ବେଙ୍ଗାଲୁରୁ: ଗୁଗୁଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ କର୍ଣ୍ଣାଟକ ସରକାର । କନ୍ନଡକୁ ଗୁଗୁଲରେ ସର୍ଚ୍ଚ କରିବା ପରେ ଏହା ଭାରତର ସବୁଠୁ ଖରାପ ଭାଷା ଭାବରେ ଦର୍ଶାଇବା ପରେ ଗୁଗୁଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି କର୍ଣ୍ଣାଟକ ସରକାର ।
ଏହା ଅତ୍ୟନ୍ତ ନିନ୍ଦନୀୟ ବିଷୟ । ଯଦି ଗୁଗୁଲ କିମ୍ବା ଅନ୍ୟ କେହି କନ୍ନଡ ଭାଷାକୁ ଅବମାନନା କରନ୍ତି କିମ୍ବା କନ୍ନଡଙ୍କୁ ଅପମାନ କରନ୍ତି ତେବେ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କର୍ଣ୍ଣାଟକର ଜଙ୍ଗଲ ଏବଂ ସଂସ୍କୃତି ମନ୍ତ୍ରୀ ଅରବିନ୍ଦ ଲିମ୍ବାୱାଲୀ କହିଛନ୍ତି।ସେ କହିଛନ୍ତି ଯେ ଆଇନ ବିଭାଗ ସହିତ ପରାମର୍ଶ ପରେ ସଂସ୍କୃତି ବିଭାଗର ସଚିବଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ଏବଂ ତୁରନ୍ତ ଗୁଗୁଲକୁ ନୋଟିସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।