ଓଡିଶା

odisha

ETV Bharat / bharat

Karnataka Result: ବୋମ୍ମାଇଙ୍କ ୧୧ ମନ୍ତ୍ରୀ ହରାଇଲେ ଆସନ

ଦକ୍ଷିଣ ଭାରତର ଏକମାତ୍ର ରାଜ୍ୟ ଭାବେ କର୍ଣ୍ଣାଟକରେ ଶାସନ କରୁଥିବା ବିଜେପି ବଡ଼ ପରାଜୟ ବରଣ କରିଛି । ନା ମୋଦିଙ୍କ ଯାଦୁ ଚାଲିଛି ନା ଦଳର ରଣନୀତି କାମ କରିଛି । ଦୁର୍ବଳ କୁହାଯାଉଥିବା କଂଗ୍ରେସ ଏହି ନିର୍ବାଚନରେ ବାଜିମାତ କରିଛି । ଏହାସହ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କ ୧୧ ଜଣ ମନ୍ତ୍ରୀ ନିଜ ଆସନରୁ ପରାଜୟ ବରଣ କରିଛନ୍ତି । ଅଧିକ ପଢନ୍ତୁ

By

Published : May 13, 2023, 9:10 PM IST

Etv Bharat
Etv Bharat

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଜନାଦେଶ ଆସିଛି । ପ୍ରଭାବଶାଳୀ ବିଜେପି ସହ ନୁହେଁ ବରଂ ହାତ ସହ ହାତ ମିଳାଇଛନ୍ତି କର୍ଣ୍ଣାଟକବାସୀ । ବିଜେପି ବଡ଼ ପରାଜୟ ବରଣ କରିଥିବା ବେଳେ ଏକ ସମୟରେ ଦୁର୍ବଳ କୁହାଯାଉଥିବା କଂଗ୍ରେସ ଆଜି ବିଜେପିଠାରୁ ୨ଗୁଣାରୁ ଅଧିକ ଭୋଟ ହାତେଇ କର୍ଣ୍ଣାଟକ ଗାଦିରେ ବସିବାକୁ ଯାଉଛି । କର୍ଣ୍ଣାଟକକୁ ଦକ୍ଷିଣ ଭାରତର ଦ୍ବାର କୁହାଯାଉଥିବା ବେଳେ ଏହି ପରାଜୟ ବିଜେପି ପାଇଁ ଦକ୍ଷିଣର ଦ୍ବାରକୁ ବନ୍ଦ କରିଥିବା ଚର୍ଚ୍ଚା ହେଉଛି । ଏପରିକି ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇଙ୍କ ୧୧ ମନ୍ତ୍ରୀ ମଧ୍ୟ ନିଜ ଆସନ ହରାଇଛନ୍ତି ।

ମୁଖ୍ୟମନ୍ତ୍ରୀ ବସଭରାଜ ନିଜ ଆସନରୁ ବିଜୟୀ ହୋଇଛନ୍ତି ସତ, ତାଙ୍କ ୧୧ଜଣ ମନ୍ତ୍ରୀ ନିଜ ଆସନ ହରାଇଛନ୍ତି । ମୁଖ୍ୟମନ୍ତ୍ରୀ ବସଭରାଜ ସିହଗାଓଁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବିନ୍ଦିତା କରିଥିବା ବେଳେ ସେ ପ୍ରାୟ ୩୫ ହଜାର ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ମୁକୁଟ ପିନ୍ଧିଛନ୍ତି । ବୋମ୍ମାଇଙ୍କ ୧୧ ଜଣ ମନ୍ତ୍ରୀ ବିଜୟୀ ହୋଇଥିବା ବେଳେ ୧୧ ଜଣ ପରାଜିତ ହୋଇ ନିଜ ଆସନ ହରାଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ତାଲିକାରେ କେଉଁ ମନ୍ତ୍ରୀମାନେ ରହିଛନ୍ତି ।

ଗୋବିନ୍ଦା କରଜୋଲା (ମୁଧୋଲ):-ରାଜ୍ୟ ଜଳସେଚନ ମନ୍ତ୍ରୀ ଗୋବିନ୍ଦା କରଜୋଲା ବାଗଲକୋଟ ଜିଲ୍ଲାର ମୁଧୋଲ ଆସନରୁ ନିର୍ବାଚନ ଲଢୁଥିଲେ । ତାଙ୍କକୁ କଡା ଟକ୍କର ଦେଇ ବିଜୟ ହାସଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଆରବି ଥିମ୍ମାପୁରା । ସତିଶ ବାନ୍ଦିବାଦର ମଧ୍ୟ କଂଗ୍ରେସର ଆଶାୟୀ ପ୍ରାର୍ଥୀ ରହିଥିଲେ । ହେଲେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ଏହାପରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ।

ଆର ଅଶୋକ (ପଦ୍ମନାଭନଗର-କନକପୁରା):- ରାଜସ୍ବ ମନ୍ତ୍ରୀ ଆର ଅଶୋକ ୨ଟି ଆସନ ପଦ୍ମନାଭନଗର ଓ କନକପୁରା ଆସନରୁ ନିର୍ବାଚନ ଲଢୁଥିଲେ । ସେ ପଦ୍ମନାଭନଗରରୁ ବିଜୟ ହାସଲ କରିଥିବା ବେଳେ ଅନ୍ୟଟିରେ ପରାଜିତ ହୋଇଛନ୍ତି । କଂଗ୍ରେସର ହେଭିୱେଟ ନେତା ଡିକେ ଶିବକୁମାର ଏହି ଆସନରୁ ନିର୍ବାଚନ ଲଢିଥିବା ବେଳେ ସେ ରାଜସ୍ବ ମନ୍ତ୍ରୀଙ୍କ ଉପରେ ଭାରି ପଡ଼ିଛନ୍ତି । ତେବେ ରାଜସ୍ବ ମନ୍ତ୍ରୀ ଡିକେଙ୍କୁ ଟକ୍କର ଦେବା ଲାଗି ବିଜେପିର ବରିଷ୍ଠ ନେତାଙ୍କ ନିର୍ଦ୍ଦେଶରେ ଏହି ଆସନରୁ ନିର୍ବାଚନ ଲଢୁଥିଲେ ।

ବି. ଶ୍ରୀରାମୁଲୁ (ବେଲ୍ଲାରି ଗ୍ରାମାଞ୍ଚଳ):- ପରିବହନ ମନ୍ତ୍ରୀ ବି, ଶ୍ରୀରାମୁଲୁ ବେଲ୍ଲାରି ଗ୍ରାମାଞ୍ଚଳ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରୁଥିଲେ । ମାତ୍ର ଏହି ନିର୍ବାଚନ ମଣ୍ଡଳୀର ଜନତା ତାଙ୍କୁ ନିଜ ନେତା ଭାବେ ଚୟନ କରିଥାନ୍ତି । କଂଗ୍ରେସ ପ୍ରାର୍ଥୀ ବି. ନାଗେନ୍ଦ୍ର ଏହି ଆସନ ଜିତି ତାଙ୍କୁ ପରାଜୟର ସ୍ବାଦ ଚଖାଇଛନ୍ତି ।

ଏହା ବି ପଢନ୍ତୁ- Karnataka Election Results: ଦୁର୍ବଳ କଂଗ୍ରେସଠୁ କେମିତି ହାରିଲା ଶକ୍ତିଶାଳୀ ବିଜେପି ?

ବି. ସୋମନ୍ନା (ଚାମରାଜନଗର-ବରୁଣା):-ଗୃହ ନିର୍ମାଣ ମନ୍ତ୍ରୀ ବି. ସୋମନ୍ନା ଚାମରାଜନଗର ଓ ବରୁଣାରୁ ପ୍ରତିଦ୍ବନ୍ଦିତା କରୁଥିଲେ । ହେଲେ ଏହି ୨ଟି ଆସନରୁ ସେ ପରାଜୟ ବରଣ କରିଛନ୍ତି । ତାଙ୍କୁ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କଡ୍ଡା ଟକ୍କର ଦେଇଥିଲେ । ବରୁଣାରୁ ସିଦ୍ଧରମୈୟା ଓ ଚାମରାଜନଗରରୁ ପୁତ୍ତରଙ୍ଗା ସେଟ୍ଟି ବିଜୟ ଲାଭ କରିଛନ୍ତି ।

ଜେସି ମଧୁସ୍ବାମୀ (ଚିକ୍କାନାଯକନହଲ୍ଲି):- ଆଇନ ମନ୍ତ୍ରୀ ଜେସି ମଧୁସ୍ବାମୀ ତୁମକୁରୁ ଜିଲ୍ଲାର ଚିକ୍କାନାୟକନହଲ୍ଲି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଥିବା ବେଳେ ସେ ମଧ୍ୟ ପରାଜୟ ବରଣ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ କେଏସ କିରଣକୁମାର ଏହି ଆସନକୁ ନିଜ ନାମରେ କରିଛନ୍ତି ।

ମୁରୁଗେଶ ନିରାନୀ (ବିଲାଗି):- ବାଗାଲକୋଟ ଜିଲ୍ଲାର ବିଲାଗି ଆସନରୁ ଶିଳ୍ପ ମନ୍ତ୍ରୀ ମୁରୁଗେଶ ନିରାନୀ ଓ କଂଗ୍ରେସର ଜେଟି ପାଟିଲଙ୍କ ମଧ୍ୟରେ କଡ୍ଡା ମୁକାବିଲା ଦେଖିବାକୁ ମିଳିଥିଲା । ମାତ୍ର ଜନାଦେଶ ଆଗରେ ମୁରୁଗେଶଙ୍କୁ ହାର ମାନିବାକୁ ପଡ଼ିଛି ।

ସିଏନ ଅଶ୍ବଥ ନାରାୟଣ (ମଲ୍ଲେଶ୍ବରମ):- ବେଙ୍ଗାଲୁରୁର ମଲ୍ଲେଶ୍ବରମ ନିର୍ବାଚନ ମଣ୍ଡଳୀରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସିଏନ ଅଶ୍ବଥ ନାରାୟଣ ଓ କଂଗ୍ରେସ ପ୍ରାର୍ଥୀ ଅନୁପ ଆୟଙ୍ଗରଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ପରିଶେଷରେ ସିଏନ ନିଜ ଆସନରୁ ପରାଜିତ ହୋଇଛନ୍ତି ।

ବିସି ପାଟିଲ (ହିରେକେରୁର):-ହାବରି ଜିଲ୍ଲାର ହିରେକେରୁର ବିଧାନସଭା ଆସନରୁ କୃଷି ମନ୍ତ୍ରୀ ବିସି ପାଟିଲ ପରାଜିତ ହୋଇଛନ୍ତି । ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଥିବା ପୂର୍ବ ବିଧାୟକ ୟୁବି ବାଙ୍କର ଏହି ଲଢେଇରେ ବାଜିମାତ କରିଛନ୍ତି ।

ସିସି ପାଟିଲ (ନାରଗୁଣ୍ଡ):-PWD ମନ୍ତ୍ରୀ ସିସି ପାଟିଲ ଗଡଗ ଜିଲ୍ଲାରୁ ନାରଗୁଣ୍ଡ ଆସନରୁ ନିର୍ବାଚନ ଲଢିଥିଲେ । କଂଗ୍ରେସର ପ୍ରାର୍ଥୀ ବିଆର ଯାବଗଲ ତାଙ୍କୁ ଟକ୍କର ଦେଇଥିଲେ । ଯାବଗଲ ପୂର୍ବରୁ ଏହି ଆସନରୁ ୫ଥର ବିଧାୟକ ରହିଥିଲେ । ସିସି ପାଟିଲ ୩ଥର ବିଧାୟକ ଥିଲେ । ହେଲେ ଚଳିତ ନିର୍ବାଚନରେ ବାଜି ମାରିଛନ୍ତି ଯାବଗଲ ।

ଡ. କେ ସୁଧାକର (ଚିକ୍କାବଲ୍ଲାପୁର):-ସ୍ବାସ୍ଥ୍ୟ ମନ୍ତ୍ରୀ ଡ. କେ ସୁଧାକର ଚିକ୍କାବଲ୍ଲାପୁର ଆସନରୁ ନିର୍ବାଚନ ଲଢିଥିଲେ । ତାଙ୍କୁ ବଡ଼ ହାର ବରଣ କରିବାକୁ ପଡ଼ିଛି । କଂଗ୍ରେସରୁ ଟିକେଟ ପାଇ ନିର୍ବାଚନ ଲଢିଥିବା ୩୮ ବର୍ଷୀୟ ପ୍ରାର୍ଥୀ ପ୍ରଦୀପ ଈଶ୍ବର ତାଙ୍କୁ ପରାଜୟର ସ୍ବାଦ ଚଖାଇଛନ୍ତି । ୨୦୧୩ ଓ ୨୦୧୮ରୁ କଂଗ୍ରେସରୁ ଟିକେଟ ପାଇଁ ନିର୍ବାଚନ ଜିତିଥିବା ସୁଧାକର ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇଥିଲେ ।

ଏମଟିବି ନାଗାରାଜ (ହୋସାକୋଟେ):- ନଗର ଉନ୍ନୟନ ମନ୍ତ୍ରୀ ଏମଟିବି ନାଗାରାଜ ମଧ୍ୟ ସେହି ମନ୍ତ୍ରୀଙ୍କ ସହିତ ସାମିଲ ରହିଛନ୍ତି ଯିଏକି ନିଜ ଆସନରୁ ପରାଜିତ ହୋଇଛନ୍ତି । ସେ ହୋସାକୋଟେ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବିନ୍ଦିତା କରିଥିଲେ । କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ନାଗାରାଜ ଶେଷରେ ପରାଜୟ ବରଣ କରିଛନ୍ତି ।

କେସି ନାରାୟଣ ଗୌଡ଼ା (କେଆର ପେଟେ):- ମନ୍ତ୍ରୀ କେସି ନାରାୟଣ ଗୌଡା କେଆର ପେଟେ ଆସନରୁ ନିର୍ବାଚନ ଲଢୁଥିଲେ । ହେଲେ ନିଜ ଆସନରୁ ପରାଜୟ ବରଣ କରିଛନ୍ତି ନାରାୟଣ । ଜେଡିଏସରୁ ୨୦୧୩ ଓ ୨୦୧୮ରୁ ନିର୍ବାଚନ ଲଢିଥିବା ନାରାୟଣ ବିଜେପିରେ ସାମିଲ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ବିଏଲ ଦେବରାଜ ଓ ଜେଡିଏସ ପ୍ରାର୍ଥୀ ଏଚଟି ମଞ୍ଜୁ ତାଙ୍କୁ କଡ୍ଡା ଟକ୍କର ଦେଇଥିଲେ ।

ବିସି ନାଗେଶ (ତିପ୍ଟୁର):-ତୁମୁକୁରୁ ଜିଲ୍ଲାରୁ ତିପ୍ଟୁର ନିର୍ବାଚନ ମଣ୍ଡଳୀରୁ ଗଣ ଶିକ୍ଷା ମନ୍ତ୍ରୀ ବିସି ନାଗେଶ ନିଜ ଆସନରୁ ପରାଜିତ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ କେ ସଦାକ୍ଷରୀ ଏହି ଆସନରୁ ବିଜୟୀ ହୋଇଛନ୍ତି । ଉଭୟ ଗୋଟିଏ ଥର ଲେଖାଏଁ ଏହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ହଲପ୍ପା ଅଚାର (ୟଲବୁଗି):-ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ହଲପ୍ପା ଅଚାର ମଧ୍ୟ କୋପ୍ପଲ ଜିଲ୍ଲାରୁ ୟଲବୁର୍ଗି ଆସନରୁ ପରାଜୟର ସାମନା କରିବାକୁ ପଡିଛି । କଂଗ୍ରେସର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ବସଭରାଜ ରୋୟରେଡ୍ଡି ତାଙ୍କୁ ପରାଜୟର ସ୍ବାଦ ଚଖାଇଛନ୍ତି ।

ଶଙ୍କର ପାଟିଲ ମୁନେନକୋପ୍ପା (ନବଲଗୁଣ୍ଡ):- ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶଙ୍କର ପାଟିଲ ମୁନେନକୋପ୍ପା ଧାରବାଡ ଜିଲ୍ଲାର ନବଲଗୁଣ୍ଡ ଆସନରୁ ନିର୍ବାଚନ ଲଢିଥିଲେ । ହେଲେ ତାଙ୍କୁ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଏନଏଚ କୋନା ରେଡ୍ଡି ପରାସ୍ତ କରିଛନ୍ତି ।

ABOUT THE AUTHOR

...view details