ବେଙ୍ଗାଲୁରୁ:ଜଣେ ଉଚ୍ଚପଦସ୍ଥ ମହିଳା ଖଣି ଅଧିକାରୀଙ୍କୁ ଘରେ ପଶି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଆଜି ରକ୍ତାକ୍ତ ଅବସ୍ଥାରେ ଅଧିକାରୀଙ୍କ ମୃତଦେହ ସେ ରହୁଥିବା ଘରୁ ଉଦ୍ଧାର ହୋଇଛି । ଗତକାଲି(ଶନିବାର) ରାତିରେ ବେଙ୍ଗାଲୁରର ସୁଭ୍ରାମଣ୍ୟାପୁରା ସ୍ଥିତ ଘରେ କେହି ନଥିବା ବେଳେ ତାଙ୍କୁ ଜଣେ କିମ୍ବା ଏକାଧିକ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡିଛି । ଏହି ଅଧିକାରୀଙ୍କ ନାମ ପ୍ରତିମା ଓ ରାଜ୍ୟ ଖଣି ଏବଂ ଜିଓଲୋଜି ବିଭାଗର ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ ।
ପୋଲିସର ପ୍ରାଥମିକ ତଦନ୍ତ ପରେ ମିଳିଥିବା ସୂଚନା ଅନୁସାରେ, ଏହି 45 ବର୍ଷୀୟା ଅଧିକାରୀ ଜଣକ ରାଜ୍ୟ ଖଣି ଓ ଜିଓଲୋଜି ବିଭାଗରେ ଉପନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଥିଲେ । ସେ ବେଙ୍ଗାଲୁରୁର ସୁଭ୍ରାମଣ୍ୟାପୁରାରେ ଗତ 8 ବର୍ଷ ହେଲା ନିଜ ସ୍ବାମୀ ଓ ପୁଅ ସହିତ ରହିଆସୁଥିଲେ । କୌଣସି କାରଣରୁ ଗତକାଲି ରାତିରେ ପୁଅ ଓ ସ୍ବାମୀ ଅନ୍ୟତ୍ର ଯାଇଥିଲେ । ରାତିରେ ଏକାଥିବା ବେଳେ ପ୍ରତିମାଙ୍କ ଉପରେ ଏକାଧିକ ଦୁର୍ବୃତ୍ତ ଘରେ ପଶି ଆକ୍ରମଣ କରିଥିଲେ । ଧାରୁଆ ଅସ୍ତ୍ରରେ ତାଙ୍କ ଆକ୍ରମଣ କରି ହତ୍ୟା କରାଯାଇଛି । ଆଜି ସକାଳେ ତାଙ୍କ ଭାଇ ଫ୍ଲାଟରେ ପହଞ୍ଚି ପ୍ରତିମାଙ୍କ ରକ୍ତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ ।
ମୃତ ପ୍ରତିମାଙ୍କ ଭାଇଙ୍କ କହିବା ଅନୁସାରେ, ସେ ଗତକାଲି ରାତି ପ୍ରାୟ 8ଟାରେ ଅଫିସରୁ ଘରକୁ ଫେରିଥିଲେ । ପରେ ଆଉ ଫୋନ କଲ ରିସିଭ କରିନଥିଲେ । ତାଙ୍କୁ ତାଙ୍କ ଅଫିସ ଡ୍ରାଇଭର ଆଣି ଘରେ ଛାଡିଥିଲା । ଏହାର ମାତ୍ର କିଛି ସମୟ ମଧ୍ୟରେ ତାଙ୍କ ସହ ଯୋଗାଯୋଗ ହୋଇନଥିଲା । ଫଳରେ ଆଜି ସେ ତାଙ୍କ ଫ୍ଲାଟରେ ପହଞ୍ଚିଥିଲେ । ତେଣୁ ଦୁର୍ବୃତ୍ତମାନେ ତାଙ୍କୁ ଅଫିସରୁ ପିଚ୍ଛା କରି ଆସିଥିବା ସନ୍ଦେହ ମଧ୍ୟ କରାଯାଉଛି ।