ଓଡିଶା

odisha

By

Published : Mar 12, 2023, 7:11 PM IST

ETV Bharat / bharat

ବିଗିଡିଲା କେସିଆରଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଅସୁସ୍ଥ । ପେଟରେ ସମସ୍ୟା ପରେ ହସ୍ପିଟାଲରେ ଭର୍ତ୍ତି । ସେପରି କୌଣସି ଜଟିଳତା ନଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା । ଅଧିକ ପଢନ୍ତୁ

ବିଗିଡିଲା କେସିଆରଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି
ବିଗିଡିଲା କେସିଆରଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ:ହସ୍ପିଟାଲରେ ଭର୍ତ୍ତି ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି ମୁଖ୍ୟ କେସିଆର । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଯିବା ପରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏଆଇଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲର ମୁଖ୍ୟ ତଥା କାର୍ଯ୍ୟରତ ଡାକ୍ତର ଡ.ନାଗେଶ୍ବର ରେଡ୍ଡୀ କେସିଆରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି । ତାଙ୍କର ପାକସ୍ତଳୀରେ କିଛି ସମସ୍ୟା ଦେଖାଯାଇଥିବା ଜଣାପଡିଛି । ସେପରି କିଛି ଜଟିଳତା ନାହିଁ ଓ ସେ ଏବେ ଡାକ୍ତରୀ ଟିମ୍‌ର ନିରୀକ୍ଷଣରେ ରହିଥିବା ସୂଚନା ମିଳିଛି ।

ତେବେ କେସିଆରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ‘‘ସେ ଏବେ ବରିଷ୍ଠ ଡାକ୍ତର ତଥା ହସ୍ପିଟାଲର ମୁଖ୍ୟ ଡା.ନାଗେଶ୍ବର ରେଡ୍ଡୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନିରୀକ୍ଷଣରେ ଅଛନ୍ତି । ତାଙ୍କଠାରେ ସେପରି କିଛି ଜଟିଳତା ପ୍ରକାଶ ପାଇନାହିଁ । ତାଙ୍କ ପାକସ୍ତଳୀରେ କିଛି ସମସ୍ୟା ଦେଖାଯିବା କାରଣରୁ ସେ ଅସୁସ୍ଥତା ଅନୁଭବ କରିଥିଲେ । ସେ ହସ୍ପିଟାଲରେ ପହଞ୍ଚିବା ପରେ ପ୍ରଥମେ ତାଙ୍କର ସି.ଟି ଏବଂ ଏଣ୍ଡୋସ୍କୋପି କରାଯାଇଥିଲା । ଏବେ ସେ ଡାକ୍ତରୀ ନୀରିକ୍ଷଣରେ ଅଛନ୍ତି । ତାଙ୍କର ଅନ୍ୟ ସମସ୍ତ ଶାରିରୀକ ଗତିବିଧି ସ୍ବାଭାବିକ ରହିଛି ।’’

କେସିଆର ଝିଅ ତଥା ତେଲେଙ୍ଗାନା ବିଧାନ ପରିଷଦର ସଦସ୍ୟା କେ.କବିତା ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରରେ ଅଛନ୍ତି । ଗତକାଲି(ଶନିବାର) ତାଙ୍କୁ ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ 9 ଘଣ୍ଟା ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରେ ପୁଣି ତାଙ୍କୁ 16 ତାରିଖରେ ହାଜର ହେବା ପାଇଁ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ସମନ ଜାରି କରିଛି । କବିତା ଏବେ ଦିଲ୍ଲୀରେ ଅଛନ୍ତି ।

କେସିଆର ଏବେ ନିଜ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଜାତୀୟ ଦଳ ଭାବେ ପରିବର୍ତ୍ତିତ କରି ଭାରତ ରାଷ୍ଟ୍ର ସମିତି ଭାବେ ପୁନଃନାମିତ କରିଛନ୍ତି । ସେହିପରି ସେ ତେଲେଙ୍ଗାନା ରାଜନୀତିରୁ ବାହାରକୁ ଯାଇ ଜାତୀୟ ରାଜନୀତିରେ ମଧ୍ୟ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । 2024ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିରୋଧରେ ବିରୋଧୀ ଦଳଗୁଡିକୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଛନ୍ତି କେସିଆର । ଏହି ମିଶନରେ ସେ ଏକାଧିକ ଅଣ ବିଜେପି ଶାସିତ ରାଜ୍ୟ ଗସ୍ତ କରି ବିଭିନ୍ନ ବିରୋଧୀ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ମଧ୍ୟ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details