ନୂଆଦିଲ୍ଲୀ: 2024 ସାଧାରଣ ନିର୍ବାଚନକୁ ମଝିରେ ମାତ୍ର ବର୍ଷେ । କିନ୍ତୁ ରାଜନୈତିକ ଉଷ୍ମତା ଏବେଠାରୁ ଅନୁଭବ ହେବା ଆରମ୍ଭ ହୋଇଗଲାଣି । ଗତ ଦୁଇଟି ସାଧାରଣ ନିର୍ବାଚନରେ ବିଜେପିର ପ୍ରଚଣ୍ଡ ମହୁମତ ଦେଖି ଛାନିଆ ବିରୋଧୀ । ବିଜେପି ବିରୋଧରେ ଏଥର ଏକକ ଲଢେଇ ନୁହେଁ ବରଂ ମିଳିତ ଲଢେଇ ପାଇଁ ଅଣ୍ଟା ଭିଡିବା ଆରମ୍ଭ କରିଛନ୍ତି ବିରୋଧୀ ଦଳ । ରାଷ୍ଟ୍ରପତି ନିର୍ବାଚନରେ ଗୋଟିଏ ମଞ୍ଚକୁ ଆସି ବିଜେପି ନେତୃତ୍ବାଧୀନ ଶାସକ ମେଣ୍ଟ NDA ବିରୋଧରେ ପ୍ରାର୍ଥୀ ଦେଇଥିବା ମିଳିତ ବିରୋଧୀ ସମାନ ଢଙ୍ଗରେ 2024 ସାଧାରଣ ନିର୍ବାଚନରେ ମଧ୍ୟ ବିଜେପିକୁ ମାତ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ।
ଏହି କ୍ରମରେ ବିହାରରେ ବିଜେପି ହାତ ଛାଡି ମହାମେଣ୍ଟ ସମର୍ଥନରେ ସରକାର ଗଠନ କିରଥିବା JDU ମୁଖ୍ୟ ନୀତିଶ କୁମାର ବିରୋଧୀଙ୍କୁ ମିଳିତ କରିବାରେ ପ୍ରାୟସ ଆରମ୍ଭ କରି ସାରିଥିବା ବେଳେ ଦକ୍ଷିଣରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା TRS ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା TMC ମିଳିତ ବିରୋଧୀଙ୍କୁ ବିଜେପି ବିରୋଧରେ ମିଳିତ କରିବା ନେଇ ଖୋଲା ଘୋଷଣା କରି ସାରିଛନ୍ତି । ଏପଟେ ଆଜି ଦିଲ୍ଲୀରେ ନୀତିଶ କୁମାର ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ରାହୁଲ ଗାନ୍ଧୀଙ୍କୁ ଭେଟି ବିରୋଧୀ ମେଣ୍ଟକୁ ବଳ ଯୋଗାଇଛନ୍ତି ।
ତେବେ ନିକଟରେ ଦେଶର ରାଜନୈତିକ ମାନଚିତ୍ରରେ ଘଟିଥିବା ବଡ ପରିବର୍ତ୍ତନ ମଧ୍ୟରେ ବିରୋଧୀଙ୍କୁ ଏକାଠି କରିବା ଅଭିଯାନର ମଙ୍ଗ ଧରିଛନ୍ତି କେ.ସି.ଆର ଓ ନୀତିଶ କୁମାର । ବର୍ତ୍ତମାନ ବିଭିନ୍ନ ଅଣ ବିଜେପି ରାଜ୍ୟ ପରିକ୍ରମା କରି ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟିବାରେ ଲାଗିଥିବା କେ.ସି.ଆର ଆଜି 2024 ସାଧାରଣ ନିର୍ବାଚନ ନେଇ ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ଅଣ ବିଜେପି ସରକାର ଗଠନ ହେଲେ ସାରା ଦେଶର କୃଷକଙ୍କୁ ଦେୟମୁକ୍ତ ବିଜୁଳି (KCR announce free power supply to all the farmers) ଯୋଗାଇ ଦିଆଯିବା ନେଇ ଘୋଷଣା କରିଛନ୍ତି । ଆଜି ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ସେ ଏହି ଘୋଷଣା କରିଛନ୍ତି ।
ବିଭିନ୍ନ ରାଜ୍ୟ ବୁଲୁଛନ୍ତି KCR :-
ଅନ୍ୟପଟେ ବିହାରରେ ସତ୍ତା ପରିବର୍ତ୍ତନ ହେବା ପରେ ଗତ ସପ୍ତାହରେ କେ.ସି.ଆର ପାଟନା ଗସ୍ତ କରି ମୁଖ୍ୟମନ୍ତ୍ରୀ ନୀତିଶ ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଭେଟି ଆଲୋଚନା କରିଥିଲେ । ପୂର୍ବରୁ ସେ ମଧ୍ୟ ଦିଲ୍ଲୀ ଗସ୍ତ କରି ସାମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସାକ୍ଷାତ କରିଥିଲେ । ପରେ ସେ ପଞ୍ଜାବ ଗସ୍ତ କରି ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ । ତେବେ ମୋଦି ବିରୋଧୀ ଆଭିମୁଖ୍ୟ ପାଇଁ ଚର୍ଚ୍ଚାରେ ଥିବା କେ.ସି.ଆର ଜାତୀୟ ସ୍ତରରେ 2024 ରେ ଏକ ମିଳିତ ବିରୋଧୀ ମଞ୍ଚ ଗଠନ କରିବାର ପ୍ରୟାସକୁ ଆହୁରି ବ୍ୟାପକ କରିବାରେ ଲାଗିଛନ୍ତି ।
ନୀତିଶ ହେବେ କି ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ?
ଅନ୍ୟପଟେ ଜାତୀୟ ରାଜନୀତିରେ ପୂର୍ବରୁ ସକ୍ରିୟ ଥିବା ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିଜେପିକୁ ଝଟକା ଦେଇଛନ୍ତି । ହଠାତ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିବା ସହ ମହାମେଣ୍ଟ ସହଯୋଗରେ 24 ଘଣ୍ଟା ମଧ୍ୟରେ ନୂତନ ସରକାର ଗଠନ କରି ବିଜେପିକୁ ବିରୋଧୀ ଆସନକୁ ଠେଲି ଦେଇଛନ୍ତି । ରାଜନୀତିରେ ଲମ୍ବା ଇନିଂସ ଖେଲିଥିବା ସମାଜବାଦୀ ନେତା ନୀତିଶ କୁମାର ମିଳିତ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଅଭିଳାଷ ପାଇଁ ବିଜେପି ଛାଡିଥିବା ଚର୍ଚ୍ଚା ହେବାରେ ଲାଗିଛି । ଅନ୍ୟପଟେ ଏପରି ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଖଣ୍ଡନ ନକରି କେବଳ ଏଡାଇ ଚାଲିଛନ୍ତି ନୀତିଶ । ବର୍ତ୍ତମାନ ଯିଏ ଶାସନରେ ଅଛନ୍ତି ସେମାନେ 2024 ରେ କ୍ଷମତା ହରାଇବେ ବୋଲି ନୀତିଶ ପରୋକ୍ଷ ଇଙ୍ଗିତ କରିଛନ୍ତି । ସେହିପରି ଦଳର ପ୍ରାଦେଶିକ କାର୍ଯ୍ୟକାରିଣୀରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ନୀତିଶ କହିଛନ୍ତି, ଯଦି ମିଳିତ ବିରୋଧୀ ନିର୍ବାଚନ ଲଢନ୍ତି, ତେବେ ବିଜେପି ମାତ୍ର 50 ସିଟରେ ସୀମିତ ରହିବାକୁ ବାଧ୍ୟ ହେବ । ବିଜେପି ଏହାକୁ ନୀତିଶଙ୍କ ଦିବାସ୍ବପ୍ନ କହି କଟାକ୍ଷ କରିଛି ।
ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ସକ୍ରିୟ ନୀତିଶ:-
ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତିଶ ମଧ୍ୟ ଗୋଟିଏ ପରେ ଗୋଟିଏ ଅଣ ବିଜେପି ନେତାଙ୍କୁ ଭେଟିବା ଆରମ୍ଭ କରିଛନ୍ତି । ସେ ଆଜି ଦିଲ୍ଲୀ ଗସ୍ତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିବା ବେଳେ APP ମୁଖ୍ୟ କେଜ୍ରିଓ୍ବାଲଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ APP ମିଳିତ ବିରୋଧୀ ମେଣ୍ଟରେ ସାମିଲ ହେବା ନେଇ ସିଧାସଳଖ ସଙ୍କେତ ଦେଇନଥିବା ବେଳେ ସିବିଆଇ ଓ ଇଡି କାର୍ଯ୍ୟାନୁଷ୍ଠାନରେ ଅତିଷ୍ଠ ହୋଇ ସାରିଲାଣି । ଏହାକୁ ବିଜେପିର ରାଜନୈତିକ ଆକ୍ରୋଷମୂଳକ କାର୍ଯ୍ୟ ବୋଲି କହିଛନ୍ତି । ତାଙ୍କ ସରକାରକୁ ବିଜେପି ଟଙ୍କା ଓ କେନ୍ଦ୍ରୀୟ ସଂସ୍ଥାର ଦ୍ବାରା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସମୟରେ APP ର ସ୍ଥିତିକୁ ଦେଖିବାକୁ ଗଲେ, ଯଦି 2024 ରେ ବିରୋଧୀ ମିଳିତ ହେଉଛନ୍ତି, ତେବେ ଆପ ମଧ୍ୟ ବିଜେପି ବିରୋଧୀ ମେଣ୍ଟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାର ପୂର୍ବାକଳନ ପ୍ରକାଶ ପାଉଛି ।