚଳିତ ଦଶହରାରେ ସେ ତାଙ୍କର ଜାତୀୟ ଦଳ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଜୟା ଦଶମୀରେ କେସିଆରଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି (TRS)ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଜାତୀୟ ଦଳ ଗଠନ ନେଇ ସଙ୍କଳ୍ପ ପାରିତ ହେବା ନେଇ ଅନୁମାନ କରାଯାଉଛି ।
ସୂଚନା ଅନୁସାରେ, ଦଳୀୟ କାର୍ଯ୍ୟକାରିଣୀରେ ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆର ଅଧ୍ୟକ୍ଷତା କରିବାକୁ ଥିବା ବେଳେ ସମସ୍ତ ମନ୍ତ୍ରୀ, ବିଧାୟକ, ବିଧାନ ପରିଷଦ ସଦସ୍ୟ ଓ କାର୍ଯ୍ୟକାରିଣୀ ସଦସ୍ୟ ଅଂଶଗ୍ରହଣ କରିବେ । ଏହି ବୈଠକରେ ଜାତୀୟ ଦଳ ଗଠନ ନେଇ ସଙ୍କଳ୍ପ ପାରିତ ହେବ । ଅନ୍ୟ ଏକ ସୂଚନା ଅନୁସାରେ ନୂତନ ଜାତୀୟ ଦଳ ନୁହେଁ ବରଂ ବର୍ତ୍ତମାନର TRS କୁ ଜାତୀୟ ଦଳରେ ପରିବର୍ତ୍ତନ କରିବା ପାଇଁ ଦଳ ଲକ୍ଷ୍ୟ ରଖିଛି । ଉକ୍ତ ବୈଠକରେ ଏନେଇ ସଙ୍କଳ୍ପ ପାରିତ ହେବା ପରେ ଟିଆରଏସକୁ ଜାତୀୟ ଦଳ ଭାବେ ପଞ୍ଜୀକୃତ କରିବା ପାଇଁ ନିର୍ବାଚନ ଆୟୋଗକୁ ଅନୁରୋଧ କରିବ ଦଳ । ସେହିପରି ଦଳର ନାମ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ ପରିବର୍ତ୍ତେ ‘ଭାରତ ରାଷ୍ଟ୍ର ସମିତି’ ବୋଲି ରଖାଯିବା ନେଇ ମଧ୍ୟ ବିଚାର ବିମର୍ଶ ଜାରି ରହିଛି ।