ବେଙ୍ଗାଲୁରୁ:କର୍ଣ୍ଣାଟକ କଂଗ୍ରେସର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ସିଦ୍ଧରମୈୟା । ଆଜି ସଂଧ୍ୟାରେ ରାଜଧାନୀ ବେଙ୍ଗାଲୁରୁରେ ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯାଇଛି । ନେତା ନିର୍ବାଚିତ ହେବା ପରେ ତାଙ୍କୁ କେନ୍ଦ୍ରୀୟ ନେତାଙ୍କ ସମେତ ଡି.କେ ଶିବକୁମାର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ମଧ୍ୟ ଟ୍ବିଟ କରି ସିଦ୍ଧରମୈୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଆଜି ସଂଧ୍ୟାରେ ଆୟୋଜିତ ବିଧାୟକ ଦଳ ବୈଠକେରେ 135 ନିର୍ବାଚିତ ବିଧାୟକଙ୍କ ସହ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ । ବୈଠକ ଆରମ୍ଭ ହେବା ପୂର୍ବରୁ ଅପରାହ୍ନରେ କଂଗ୍ରେସର ବରିଷ୍ଠ ନେତା ପରମେଶ୍ବର ଦଳୀୟ ପ୍ରତିନିଧି ଭାବେ ରାଜ୍ୟପାଳ ଥାଓ୍ବରଚାନ୍ଦ ଗେହେଲୋଟଙ୍କୁ ଭେଟି ସରକାର ଗଠନ ଦାବି କରି ସାରିଛନ୍ତି । ଏବେ ନିଜେ ସିଦ୍ଧରମୈୟା ରାଜ୍ୟପାଳଙ୍କୁ ଭେଟିବା ପାଇଁ ରାଜଭବନ ଗସ୍ତ କରିଥିବା ମଧ୍ୟ ସୂଚନା ମିଳିଛି । 20 ତାରିଖ (ଶନିବାର)ରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଯାଉଛି । ଏଥିରେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଶପଥ ଗ୍ରହଣ କରିବେ । ସେହିପରି ଅନ୍ୟ କେତେଜଣ ମନ୍ତ୍ରୀ ସିଦ୍ଧରମୈୟାଙ୍କ କ୍ୟାବିନେଟରେ ଶପଥ ନେବେ ସେ ନେଇ କିଛି ସ୍ପଷ୍ଟ ହୋଇନି । କେତେକ ବିଜେପି ବିରୋଧୀ ନେତାଙ୍କୁ ଦଳ ଶପଥ ଗ୍ରହଣ ସମାରୋହକୁ ଅତିଥି ଭାବେ ଡାକି ବିରୋଧୀ ଏକତାର ଝଲକ ଦେଖାଇବାରେ ବୋଲି ଚର୍ଚ୍ଚା ହେଉଛି ।