ହାଇଦ୍ରାବାଦ: 20 ଜାନୁୟାରୀ 1999 । ଦିନଟି ଭାରତ ପାକିସ୍ତାନ ଉଭୟ ଦେଶ ପାଇଁ ସ୍ବତନ୍ତ୍ର । ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୱାଘା ବୋର୍ଡର ପାର ହୋଇ ପାକିସ୍ତାନ ମାଟିରେ ପ୍ରବେଶ କଲେ ସେତେବେଳେ ଦୁଇ ପ୍ରତିଦ୍ବନ୍ଦି ଭାରତ-ପାକିସ୍ତାନ ଖାଲି ନୁହେଁ ସାରା ବିଶ୍ବର ନଜର ଏହାରି ଉପରେ ଥିଲା । ସେହିଦିନ 4 ଟା 40 ମିନିଟରେ ଯେତେବେଳେ ପ୍ରଧାନମନ୍ତ୍ରୀ ବାଜପେୟୀ 22 ଜଣ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ଧରି ପାକିସ୍ତାନର ଲାହୋର ଅଭିମୁଖେ ବସ ଯୋଗେ ଗସ୍ତ କରିଥିଲେ, ସାଙ୍ଗରେ ନେଇଥିଲେ, ବନ୍ଧୁତ୍ବ, ବିଶ୍ବାସ ସଦଭାବନା ଓ ଶାନ୍ତିର ବାର୍ତ୍ତା । ବାଜପେୟୀଙ୍କ ଏହି ଗସ୍ତକୁ ଉଭୟ ଦେଶର ଜନତା ବେଶ କିଛି ଆଶା କରିଥିଲେ ।
ହେଲେ ପାକିସ୍ତାନୀଙ୍କ ବିଡମ୍ବନା, ସରକାର ଜନତାଙ୍କ କୃପାରେ ନୁହେଁ, ବଂର ସେନାର ଆର୍ଶିବାଦରେ ଚାଲିଥାଏ । ଯାହାର ଫଳ ଭୋଗୁଛନ୍ତି ପାକିସ୍ତାନୀ । ଅନ୍ୟ ଏକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ସେହି ଦେଶର ସେନା ମୁଖ୍ୟ ମଧ୍ୟ ସମ୍ମାନ ଦେବା କଥା । ହେଲେ ବାଜପେୟୀଙ୍କ ଗସ୍ତ ବେଳେ ସେମିତି କିଛି ହୋଇନଥିଲା । କାରଣ ସେତେବେଳର ପାକିସ୍ତାନୀ ସେନାମୁଖ୍ୟ ଥିବା ଜେନେରାଲ ପରଭେଜ ମୁଶାରଫଙ୍କ ଯୋଜନା ଥିଲା କିଛି ବିପଦଜ୍ଜନକ । ବାଜପେୟୀଙ୍କ ଗସ୍ତ ଦିନ ହିଁ ଜେନେରାଲ ମୁଶାରଫ ଅପରେଶନ ବଦ୍ର ପାଇଁ ପାକିସ୍ତାନର ନର୍ଦନ ଲାଇନ ଇନଫେଣ୍ଟ୍ରୀ ଦେଇ ଏଲଓସି ପାର କରି କିଛି ଗୁପ୍ତ ଅପରେଶନରେ ସାମିଲ ହେବାର ଥିଲା । ଅପରେଶନ ବଦ୍ର ଆଧାରରେ ପାକିସ୍ତାନୀ ସେନା ଜୋ-ଜୀ-ଲାକୁ କବ୍ଜା କରି ଶ୍ରୀନଗର-ଲେହ-କାରଗିଲ ଜାତୀୟ ରାଜପଥ ଉପରେ ପୁରା ନିୟନ୍ତ୍ରଣ କରିବାକୁ ଯୋଜନା ଥିଲା ।
21 ଫେବୃୟାରୀ 1999 ରେ ଭାରତ ପ୍ରଧାନମନ୍ତ୍ରୀ ବାଜପେୟୀ- ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଲାହୋର ବୁଝାମଣା ପତ୍ରରେ ସ୍ବାକ୍ଷର କରିଥିଲେ । ହେଲେ ଏହି ଶାନ୍ତିର ବୁଝାମଣା କୁ ସେନାର ସ୍ବୀକୃତି ନଥିଲା । ଆଉ ସେହି ଠାରୁ ପାକିସ୍ତାନ ସେନା ଆରମ୍ଭ କରିଥିଲା ଅପରେଶନ ବଦ୍ର ।
ଆଜିକୁ ଠିକ ୨୨ ବର୍ଷ ତଳେ ଏସିଆ ମହାଦେଶର ଦୁଇ ପାରମ୍ପରିକ ଶତ୍ରୁ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲେ ଘମାଘୋଟ ଲଢେଇ । ଲଢେଇ ସେତେବେଳେ ହୋଇଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିଶ୍ବାସ, ଶାନ୍ତି ମୈତ୍ରୀ ଉପହାରକୁ ଛୁରା ମାରି ଭାରତର କାର୍ଗିଲ ଉଚ୍ଚ ପାହାଡକୁ କବଜା କରିଥିଲା ପାକିସ୍ତାନ ସେନା। ଯାହାର ଟେର ପାଇନଥିଲା ଭାରତୀୟ ସେନା । ଆଉ ଯେତେବେଳେ ସେନା ଜାଣିଲା କାର୍ଗିଲକୁ କବଜ୍ଜା କରିନେଇଛି ପାକିସ୍ତାନ ସେଇଠୁ ଆରମ୍ଭ ହେଲା ଅପରେଶନ । ଆଉ ୧୯୯୯ ମସିଆ ଜୁଲାଇ 26 ତଥା ଆଜିର ଦିନରେ କାର୍ଗିଲର ଉଚ୍ଚ ପାହାଡ ଶୀର୍ଷରେ ଫରଫର ହୋଇ ଉଡିଲା ତ୍ରୀରଙ୍ଗା । ଶୁଭିଲା ଭାରତ ମାତା କି ଜୟ । କଚ୍ଛରୁ କୋହିମା କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ବୀର ଯବାନଙ୍କ ଜୟ ଜୟ କାର । ଆଉ ସାରା ଦେଶରେ ଉତ୍ସବ ପାଳନ ।
କେବେ ଠାରୁ କାର୍ଗିଲ ଓ କାହିଁକି?
କାର୍ଗିଲ ଯୁଦ୍ଧର ପ୍ରାରମ୍ଭ 1999 ମେ’ ମାସରୁ ଆରମ୍ଭ ହୋଇଯାଇଥିଲା । ଆଉ ଏହି ଯୁଦ୍ଧରେ ବିଜୟୀ ହେବା ପାଇଁ ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ ବିଜୟ’ ଆଉ ୧୯୯୯ ମସିହା ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ ଭାରତର ବିଜୟଗାଥା । ସେହିଦିନ ଠାରୁ ସର୍ବୋଚ୍ଚ ବଳିଦାନ ଦେଇଥିବା ଭାରତ ମାତାର ବୀର ସନ୍ତାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଓ ସେମାନଙ୍କ ବୀରତ୍ବଗାଥାକୁ ସବୁଦିନ ପାଇଁ ମନେ ରଖିବା ପାଇଁ କୃତଜ୍ଞ ରାଷ୍ଟ୍ର ପ୍ରତ୍ୟେକ ବର୍ଷ ଜୁଲାଇ ୨୬ କୁ କାର୍ଗିଲ ବିଜୟ ଦିବସ ରୂପେ ପାଳନ କରିଆସୁଛି ।
ପାକିସ୍ତାନର କାପୁରୁଷ ଯୋଜନା
ପାକିସ୍ତାନର ଏହି ଷଡଯନ୍ତ୍ରର କୌଣସି ସୁରାକ ପାଇନଥିଲା ଭାରତ । ପାକିସ୍ତାନ ବେଶ ଯୋଜନାବଦ୍ଧ ଭାବେ ମିଶନ ପ୍ରସ୍ତୁତ କରିଥିଲା । କୁହାଯାଏ କାର୍ଗିଲ ଦଖଲ କରିବା ପାଇଁ ପାକିସ୍ତାନ ୧୯୯୮ ନଭେମ୍ବର ମାସ ତଥା ଶୀତ ଆରମ୍ଭରୁ ରଣନୀତି ପ୍ରସ୍ତୁତ କରିଥିଲା । ଆଉ ମେ’ ମାସରେ ଯୋଜନାକୁ ବାସ୍ତବ ରୂପ ଦେବାକୁ ଉଦ୍ୟମ କରିଥିଲେ ମୁଶାରଫ । ପ୍ରଥମେ ଗିଲଗିଟ ଓ ସ୍କର୍ଦୁ ଅଞ୍ଚଳରେ ମୁତୟନ ଥିବା ନିଜର ଫ୍ରଣ୍ଟୟର ଯବାନଙ୍କ ଛୁଟି ବାତିଲ କରିଥିଲା ପାକିସ୍ତାନ । କାରଣ ଅତ୍ୟଧିକ ଥଣ୍ଡା ପାଇଁ ଶୀତଦିନେ ପୋଷ୍ଟ ଛାଡି ସମସ୍ତ ଯବାନ ଛୁଟିରେ ଯାଇଥାନ୍ତି । ତେବେ ସେହି ବର୍ଷ ଯବାନଙ୍କ ଛୁଟି ବାତିଲ କରି ଛଦ୍ମବେଶରେ ୨ ଶହ ଯବାନଙ୍କୁ ପ୍ରଥମେ ଭାରତୀୟ ସୀମାରେ ଅନୁପ୍ରବେଶ କରାଇଲା ପାକିସ୍ତାନ । ତେବେ ଏହି ଅଞ୍ଚଳରେ ଭାରତୀୟ ସେନାର ଅନୁପସ୍ଥିତି ଦେଖି ଏହାକୁ ସୁଯୋଗ ଭାବି ଆହୁରି ସେନାକୁ ପଠାଇବାର ଲାଗିଲା । ଆଉ ଶୀତ ଶେଷ ବେଳକୁ କାର୍ଗିଲରେ ପୁରା ଆଡ୍ଡା ଜମାଇ ସାରିଥିଲା ପାକିସ୍ତାନ ସେନା ।