ବେଙ୍ଗାଲୁରୁ:ଆଜିକର୍ଣ୍ଣାଟକ ଉଚ୍ଚ ନ୍ୟାୟାଲୟର ବୃହତ୍ତର ଖଣ୍ଡପୀଠରେ ଜାରି ରହିଥିବା ବହୁଚର୍ଚ୍ଚିତ ହିଜାବ ମାମଲାର ଶୁଣାଣି ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ନ ଯାଏଁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ନ ୨.୩୦ ରେ ଏହାର ଶୁଣାଣି ପ୍ରକ୍ରିୟା ପୁନଃ ଆରମ୍ଭ ହେବ । ଆଜି ଶୁଣାଣି ବେଳେ ହିଜାବ ବ୍ୟାନ ବିରୋଧରେ ଆବେଦନ କରିଥିବା ପକ୍ଷରୁ ମାମଲା ପରିଚାଳନା କରିଥିଲେ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ । ତେବେ ବିଭିନ୍ନ ଦିଗକୁ ନେଇ ତର୍କ ହେବା ପରେ ଖଣ୍ଡପୀଠ ମାମଲାର ଶୁଣାଣିକୁ ଆସନ୍ତାକାଲି ଅପରାହ୍ନ ଯାଏ ସ୍ଥଗିତ କରିଛନ୍ତି ।
ଆବେଦନକାରୀଙ୍କ ଓକିଲ କାମାତ ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ରଖିଥିଲେ ଯେ, ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧିପାରିବେ କି ନାହିଁ ସେ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରିବା ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୂକ୍ତ ନୁହେଁ । ଏହାକୁ ଆଇନଗତ ଭାବେ ନୁହେଁ ବରଂ ବିଶ୍ବାସ ଦୃଷ୍ଟିକୋଣରୁ ଦେଖିବାର ଆବଶ୍ୟକତା ରହିଛି । ଅନେକ ସ୍ଥାନରେ ଶିକ୍ଷାନୁଷ୍ଠାନରେ ହିଜାବ ନେଇ କୌଣସି କଟକଣା ନାହିଁ । ବିଧିଗତ ଭାବେ ମଧ୍ୟ କଲେଜ କମିଟି କିମ୍ବା କର୍ତ୍ତୁପକ୍ଷ ମଧ୍ୟ ଏହା ଉପରେ କୌଣସି କଟକଣା ଲଗାଇବା ପାଇଁ ଅଧିକୃତ ନୁହନ୍ତି ବୋଲି କହିଥିଲେ ଆବେଦନକାରୀ ଓକିଲ ।