ଓଡିଶା

odisha

ETV Bharat / bharat

ଉତ୍ତର ପ୍ରଦେଶରେ ଉଚ୍ଛେଦ ବେଳେ ମହିଳା ଓ ଝିଅ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲା ପୀଡିତ ପରିବାର

ଉତ୍ତର ପ୍ରଦେଶରେ ଉଚ୍ଛେଦ ବେଳେ ମହିଳା ଓ ଝିଅ ପୋଡି ହୋଇ ପ୍ରାଣ ହରାଇବା ଘଟଣା । ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲା ପୀଡିତ ପରିବାର । 39 ଅଧିକାରୀଙ୍କ ବିରୋଧରେ ମାମଲା । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ଉଚ୍ଛେଦ ବେଳେ ମହିଳା ଓ ଝିଅ ମୃତ୍ୟୁ ଘଟଣା
ଉତ୍ତର ପ୍ରଦେଶରେ ଉଚ୍ଛେଦ ବେଳେ ମହିଳା ଓ ଝିଅ ମୃତ୍ୟୁ ଘଟଣା

By

Published : Feb 14, 2023, 9:47 PM IST

ଲକ୍ଷ୍ନୌ:ଉତ୍ତର ପ୍ରଦେଶ କାନପୁର ଦେହତରେ ଜବରଦଖଲ ଉଚ୍ଛେଦ ବେଳେ ମା’ ଓ ଝିଅ ପୋଡି ହୋଇ ପ୍ରାଣ ହରାଇବା ଘଟଣାରେ ଏତଲା ଦାଏର ହୋଇଛି । ପ୍ରଶାସନିକ ଅଧିକାରୀ ନିଆଁ ଲଗାଇ ଉଭୟଙ୍କୁ ହତ୍ୟା କରିଥିବା ପରିବାର ସଦସ୍ୟ ଏତଲାରେ ଦର୍ଶାଇଛନ୍ତି । ପୀଡିତାଙ୍କ ପିତା ଏତଲା ଆଧାରରେ ସ୍ଥାନୀୟ ଏସଡିଏମ ଦାୟିତ୍ୱରେ ଥିବା ପୋଲିସ ଷ୍ଟେସନର ଅଧିକାରୀ, ଉଚ୍ଛେଦରେ ବ୍ୟବହୃତ ଜେସିବି ଡ୍ରାଇଭର ସମେତ ମୋଟ 39 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।

ପୀଡିତାଙ୍କ ପିତାଙ୍କ ଅଭିଯୋଗ ଅନୁସାରେ ଭାରତୀୟ ଦଣ୍ଡବିଧି ଆଇନର ଧାରା 302, 307, 436, 429, 323 ଏବଂ 34 ଅନୁଯାୟୀ 11 ଜଣ ନାମିତ ଏବଂ 12 ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏଥିସହିତ ପୀଡିତାଙ୍କ ପରିବାର ସେମାନଙ୍କ ଦାବି ସମ୍ପର୍କରେ ପ୍ରଶାସନ ନିକଟରେ ଏକ ଚିଠି ମଧ୍ୟ ଦାଖଲ କରିଛନ୍ତି । ପ୍ରଶାସନ ତାଙ୍କ ଘରେ ନିଆଁ ଲଗାଇ ମହିଳା ଓ ତାଙ୍କ ଝିଅକୁ ଉଦ୍ଦେଶ୍ୟମୂଳକ ପୋଡି ମାରିଦେଇଥିବା ଅଭିଯୋଗ କରିଛନ୍ତି । ଏହି ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା । ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରୁ ଗାଡି ଛାଡି ପଳାଇଥିଲେ । ତେବେ ଉଚ୍ଛେଦ ବେଳେ ସୃଷ୍ଟି ହୋଇଥିବା ସାଙ୍ଘାତିକ ସ୍ଥିତି କ୍ୟାମେରାରେ କଏଦ ହୋଇଛି ।


ଏହା ମଧ୍ୟ ପଢନ୍ତୁ:- ଜବରଦଖଲ ଉଚ୍ଛେଦ ବେଳେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ମାଆ ଓ ଝିଅ

ଗତକାଲି (ସୋମବାର) ଉତ୍ତର ପ୍ରଦେଶ କାନପୁର ଦେହାତରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ଏପରି ଛାତିଥରା ଘଟଣା ଘଟିଥିଲା । ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଏକ ଟିମ୍ ବୁଲଡୋଜର ଧରି ଜବରଦଖଲ ଉଚ୍ଛେଦ ପାଇଁ ପହଞ୍ଚିଥିଲା । ବୁଲଡୋଜରରେ ଘର ଭଙ୍ଗା ଯାଉଥିବା ବେଳେ ଏକ ଘରେ ନିଆଁ ଲାଗିଯାଇଥିଲା । ଏଥିରେ ଜଣେ ମହିଳା ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ମହିଳାଙ୍କ ସ୍ବାମୀ ଗୁରୁତର ଆହତ ହୋଇଥଲେ । ଏହି ଘଟଣା ପାଇଁ ସ୍ଥାନୀୟ SDM, SHOଙ୍କ ସମେତ ଉଚ୍ଛେଦ ପାଇଁ ଆସିଥିବା ଅଧିକାରୀଙ୍କ ବିରୁଦ୍ଧରେ ଏତଲା ଦାଏର ହୋଇଛି ।

ସୂଚନା ଅନୁସାରେ, ପ୍ରଶାସନିକ ଟିମ୍ କାନପୁର ଦେହାତ ରୁରା ଥାନା ଅଞ୍ଚଳରେ ଥିବା ଶିବ ମନ୍ଦିର ଉଚ୍ଛେଦ କରିବାକୁ ଆସିଥିଲେ । ଉଚ୍ଛେଦ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ମନ୍ଦିର ନିକଟରେ ଥିବା କୁଡିଆରେ ନିଆଁ ଲଗାଯାଇଥିଲା । ଘର ଭିତରେ ମାଆ ଓ ଝିଅ ଥିବାବେଳେ ସେମାନେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଯାହାର ଏକ ଭାଇରାଲ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଅନ୍ୟ ଏକ ସୂଚନା ଅନୁସାରେ, ଗତ ଜାନୁଆରୀରେ ମନ୍ଦିର ନିକଟରେ ବେଆଇନ ଘର ନିର୍ମାଣ କରିଥିବା ନେଇ ଉଚ୍ଛେଦ କରାଯାଇଥିଲା । ପରିବାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ଲାଭ ମିଳିନଥିଲା । ସେମାନେ ବାଧ୍ୟ ହୋଇ ମନ୍ଦିର ନିକଟରେ ଏକ କୁଡିଆ ଘରେ ରହୁଥିଲେ (ଗତକାଲି ) ସୋମବାର ଜିଲ୍ଲା ପ୍ରଶାସନର ଟିମ୍ ପୋଲିସ ଫୋର୍ସ ସହ ପୁଣି ଥରେ କୁଡିଆ ଓ ମନ୍ଦିର ଉଚ୍ଛେଦ କରିବାକୁ ଆସିଥିଲେ । ପ୍ରଶାସନ ଏହାକୁ ଏକ ଅଘଟଣ ବୋଲି କହୁଥିଲା ବେଳେ ପୀଡିତ ପରିବାର ପ୍ରଶାସନିକ ଅଧିକାରୀ ନିଆଁ ଲଗାଇ ମହିଳା ଓ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details