ଓଡିଶା

odisha

ETV Bharat / bharat

ଆଜି ଦିଲ୍ଲୀରେ ଧାରଣା ଦେବେ କବିତା, କାଲି ଇଡିରେ ହୋଇପାରନ୍ତି ହାଜର - ଜନ୍ତର ମନ୍ତରରେ ଧାରଣା ପ୍ରଦର୍ଶନ କରିବେ କବିତା

ମହିଳା ସଂରକ୍ଷଣ ବିଲ୍ ଦାବି ଆଜି ଦିଲ୍ଲୀରେ ଧାରଣା ଦେବେ ମୁଖ୍ୟମନ୍ତ୍ରୀ କେସିଆରଙ୍କ କବିତା । ଆସନ୍ତାକାଲି ଇଡିରେ ହାଜର ହୋଇପାରନ୍ତି । ଅଧିକ ପଢନ୍ତୁ

ଆଜି ଦିଲ୍ଲୀରେ ଧାରଣା ଦେବେ କବିତା
ଆଜି ଦିଲ୍ଲୀରେ ଧାରଣା ଦେବେ କବିତା

By

Published : Mar 10, 2023, 10:11 AM IST

ହାଇଦ୍ରାବାଦ: ଇଡିରେ ହାଜର ହେବା ପୂର୍ବରୁ ଆଜି ଦିଲ୍ଲୀରେ ଧାରଣା ଦେବେ ବିଆରଏସ MLC ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା । ସଂସଦରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ କରିବା ଦାବିରେ ରାଜଧାନୀର ଯନ୍ତରମନ୍ତର ଠାରେ କବିତା ଧାରଣା ପ୍ରଦର୍ଶନ କରିବେ । ଏଥିପାଇଁ ତାଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ ଅନୁମତି ଦିଆଯାଇଛି । ଆଜି ଆନ୍ଦୋଳନ ପରେ ଆସନ୍ତାକାଲି ବିଆରଏସ୍ ନେତ୍ରୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ(ED) ହାଜର ହୋଇପାରନ୍ତି । ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା କରିବା ପାଇଁ ତାଙ୍କୁ ଇଡି ପକ୍ଷରୁ ସମନ ଜାରି ହୋଇଛି ।

ଯାହା ସୂଚନା ମିଳିଛି, ଭାରତ ଜାଗୃତି ସଂଗଠନର ଅଧ୍ୟକ୍ଷ ଥିବା କବିତାଙ୍କୁ ଯନ୍ତରମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ପ୍ରଥମେ ଦିଲ୍ଲୀ ପୋଲିସ ପକ୍ଷରୁ ଅନୁମତି ମିଳିଥିଲା । ପରେ କୌଣସି କାରଣରୁ ମନା କରାଯାଇଥିଲା । ହେଲେ ପୋଲିସ ସହିତ ଭାରତ ଜାଗୃତି ସଂଗଠନର ପ୍ରତିନିଧିଙ୍କ ଆଲୋଚନା ପରେ ପୁଣିଥରେ ଧାରଣା ପାଇଁ ଅନୁମତି ଦିଆଯାଇଛି । ଯାହାଫଳରେ ବିଆରଏସ ନେତ୍ରୀ କବିତାଙ୍କ ନେତୃତ୍ବରେ ଆଜି ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଯନ୍ତରମନ୍ତର ଠାରେ ଧାରଣା ପ୍ରଦର୍ଶନ କରାଯିବ । ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଣିବା ଦାବିରେ କବିତା ଏହି ଆନ୍ଦୋଳନ କରିବେ ।

କବିତାଙ୍କ ଭାରତ ଜାଗୃତି ସଂଗଠନର ପ୍ରତିନିଧିମାନଙ୍କ ପକ୍ଷରୁ ଧାରଣା ସ୍ଥଳରେ ପାଖାପାଖି ୬ ହଜାର ଲୋକଙ୍କ ବସିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । ସେହିପରି ଧାରଣାରେ ସାମିଲ ହେବା ପାଇଁ ତେଲେଙ୍ଗାନା ମନ୍ତ୍ରୀ ସବିତା ଇନ୍ଦିରା ରେଡ୍ଡୀ ଏବଂ ସତ୍ୟବତୀ ରାଥୋଡ ଦିଲ୍ଲୀରେ ପହଞ୍ଚିଛନ୍ତି । ତେବେ ପୂର୍ବରୁ ଦିଲ୍ଲୀ ପୋଲିସ ଧାରଣା ପାଇଁ ଅନୁମତି ନଦେବାକୁ ନେଇ କବିତା କଡା ପ୍ରତିକ୍ରିୟା ରଖିଛନ୍ତି ।

ବିଆରଏସ୍ MLC କହିଛନ୍ତି, ପୋଲିସ ପ୍ରଥମେ ଧାରଣା ପାଇଁ ଅନୁମତି ଦେଇ ପରେ କେମିତି ମନା କରିପାରିବ । ଧାରଣା ପ୍ରଦର୍ଶନ ଲାଗି ଯନ୍ତରମନ୍ତର ଠାରେ ଅଧା ଜାଗା ବ୍ୟବହାର କରିବାକୁ ପୋଲିସ ଆମକୁ ପରାମର୍ଶ ଦେଇଛି । ଏଥିରେ ପାଖାପାଖି ୫୦୦୦ ଲୋକଙ୍କ ସମାଗମ ହେବାକୁ ଆଶା କରୁଥିବାରୁ ତଦନୁଯାୟୀ ବ୍ୟବସ୍ଥା କରାଯାଇଛି । ପୋଲିସ କହିଛି ଯେ, ହଠାତ୍ ଅନ୍ୟ କେତେକ ଲୋକ ଏହି ଅଞ୍ଚଳରେ ଧାରଣା ଦେବା ପାଇଁ ଆବେଦନ କରିଛନ୍ତି । ଏ ସମ୍ପର୍କରେ ଆମେ ଆଗରୁ ଜାଣିନଥିଲୁ । ତେବେ ଯେଉଁ ସ୍ଥାନରେ ଧାରଣା ଦିଆଯିବ ସେହି ଅଞ୍ଚଳକୁ ଜାଗୃତି ସଂଗଠନ ବ୍ୟତୀତ ଅନ୍ୟ କାହାକୁ ନଦେବା ପାଇଁ ପୋଲିସକୁ ଅନୁରୋଧ କରୁଛି ବୋଲି କବିତା କହିଛନ୍ତି ଏବଂ ପୋଲିସର ସହଯୋଗ କାମନା କରିଛନ୍ତି ।

କବିତା ବିଜେପି ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ, ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ବିଜେପି କାର୍ଯ୍ୟକାରୀ କରିବା ଉଚିତ୍ । ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ସଂସଦ ଅଧିବେଶନରେ ବିଲ୍ ଗୃହୀତ କରିବାକୁ ପୂର୍ବରୁ ବିଆରଏସ ନେତ୍ରୀ ଦାବି କରିଥିଲେ । ୨୦୧୪ ଓ ୨୦୧୮ ନିର୍ବାଚନ ସମୟରେ ବିଜେପି ନିଜର ଦୁଇଟି ଇସ୍ତାହାରରେ ଏନେଇ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏ ଯାଏଁ ପ୍ରତିଶ୍ରୁତି ପୂରଣ କରିନାହିଁ । ତେଣୁ ଆସନ୍ତା ସଂସଦ ଅଧିବେଶନରେ ଏ ସଂକ୍ରାନ୍ତୀୟ ବିଲ୍ ପାରିତ କରିବା ଦାବିରେ ଆଜି ଆନ୍ଦୋଳନକୁ ଓହ୍ଲାଇବେ କବିତା ।

ABOUT THE AUTHOR

...view details