ଓଡିଶା

odisha

ETV Bharat / bharat

ଆଜି କର୍ଣ୍ଣାଟକ ଜନାଦେଶ: ବିଜୟ ନେଇ ବିଜେପିର ଦୃଢୋକ୍ତି, ରେଜଲ୍ଟ ପରେ ଦେଖିନେବୁ କହିଲା କଂଗ୍ରେସ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆଜି । ବହୁମତରେ ସରକାର ଗଢିବା ନେଇ ଉଭୟ ବିଜେପି ଓ କଂଗ୍ରେସର ଦୃଢୋକ୍ତି । କାହା ସପକ୍ଷରେ ଯିବ ଜନାଦେଶ ତାହା ଫଳାଫଳ ପ୍ରକାଶ ପରେ ସ୍ପଷ୍ଟ ହେବ । ଅଧିକ ପଢନ୍ତୁ

By

Published : May 13, 2023, 7:12 AM IST

Karnataka elections
Karnataka elections

ବେଙ୍ଗାଲୁରୁ: ଆଜି ଆସିବ କର୍ଣ୍ଣାଟକ ଜନାଦେଶ । କାହାର ହେବ କର୍ଣ୍ଣାଟକ ? ସତ ହେବ କି ଏକଜିଟ ପୋଲ ଆକଳନ ? ରାଜ୍ୟରେ କିଏ ସରକାର ଗଢିବ ତାହା ଆଜି ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ । ସକାଳ ୮ଟାରୁ ରାଜ୍ୟବ୍ୟାପୀ ୩୬ଟି କେନ୍ଦ୍ରରେ ଭୋଟ ଗଣତି କରାଯିବ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ବନ୍ଦୋବସ୍ତ କରାଯାଇଛି । ତେବେ ମଧ୍ୟାହ୍ନ ସୁଦ୍ଧା ଫଳାଫଳର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି । କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ପାଇଁ ଗତ ୧୦ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା । ସମୁଦାୟ ୭୩.୧୯ ପ୍ରତିଶତ ମତଦାନ ହାର ରେକର୍ଡ କରାଯାଇଥିଲା ।

ସତ ହେବ କି ଏକଜିଟ୍ ପୋଲ ?

କର୍ଣ୍ଣାଟକରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩ । ତେବେ ନିର୍ବାଚନ ଫଳାଫଳ ପୂର୍ବରୁ ସାମ୍ନାକୁ ଆସିଥିବା ଏକଜିଟ ପୋଲରେ ରାଜ୍ୟରେ ଝୁଲା ସରକାର ଆସିବାର ଅନୁମାନ କରାଯାଉଛି । କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେବ । ତଥାପି ବିଜେପି ତୁଳନାରେ ଏଥର କଂଗ୍ରେସ ଅଧିକ ଆସନ ଜିତିବ ବୋଲି ଅଧିକାଂଶ ଏକଜିଟ ପୋଲରେ ଦାବି କରାଯାଇଛି । କିନ୍ତୁ ଉଭୟ କଂଗ୍ରେସ ଓ ବିଜେପି ଏହି ବୁଥ ବାହୁଡା ମତକୁ ଖଣ୍ଡନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି, ଏକଜିଟ ପୋଲ ସବୁବେଳେ ସତ ହୁଏନାହିଁ । ବିଜେପି ନିଶ୍ଚୟ ପୁଣିଥରେ ରାଜ୍ୟରେ ସରକାର ଗଢିବ । ସେପଟେ କଂଗ୍ରେସ ମଧ୍ୟ ବହୁମତରେ ବିଜୟ ଲାଭ କରିବାର ଦୃଢୋକ୍ତି ପ୍ରକାଶ କରିଛି । ଶନିବାର ଫଳାଫଳ ବାହାରିବା ପରେ ଦେଖିନେବୁ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ।

୨୦୧୮ ନିର୍ବାଚନରେ ବିଜେପି ସର୍ବାଧିକ ୧୦୪ଟି ଆସନ ଜିତିଥିଲା । ମାତ୍ର ମ୍ୟାଜିକ ନମ୍ବର ଠାରୁ ଆସନ ସଂଖ୍ୟା କମ୍ ଥିଲା । ୭୮ଟି ଆସନ ପାଇଥିବା କଂଗ୍ରେସ ୩୭ଟି ଆସନରେ ବିଜୟୀ ହୋଇଥିବା ଜେଡିଏସ୍ ସହ ମେଣ୍ଟ କରି ସରକାର ଗଠନ କରିଥିଲା । ଜେଡିଏସ୍ ମୁଖ୍ୟ ଏଚଡି କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର ବର୍ଷକ ପରେ କଂଗ୍ରେସ ଓ ଜେଡିଏସର କିଛି ବିଧାୟକ ଦଳ ଛାଡିବାରୁ ସରକାର ଭାଙ୍ଗି ଯାଇଥିବା ଓ ବିଜେପି ସରକାର ଗଠନ କରିଥିଲା । ତେଣୁ ଏଥର ମଧ୍ୟ ଝୁଲା ବିଧାନସଭା ନେଇ ଆକଳନ କରାଯାଇଥିବା ବେଳେ କିଏ ସରକାର ଗଢିବ ତାହା ଫଳାଫଳ ବାହାରିବା ପରେ ଜଣାପଡିବ ।

ପ୍ରକାଶଥାଉ କି, ଆଜି ଭୋଟ ଗଣତି ଦୃଷ୍ଟିରୁ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ବେଙ୍ଗାଲୁରୁରେ ସକାଳ ୬ଟାରୁ ରାତି ୧୨ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି । ପୋଲିସ କମିଶନରେଟ ଅଞ୍ଚଳରେ ମଦ ବିକ୍ରି ବ୍ୟାନ କରାଯାଇଛି ।

ABOUT THE AUTHOR

...view details