ବେଙ୍ଗାଲୁରୁ:ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାର ମାତ୍ର କିଛି ସପ୍ତାହ ପୂର୍ବରୁ 1990 ରାମ ଜନ୍ମଭୂମି ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା କରସେବଙ୍କୁ ବେଙ୍ଗାଲୁରୁରେ ଗିରଫ କରିଛି କର୍ଣ୍ଣାଟକ ପୋଲିସ । 3 ଦଶନ୍ଧି ପୂର୍ବରୁ ରୁଜୁ ହୋଇଥିବା ମାମଲାରେ ଏବେ ହଠାତ କାର୍ଯ୍ୟାନୁଷ୍ଠାନକୁ ନେଇ କର୍ଣ୍ଣାଟକରେ ରାଜନୀତି ପାରଦ ଉପରମୁହାଁ ହୋଇଛି । ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ କଂଗ୍ରେସ ସରକାରର ଏହା ଘୃଣାର ରାଜନୀତି ବୋଲି ବିଜେପି କହିଛି । ଦଳ ଆସନ୍ତାକାଲି ରାଜ୍ୟବ୍ୟାପୀ ପ୍ରତିବାଦ ଡାକରା ଦେଇଛି । ବିଜେପିର ଅଭିଯୋଗକୁ ଖଣ୍ଡନ କରିବା ସହ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା କହିଛନ୍ତି, ସେ ଘୃଣାର ରାଜନୀତି କରନ୍ତିନାହିଁ । ଆଇନ ତା’ ବାଟରେ ଯିବ । ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସୂଚନା ଅନୁସାରେ, ଆଜକୁ 31 ବର୍ଷ ପୂର୍ବେ ରୁଜୁ ହୋଇଥିବା ବାବ୍ରୀ କାଣ୍ଡ ମାମଲାରେ ହିନ୍ଦୁ ସଂଗଠନ କାର୍ଯ୍ୟକର୍ତ୍ତା ତଥା କରସେବକ ଶ୍ରୀକାନ୍ତ ପୁଜାରୀଙ୍କୁ କର୍ଣ୍ଣାଟକର ହୁବଲିରୁ ପୋଲିସ ଗିରଫ କରିଛି । 1990 ରାମ ମନ୍ଦିର ଆନ୍ଦୋଳନରେ କରସେବକ ଶ୍ରୀକାନ୍ତ ଅଂଶଗ୍ରହଣ କରିଥିଲେ । ସେତେବେଳେ ତାଙ୍କ ବିରୋଧରେ ହିଂସାରେ ସାମିଲ ଥିବା ଅଭିଯୋଗ ସହ ମାମଲା ରୁଜୁ ହୋଇଥିଲା । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ମାତ୍ର ଦୀର୍ଘ 3 ଦଶନ୍ଧି ପରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ହଠାତ ପୁରୁଣା ମାମଲାକୁ ପୁଣି ସାମ୍ନାକୁ ଆଣି ତାଙ୍କୁ ଗିରଫ କରାଯିବାକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ଘୃଣାର ରାଜନୀତି କହି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ହିନ୍ଦୁ ବିରୋଧୀ ମୁଖ୍ୟମନ୍ତ୍ରୀ ବୋଲି ବିଜେପି କହିଛି ।