ନୂଆଦିଲ୍ଲୀ: ହିଜାବ ପ୍ରସଙ୍ଗରେ ଦାୟର ହୋଇଥିବା ଆବେଦନର ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ଦାୟର ଆବେଦନର ଜରୁରୀ ଶୁଣାଣି ନିମନ୍ତେ ତାଲିକାଭୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ବର୍ତ୍ତମାନ ଶିକ୍ଷାନୁଷ୍ଠାନ ଗୁଡିକରେ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ଏହାର ଜରୁରୀ ଶୁଣାଣି କରାଯାଉ ବୋଲି କୁହାଯାଇଥିଲା ।
ମୁଖ୍ୟ ବିଚାରପତି ଏନଭି ରମଣା ଓ ବିଚାରପତି କୃଷ୍ଣ ମୁରାରିଙ୍କ ଖଣ୍ଡପୀଠ ଏହାକୁ ଆଗ୍ରହ୍ୟ କରି ଦେଇଛନ୍ତି । ପୀଠ କହିଛନ୍ତି ପରୀକ୍ଷା ସହିତ ହିଜାବର କୌଣସି ସମ୍ପର୍କ ନାହିଁ । ମାର୍ଚ୍ଚ ୧୬ରେ ସୁପ୍ରିମକୋର୍ଟରେ ହିଜାବ ପ୍ରସଙ୍ଗରେ ଆବେଦନ କରାଯାଇଥିଲା । ହୋଲି ପରେ ଏହି ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଥିଲେ ।