ବେଙ୍ଗାଲୁରୁ:କର୍ଣ୍ଣାଟକ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ଆର ଧ୍ରୁବନାରାୟଣଙ୍କ ଦେହାନ୍ତ । ଆଜି(ଶନିବାର) ସକାଳ ସମୟରେ ମହୀଶୂରର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡିଆରଏମ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି ।
ଆଜି ସକାଳ ଛାତିରେ ଯନ୍ତ୍ରଣା ହେବାରୁ ଧ୍ରୁବନାରାୟଣଙ୍କ ଡ୍ରାଇଭର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ମଞ୍ଜୁନାଥ କହିଛନ୍ତି । ଧ୍ରୁବନାରାୟଣ 2009ରୁ 2019 ପର୍ଯ୍ୟନ୍ତ ଚାମରାଜନଗର ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ହୋଇଥିଲେ । ଧ୍ରୁବନାରାୟଣଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
ସେ ଟ୍ବିଟ କରି କହିଛନ୍ତି ଯେ, ''ଧ୍ରୁବନାରାୟଣଙ୍କ ଦେହାନ୍ତରେ ମୁଁ ଦୁଃଖିତ । ସେ ଜଣେ କଠିନ ପରିଶ୍ରମୀ ଓ ଦକ୍ଷ ରାଜନେତା ଥିଲେ । ସେ ସାମାଜିକ ନ୍ୟାୟର ଚମ୍ପିଆନ ଥିଲେ ଯିଏ ଏନଏସୟୁ ଏବଂ ଯୁବ କଂଗ୍ରେସ ପଦବୀରୁ ବହୁ ଆଗକୁ ଯାଇଥିଲେ । ତାଙ୍କର ମୃତ୍ୟୁ କଂଗ୍ରେସ ଦଳ ପାଇଁ ଏକ ବିରାଟ କ୍ଷତି । ତାଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି ବୋଲି କହିଛନ୍ତି ରାହୁଲ। ''
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବରିଷ୍ଠ କଂଗ୍ରେସ ନେତାଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, ଧ୍ରୁବନାରାୟଣଙ୍କ ଦେହାନ୍ତରେ ମୁଁ ଦୁଃଖିତ । ସେ କେବଳ ଜଣେ ରାଜନେତା ନଥିଲେ ବରଂ ଜଣେ ଭଲ ମଣିଷ ମଧ୍ୟ ଥିଲେ । ତାଙ୍କର ଦେହାନ୍ତ କେବଳ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ତାହା ନୁହଁ ବରଂ ବ୍ୟକ୍ତିଗତ ସ୍ତରରେ ମୋ ପାଇଁ ମଧ୍ୟ ଏହା ଏକ ବଡ଼ କ୍ଷତି। ''
ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରଣଦୀପ ସିଂ ସୁରଜେୱାଲା ମଧ୍ୟ ଧ୍ରୁବନାରାୟଣଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି କହିଛି ଯେ, ''ସବୁଦିନ ହସୁଥିବା ମୋର ସାଙ୍ଗ ଓ ଆମର ନେତା ଧ୍ରୁବନାରାୟଣଙ୍କ ଦେହାନ୍ତ ଦଳ ପାଇଁ ଏକ ଅପୂରଣୀୟ କ୍ଷତି । ସେ ଜଣେ ଭଲ ନେତା ଥିଲେ । ଗରିବଙ୍କ ପାଇଁ ସେ ନିଜକୁ ସମର୍ପିତ କରିଥିଲେ । ଆମ ଆପଣଙ୍କୁ କେବେବି ଭୁଲିପାରିବୁ ନାହିଁ ବୋଲି କହିଛନ୍ତି ରଣଦୀପ ।''
ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି କର୍ଣ୍ଣାଟକ ଯୁବ କଂଗ୍ରେସ ନେତାଙ୍କ ଦେହାନ୍ତରେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, ''ଏହି ଖବର ଶୁଣିବା ପରେ ମୁଁ ଦୁଃଖିତ । ପୂର୍ବତନ ସାଂସଦ ତଥା କେପିସିସି କାର୍ଯ୍ୟକାରୀ ସଭାପତି ଆର ଧ୍ରୁବନାରାୟଣ ଜୀଙ୍କ ପରି ଜଣେ ନେତାଙ୍କ ଦେହାନ୍ତ ମୋତେ କଷ୍ଟ ଦେଇଛି । ତାଙ୍କ ଆତ୍ମାର ସଦଗତି ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । '