ବେଙ୍ଗାଲୁରୁ:କର୍ଣ୍ଣାଟକରେ ଆଜି ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ସଂଧ୍ୟା 5ଟା ସୁଦ୍ଧା 65.69 ପ୍ରତିଶତ ସହ ଭୋଟିଂ ହୋଇଛି । ଭୋଟିଂ ସରିବା ପରେ କଡା ସୁରକ୍ଷା ମଧ୍ୟରେ ଇଭିଏମକୁ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଆସନ୍ତା 13 ରେ ଭୋଟ ଗଣତି ଓ ଜନାଦେଶ ପ୍ରକାଶ ପାଇବାକୁ ଯାଉଛି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳ ମୁଖ୍ୟ ଜେପି ନଡ୍ଡା, କେନ୍ଦ୍ର ଗୃମହନ୍ତ୍ରୀ ଅମିତ ଶାହ, ଶିବରାଜ ସିଂ ଚୌହାନ, ଯୋଗୀ ଆଦିତ୍ୟନାଥ, ହିମନ୍ତ ବିଶ୍ବଶର୍ମା ପ୍ରମୁଖ ନିର୍ବାଚନୀ ମୈଦାନରେ ଦଳ ପାଇଁ ପ୍ରଚାର କରିଛନ୍ତି । ଦଳର ସବୁଠୁ ଲୋକପ୍ରିୟ ଚେହେରା ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ଜନସଭାକୁ ସମ୍ବୋଧିତ କରିବା ରାଜଧାନୀ ବେଙ୍ଗାଲୁରୁ, ବେଲଗାଭୀ ଓ ମାଣ୍ଡ୍ୟା ଜିଲ୍ଲାରେ ରୋଡ ସୋ’ କରି ଦଳ ପାଇଁ କ୍ରାଉଡ୍ ପୁଲର ହୋଇଥିଲେ ।
ସେହିପରି ଶାସନରେ ଥିବା ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ମଧ୍ୟ ପ୍ରଚାରରେ କୌଣସି ଅବସର ଛାଡି ନଥିଲା । ଦଳ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରଣଦ୍ବୀପ ସୂର୍ଯେ୍ଓ୍ବାଲା, ଜୟରାମ ରମେଶ, କେ.ସି ବେଣୁଗୋପଲ ପ୍ରମୁଖ ରାଜ୍ୟବ୍ୟାପୀ ମାରାଥାନ ପ୍ରଚାର କରିଥିଲେ । ଏପରିକି ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ପ୍ରାୟ 5 ବର୍ଷ ଧରି ନିର୍ବାଚନୀ ରାଲିରୁ ଦୂରେଇ ରହିଥିଲେ ସୁଦ୍ଧା ଚଳିତ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ସହ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରମୁଖ ପ୍ରଚାର କରିଥିଲେ । କଂଗ୍ରେସ ବିଜେପିକୁ 40 ପ୍ରତିଶତ ପିସି ସରକାର କହି ଲୋକଙ୍କୁ ସୁଶାସନ ପାଇଁ କଂଗ୍ରେସକୁ ଭୋଟ ଦେବାକୁ ଅନୁରୋଧ କରିଥିଲା ।