ବେଙ୍ଗାଲୁରୁ:ଆଜିଠୁ କର୍ଣ୍ଣାଟକରେ ଆରମ୍ଭ ହେଲା ସିଦ୍ଧରମୈୟାଙ୍କ ଶାସନ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା । ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଆଜି ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହିତ ୮ ଜଣ ନବନିର୍ବାଚିତ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବେଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ହିମାଚଳର ସୁଖବିନ୍ଦର ସିଂହ ସୁଖୁ, ଏମକେ ଷ୍ଟାଲିନ, ହେମନ୍ତ ସୋରେନ, ଅଶୋକ ଗେହଲଟ ପ୍ରମୁଖ ସାମିଲ ହୋଇଛନ୍ତି ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦ୍ବନ୍ଦର ଅବସାନ ପରେ ଆଜି ବେଙ୍ଗାଲୁରୁରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ରାଜ୍ୟରେ ସରକାର ଗଠନ କରିଛି କଂଗ୍ରେସ । ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିଦ୍ଧରମୈୟା । ଏହାରି ସହିତ ଏହି ଭେଟରାନ ରାଜନେତା ନିଜର ଦ୍ବିତୀୟ ଇନିଂସ ଆରମ୍ଭ କରିଛନ୍ତି । ସେହିପରି ସିଦ୍ଧରମୈୟା ଓ ଶିବକୁମାରଙ୍କ ସହିତ ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ବିଧାୟକମାନେ ହେଲେ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେ, ଜି ପରେମେଶ୍ବର, କେଏଚ ମୁନିୟାପ୍ପା, କେଜେ ଜର୍ଜ, ଏମ୍ ବି ପାଟିଲ, ସତୀଶ ଜାରକିହୋଲି, ରାମଲିଙ୍ଗା ରେଡ୍ଡୀ ଓ ବି ଜେ ଜମିର ଅହମ୍ମଦ ଖାନ ।