ବେଙ୍ଗାଲୁରୁ:କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ଜାରି ରଖିଛନ୍ତି ନିର୍ବାଚନୀ ପ୍ରଚାର । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ଭଉଣୀ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳ ପାଇଁ ମାରାଥନ ପ୍ରଚାର କରୁଛନ୍ତି । ଶାସନରେ ଥିବା ବିଜେପି ନିଜ ସରକାର ବିକାଶର କଥା କହୁଥିବା ବେଳେ କଂଗ୍ରେସ ରାଜ୍ୟରେ ନିଯୁକ୍ତି, ସ୍ବଚ୍ଛ ସରକାର ଓ ରାଜ୍ୟବାସୀଙ୍କ ପାଇଁ ଉନ୍ନୟନମୂଳକ ଯୋଜନାର କଥା କହି ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ।
ପ୍ରଦେଶ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଏହି ତିନି କେନ୍ଦ୍ରୀୟ ନେତା ରାଜ୍ୟର ବିଭିନ୍ନ ସ୍ଥାନରେ ମାରାଥନ ସମାବେଶକୁ ସମ୍ବୋଧିତ କରିବାରେ ଲାଗିଛନ୍ତି । ଦଳର ହାଇକମାଣ୍ଡ ଓ ଦକ୍ଷିଣ ଭାରତର ବଡ ଚେହେରା ମଲ୍ଲିକାର୍ଜୁନ ଖଡଗେ ଚିକୋଡି ହୁବଲି ଜିଲ୍ଲାରେ ଏକାଧିକ ସ୍ଥାନରେ ଦଳ ପାଇଁ ପ୍ରଚାର କରିଛନ୍ତି । ସେହିପରି ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ 23 ଓ 24 ରେ ବିଜାପୁର ଓ ହାଙ୍ଗଲରେ ଆୟୋଜିତ ସଭାକୁ ସମ୍ବୋଧିତ କରିଥିଲେ ।
ସେହିପରି ଦଳର ଅନ୍ୟତମ ପ୍ରମୁଖ ଚେହେରା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ପ୍ରଚାର ମୈଦାନରେ ବେଶ କସରତ କରୁଛନ୍ତି । ମଙ୍ଗଳବାର ପ୍ରିୟଙ୍କା ହାନୁରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିବା ବେଳେ କେ.ଆର ନଗରରେ ଏକ ରୋଡ ସୋ' ମଧ୍ୟ କରିଥିଲେ । ସେହିପରି ଆଗାମୀ କାର୍ଯ୍ୟସୂଚୀ ଅନୁସାରେ, ରାହୁଲ ଗାନ୍ଧୀ 27, 28 ଓ 30 ତାରିଖରେ ପୁଣି ରାଜ୍ୟ ଗସ୍ତ କରି ଏକାଧିକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।