ବେଙ୍ଗାଲୁରୁ:କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ଜଣେ ବିଜେପି ଯୁବ ମୋର୍ଚ୍ଚା ନେତାଙ୍କୁ ବିଭତ୍ସ ହତ୍ୟା ପରେ ରାଜ୍ୟରେ ଜାରି ରହିଛି ଉତ୍ତେଜନା । କଡା କାର୍ଯ୍ୟାନୁଷ୍ଠାନ ଦାବିରେ ହିନ୍ଦୁ ସଂଗଠନ ସଦସ୍ୟ ବିଜେପି ସରକାର ଉପରେ ଚାପ ଜାରି ରଖିଛନ୍ତି । ତେବେ ବିଜେପି ଶାସନାଧିନ କର୍ଣ୍ଣାଟକରେ ନିକଟରେ ଏକାଧିକ ହିନ୍ଦୁ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ପରେ ଏବେ ସେଠାରେ ମଧ୍ୟ ସାମ୍ପ୍ରଦାୟିକ ଉଷ୍ମତା ବଢିବାରେ ଲାଗିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ବାଶବରାଜ ବୋମ୍ମାଇ ଏକ ଭିନ୍ନ ସଙ୍କେତ ଦେଇଛନ୍ତି । ଯଦି ରାଜ୍ୟରେ ସେପରି ସ୍ଥିତି ଦେଖାଯାଏ, ତେବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର ମଡେଲ ମଧ୍ୟ ଲାଗୁ ହୋଇପାରେ ।
ରାଜ୍ୟରେ ସାମ୍ପ୍ରଦାୟିକ ଅସ୍ଥିରତା, ହିଂସା ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପତ୍ତି ଉଚ୍ଛେଦ କରିବା ନେଇ ମଧ୍ୟ କର୍ଣ୍ଣାଟକ ସରକାର ପ୍ରକ୍ରିୟା ଗ୍ରହଣ କରିପାରନ୍ତି ବୋଲି ମୁଖ୍ୟମନ୍ତ୍ରୀ ବୋମ୍ମାଇ ପରୋକ୍ଷରେ ଚେତାବନୀ ଦେଇଛନ୍ତି । ଉତ୍ତର ପ୍ରଦେଶରେ ବିଭିନ୍ନ ଧାର୍ମିକ ଶୋଭାଯାତ୍ରା ଓ କାର୍ଯ୍ୟକ୍ରମରେ ହୋଇଥିବା ପଥରମାଡ ଓ ଅନ୍ୟ ହିଂସା ଘଟଣାରେ ଏହି ପ୍ରକ୍ରିୟା ଆରମ୍ଭ କରିଥିଲେ ଯୋଗୀ ସରକାର । ଅପରାଧିକ ପୃଷ୍ଠଭୂମି ଓ ସାମ୍ପ୍ରଦାୟିକ ହିଂସା ସହ ଜଡିତ ଅଭିଯୁକ୍ତଙ୍କ ଘର ଓ ସମ୍ପତ୍ତି ଉପରେ ବୁୁଲଡୋଜର ଚଢାଯାଇଥିଲା ।