ବେଙ୍ଗାଲୁରୁ: ବାୟୁସେନାର ଏକ ‘କିରଣ’ ବିମାନ କର୍ଣ୍ଣାଟକର ଚାମରାଜନଗରରେ କ୍ରାସ ହୋଇ ଖସିପଡିଛି । ଏଥିରେ ଥିବା ଦୁଇ ପାଇଲଟ ସୁରକ୍ଷିତ ଭାବେ ପାରାସୁଟ୍ ମାଧ୍ୟମରେ ଅବତରଣ କରିବାରେ ସଫଳ ହୋଇଛନ୍ତି । ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ରୁଟିନ ଉଡାଣ ବେଳେ ମଧ୍ୟାହ୍ନରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିଲା ସୁଦ୍ଧା ଯାନ୍ତ୍ରିକ ତ୍ରୁଟି ହୋଇଥାଇ ପାରେ ବୋଲି ଅନୁମାନ କରଯାଉଛି । ଦୁର୍ଘଟଣା ସମ୍ପର୍କରେ ସ୍ପଷ୍ଟ କରିବା ସହ କୋର୍ଟ ଅଫ୍ ଇନକ୍ବାରୀ ନିର୍ଦ୍ଦେଶ ମିଳିସାରିଥିବା ବାୟୁସେନା ଟ୍ବିଟ୍ କରି ସୂଚନା ଦେଇଛି ।
ସୂଚନା ଅନୁସାରେ, ନିକଟବର୍ତ୍ତୀ ଏୟାରବେସରୁ ଏହି ‘କିରଣ’ ବିମାନଟି ମଧ୍ୟାହ୍ନ ପ୍ରାୟ 12ଟାରେ ଉଡାଣ ଭରିଥିଲା । ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି ବିମାନଟିକୁ ଦୁଇ ପାଇଲଟ ଉଡାଉଥିଲେ । ତେବେ କୌଣସି କାରଣରୁ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଯୋଗୁଁ ଏହା କ୍ରାସ୍ ହୋଇ ଖସି ପଡିଥିଲା । ଏଥିରେ ଦୁଇ ପାଇଲଟ ପାରାଚ୍ୟୁଟ୍ ସାହାଯ୍ୟରେ ଇଜେକ୍ଟ କରିଥିଲେ । ଉଭୟ ସୁରକ୍ଷିତ ଲ୍ୟାଣ୍ଡିଂ ମଧ୍ୟ କରିଛନ୍ତି । ସେମାନଙ୍କୁ ବାୟୁସେନା ପକ୍ଷରୁ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଯାଇଛି । ଅନ୍ୟପଟେ ବିମାନଟି ଗ୍ରାମଠାରୁ ଦୂର ଏକ କ୍ଷେତରେ ଖସିଥିବାରୁ କୌଣସି ବଡ଼ ଅଘଟଣରୁ ବର୍ତ୍ତି ଯାଇଛି । ସ୍ଥାନୀୟ ପୋଲିସ ପହଞ୍ଚି ବିମାନର ଭଗ୍ନାବଶେଷକୁ କର୍ଡନ କରିଛି । ବାୟୁସେନା ମଧ୍ୟ ବିଭାଗୀୟ ତଦନ୍ତ (କୋର୍ଟ ଅଫ ଇନକ୍ବାରୀ) ନିର୍ଦ୍ଦେଶ ଦେଇଛି । ତଦନ୍ତ ପରେ ଦୁର୍ଘଟଣା ସମ୍ପର୍କରେ ସ୍ପଷ୍ଟ ହେବ ।