ବେଙ୍ଗାଲୁର: କର୍ଣ୍ଣାଟକ ରାଜନୀତି ଆକାଶରେ ଆସିଥିବା ସାମୟିକ ସଂକଟ ଏବେ ଟଳିଯାଇଛି । ବିଜେପି ନେତୃତ୍ବର ରଣନୀତି ପାଇଁ ପ୍ରଶମତି ହୋଇଛି ସମସ୍ୟା । ବିଦାୟୀ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପାଙ୍କ ସରକାରରେ ଗୃହମନ୍ତ୍ରୀ ଥିବା ବାସବରାଜ ବୋମାଇ ଆଜି (ବୁଧବାର) ଆଉ କିଛି ସମୟ ପରେ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ପୂର୍ବାହ୍ନ ୧୧ ଟାରେ ରାଜଭବନ ପରିସରରେ ଶପଥ ନେବ ନୂଆ ମନ୍ତ୍ରୀ ମଣ୍ଡଳ ।
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଶାସନ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବା ପାଇଁ ୩ ଜଣ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବେ । ମୁଖ୍ୟମନ୍ତ୍ରୀ ଲିଙ୍ଗାୟତ ସମ୍ପ୍ରଦାୟରୁ ଆସୁଥିବା ବେଳେ, ଉପ-ମୁଖ୍ୟମନ୍ତ୍ରୀ ହେବାକୁ ଥିବା ୩ ଜଣଙ୍କ ମଧ୍ୟରେ ଅଛନ୍ତି ୱାଇ ଅଶୋକ, ଗୋବିନ୍ଦ କରଜୋଲ(ଏସସି) ଓ ଶ୍ରୀରାମାଲ୍ଲୁ (ଏସଟି) ସମ୍ପ୍ରଦାୟରୁ ସାମିଲ ଅଛନ୍ତି ।
ଏହାପୂର୍ବରୁ ଗତକାଲି(ମଙ୍ଗଳବାର) କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ହୋଇଥିବା ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କାମଚଳା ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜ ବୋମାଇଙ୍କ ନା ପ୍ରସ୍ତାବ ରଖିଥିଲେ । ଯାହାକୁ ସମସ୍ତ ବିଧାୟକ ସମର୍ଥନ କରିଥିଲେ । ବୈଠକ ପରେ ବିଧାୟକଙ୍କ ନିଷ୍ପତିକୁ ଘୋଷଣା କରିଥିଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ।